ତଙ୍ଗମ୍ମା ଏ. କେ. ତଳେ ଖସିପଡ଼ିଥିବା ଖଣ୍ଡେ ଡାଳକୁ ଧରି ଭୂମି ଉପରେ ପିଟୁଛନ୍ତି। ନଡ଼ିଆ ଗଛ ତଳେ ଏହା ତାଙ୍କର ଆଗମନକୁ ସୂଚାଇ ଦେଉଛି। ‘‘ଡେଙ୍ଗା ଗଛ ଥିବା ଏସବୁ ଜମିକୁ ମୁଁ ସତର୍କତାର ସହ ପ୍ରବେଶ କରିଥାଏ। ମୁଁ ଭୂମିରେ ବାଡ଼ି ପିଟିଥାଏ ଓ ପାଟି କରିଥାଏ କାରଣ ଯଦି କୌଣସି ସାପ ଥାଆନ୍ତି, ସେମାନେ ଦୂରକୁ ଚାଲିଯିବେ,’’ ବୁଦା ଜଙ୍ଗଲ ଭିତରକୁ ପ୍ରବେଶ କରିବା ସମୟରେ ସେ କହିଥାନ୍ତି। ଆକାଶଛୁଆଁ ନଡ଼ିଆ ଗଛ ତଳେ ଘଞ୍ଚ ଲତା, ଭାଙ୍ଗି ପଡ଼ିଥିବା ଡାଳ ଓ ଜଙ୍ଗଲୀ ଘାସ ଭିତରେ କୌଣସି ଜୀବ ଯେମିତି ଆକ୍ରମଣ ନକରୁ ସେଥିପାଇଁ ସେ ସତର୍କ ରହିଥାନ୍ତି ।
ଏର୍ଣ୍ଣାକୁଲମର ଆବାସିକ କଲୋନୀରେ ଏହି ଜଙ୍ଗଲିଆ ସ୍ଥାନଟି ଖାଲି ପ୍ଲଟ୍ ଥିବା ଏକ ଭୂଖଣ୍ଡ । ‘‘ରାସ୍ତାରେ (ଭଲ) ନଡ଼ିଆ ମିଳିବା ଭାଗ୍ୟର କଥା!’’ ୬୨ ବର୍ଷ ବୟସ୍କ ଏହି ମହିଳା ଜଣଙ୍କ କୁହନ୍ତି। ନିଜର ପେଟ ପୋଷିବା ପାଇଁ ସେ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ନଡ଼ିଆ ସଂଗ୍ରହ କରି ବିକ୍ରି କରିଥାନ୍ତି। ମାଲାୟାଲୀ ବ୍ୟଞ୍ଜନରେ ନଡ଼ିଆ ଏକ ଜରୁରି ଉପାଦାନ, ତେଣୁ ବର୍ଷ ସାରା ଏହି ଫଳର ଚାହିଦା ରହିଥାଏ।
‘‘ପୂର୍ବରୁ କାମରୁ ଫେରିବା ପରେ ମୁଁ ଏଇ ପାଖରେ ଥିବା ସ୍ଥାନ (ପୁଦିୟା ରୋଡ ଜଙ୍କସନ)ରୁ ନଡ଼ିଆ ସଂଗ୍ରହ କରୁଥିଲି, କିନ୍ତୁ ଅସୁସ୍ଥତା କାରଣରୁ ମୁଁ ଆଉ କାମକୁ ଯାଇପାରୁନାହିଁ,’’ ଲମ୍ବା ଘାସ ଭିତରେ ସନ୍ତର୍ପଣ ସହିତ ରାସ୍ତା କାଟି ଚାଲି ଯାଉଥିବା ବେଳେ ତଙ୍ଗମ୍ମା କହିଥାନ୍ତି । ମଝିରେ ମଝିରେ ସାମାନ୍ୟ ଅଟକି ଯାଇ ସେ ଦୀର୍ଘ ଶ୍ୱାସ ନିଅନ୍ତି କିମ୍ବା ମଧ୍ୟାହ୍ନ ଖରାରୁ ନିଜ ଆଖିକୁ ସୁରକ୍ଷା ଦେଇ ସେ ନଡ଼ିଆ ଖୋଜନ୍ତି ।
ପାଞ୍ଚ ବର୍ଷ ପୂର୍ବରୁ, ତଙ୍ଗମ୍ମାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା, ଅତ୍ୟଧିକ ଥକାପଣ ଏବଂ ଥାଇରଏଡ଼ ସଂକ୍ରାନ୍ତ ଅନ୍ୟ ଜଟିଳତାଗୁଡ଼ିକର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ସେ ଘରୋଇ କର୍ମଜୀବୀ ଭାବେ ନିଜର ପୂର୍ଣ୍ଣକାଳୀନ କାମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ଏଥିରୁ ହେଉଥିବା ମାସିକ ୬,୦୦୦ ଟଙ୍କାର ରୋଜଗାର ମଧ୍ୟ ହରାଇଲେ। ଚଳିବା ପାଇଁ ରୋଜଗାର ଦରକାର ଥିବାରୁ ଘରେ ବସିବା ତଙ୍ଗମ୍ମାଙ୍କ ପାଇଁ ଏକ ଭଲ ବିକଳ୍ପ ନଥିଲା। ତେଣୁ ସେ ପଡ଼ୋଶୀ ଲୋକଙ୍କ ଘରେ ଝାଡ଼ୁ ମାରିବା ଓ ଆଖପାଖ ସ୍ଥାନକୁ ସଫେଇ କରିବା ଭଳି କମ ଶାରୀରିକ ଶ୍ରମ ଆଧାରିତ କାମ କରିବାକୁ ଆରମ୍ଭ କଲେ । କିନ୍ତୁ କୋଭିଡ-୧୯ ମହାମାରୀ ଆସିବା ପରେ ଏହି କାମ ମଧ୍ୟ ବନ୍ଦ ହୋଇଯାଇଥିଲା।














