୫୫ ବର୍ଷୀୟ ଦଳିତ ଚାଷୀ ତୁରକା ବାବୁରାଓ ପଚାରିଲେ, ‘‘ଆମକୁ କ’ଣ ପାଇଁ ପଟ୍ଟା (ଶିରୋନାମା) ଥିବା ଜମି ମାଲିକଙ୍କଠାରୁ ଭିନ୍ନ କ୍ଷତିପୂରଣ ଦିଆଯାଉଛି?’’ ବାବୁରାଓ ଗୁଣ୍ଟୁର ଜିଲ୍ଲାର ରାୟପୁଡି ଗାଁର ବାସିନ୍ଦା । ରାୟପୁଡିରେ ପ୍ରାୟ ୪୮୦୦ ଲୋକ ରହୁଥିବାବେଳେ ତାଙ୍କର ଗୋଟିଏ ଏକରରୁ କମ୍ ଜମି ଅଛି । ସେ ନୂଆ ‘ବିଶ୍ୱସ୍ତରୀୟ’ ରାଜଧାନୀ ଅମରାବତୀ ପ୍ରତିଷ୍ଠା ଲାଗି ଆନ୍ଧ୍ରପ୍ରଦେଶ ସରକାର ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ ବଦଳରେ ଦେଉଥିବା କ୍ଷତିପୂରଣ ସଂପର୍କରେ କହୁଛନ୍ତି । ସେ ଆହୁରି କହିଲେ, ‘‘ଆମର ଜମି ପଟ୍ଟା ଥିବା ଜମି ଅପେକ୍ଷା ଅଧିକ ଉର୍ବର କାରଣ ସେଗୁଡ଼ିକ କ୍ରିଷ୍ଣା ନଦୀକୁ ଲାଗି ରହିଛି ।’’
ଅନ୍ୟ ୮୦୦ ଚାଷୀଙ୍କ ସହିତ ବାବୁରାଓ ରାୟପୁଡ଼ିର ଆସାଇନଡ ଲ୍ୟାଣ୍ଡ ଫାର୍ମସ ୱେଲଫେୟାର ଆସୋସିଏସନ୍ର ସଦସ୍ୟ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅନୁସୂଚିତ ଜାତି (ଏସସି) ଏବଂ ଅନ୍ୟାନ୍ୟ ପଛୁଆ ଜାତି (ଓବିସି)ବର୍ଗର । ରାଜ୍ୟ ସରକାର ଯେତେବେଳେ ଆନ୍ଧ୍ରପ୍ରଦେଶ ଭୂମି ସଂସ୍କାର ଆଇନ, (Ceilings on Agricultural Holdings )୧୯୭୩ ଅନୁସାରେ ଜମି ବଣ୍ଟନ କଲେ ଏହି ଚାଷୀମାନଙ୍କୁ କ୍ରିଷ୍ଣା ଓ ତାର ଟାପୁର କୂଳରେ ରାୟପୁଡ଼ିରେ ପ୍ରାୟ ୨୦୦୦ ଏକର (ସେମାନଙ୍କର ନିଜସ୍ୱ ଆକଳନ ଅନୁସାରେ) ଜମି ଦିଆଯାଇଥିଲା । ଯେଉଁମାନେ ଏହି ଜମି ପାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଓ ଓବିସି ବର୍ଗର ଥିଲେ ।
ବାବୁରାଓ କହନ୍ତି, ‘‘ଆମେ ୩ ପିଢି ହେଲା ଏହି ଜମିକୁ ଚାଷ କରି ଆସୁଛୁ । ଏପରିକି ସେତେବେଳକୁ ଆମ ଦେଶ ସ୍ୱାଧୀନତା ପାଇନଥିଲା । ଇନ୍ଦିରା ଗାନ୍ଧୀ ଆମକୁ ପଟ୍ଟା ଦେଇ ଜମିର ମାଲିକାନା ସତ୍ତ୍ୱ ଦେଲେ ।’’ ଆନ୍ଧ୍ରପ୍ରଦେଶ ଆସାଇନ୍ଡ ଲ୍ୟାଣ୍ଡ (ହସ୍ତାନ୍ତର ବିରୋଧୀ ) ଆକ୍ଟ, ୧୯୭୭ ଅନୁସାରେ ଏହି ବଣ୍ଟନ ହୋଇଥିବା ଜମିକୁ କୌଣସି ଲୋକ କିଣି ପାରିବେ ନାହିଁ କିମ୍ବା ବିକ୍ରି କରାଯାଇପାରିବ ନାହିଁ । କେବଳ ଜଣେ ପରିବାର ସଦସ୍ୟଙ୍କଠାରୁ ଅନ୍ୟଜଣଙ୍କୁ ହସ୍ତାନ୍ତର କରାଯାଇପାରିବ ।
ରାଜ୍ୟ ସରକାର କିନ୍ତୁ ତାଙ୍କର ‘ସବୁଜିମା’ ରାଜଧାନୀର ନିର୍ମାଣର ପ୍ରଥମ ପର୍ଯ୍ୟାୟ ପାଇଁ ୩୩ ହଜାର ଏକର ଜମି ଅଧିଗ୍ରହଣ କରୁଛନ୍ତି । ସ୍ଥାନୀୟ ସମାଜସେବୀଙ୍କ ଆକଳନ ଅନୁସାରେ ସେଥିମଧ୍ୟରୁ ପ୍ରାୟ ୧୦ ହଜାର ଏକର ହେଉଛି ଦିଆଯାଇଥିବା ଜମି । ବାକି ସବୁ ହେଉଛି ପଟ୍ଟାଜମି । ଉଚ୍ଚ ଜାତିର କମ୍ମା, କାପୁ ଏବଂ ରେଡ୍ଡି ଚାଷୀମାନେ ତାକୁ ଚାଷ କରନ୍ତି ।









