ଗତ ୩୦ ବର୍ଷ ହେଲା ଦେବୁ ଭୋର ଦଉଡ଼ି ତିଆରି କରୁଛନ୍ତି । ଅଧିକ ଟାଣି ହେଉଥିବା ସୂତାରୁ ସେ ପତଳା ତନ୍ତୁକୁ ଅଲଗା କରନ୍ତି। ୧.୫କେଜିରୁ ୨ କେଜି ଓଜନ ବିଶିଷ୍ଟ ସୂତା ବଣ୍ଡଲ କରିବା ପାଇଁ ସେ ତାଙ୍କ ଘରର ଚଟାଣରୁ ସିଲିଂରେ ଥିବା ହୁକ୍ ଯାଏଁ ପ୍ରାୟ ୯ ଫୁଟ୍ ଉଚ୍ଚତାର ସୂତା ଟାଣନ୍ତି । ଏମିତି କରି ୭ ଘଣ୍ଟା ବିନିମୟରେ ସେ ସପ୍ତାହକୁ ତିନି ଥର ଏହିପରି ୧୦ଟି ବଣ୍ଡଲ କରନ୍ତି।
ତାଙ୍କ ପାରିବାରିକ ବ୍ୟବସାୟରେ ବହୁ ବିଳମ୍ବରେ ସୂତାର ପ୍ରବେଶ ହେଲା । ବହୁ ପିଢି ଧରି ତାଙ୍କ ପରିବାର ବନକୁମାରୀ ଗଛରୁ ଦଉଡ଼ି ତିଆରି କରୁଥିଲେ । କିନ୍ତୁ ତାହା ଦୀର୍ଘସ୍ଥାୟୀ ନ ହେବାରୁ ସେମାନେ ସୂତାରୁ ଦଉଡ଼ି କଲେ । କିନ୍ତୁ ବର୍ତ୍ତମାନ ନାଇଲନର ପ୍ରସାର ପରେ ଏହି ବୃତ୍ତି ମଧ୍ୟ ଆକର୍ଷଣ ହରାଇଛି ।
ଦେବୁ ଯେତେବେଳେ ପିଲା ଥିଲେ, ତାଙ୍କ ବାପା ୧୦ କିମି ଧରି ପାଦରେ ଚାଲି ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ଥିବା ଗାଁଗୁଡ଼ିକର ନିକଟବର୍ତ୍ତୀ ଜଙ୍ଗଲକୁ ବନକୁମାରୀ ଗଛ ସଂଗ୍ରହ କରିବାକୁ ଯାଉଥିଲେ । ମରାଠୀରେ ତାଙ୍କୁ ଘାୟପତ୍ କୁହାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଫାଦ୍ ଭାବେ ତାହା ପ୍ରସିଦ୍ଧ । ସେ ପ୍ରାୟ ୧୫ କିଲୋ ବନକୁମାରୀ ଗଛ ଧରି ଫେରୁଥିଲେ । ପତ୍ରର କଣ୍ଟାଯୁକ୍ତ ଧାରକୁ ବାହାର କରିଦେବା ପରେ ସେ ତାକୁ ଏକ ସପ୍ତାହ ଧରି ପାଣିରେ ବୁଡ଼ାଇ ଦେଉଥିଲେ ଏବଂ ପରେ ୨ ଦିନ ଧରି ଶୁଖାଉଥିଲେ । ଏହି ପ୍ରକ୍ରିୟାରେ ଦଉଡ଼ି ପାଇଁ ୨ କିଲୋ ତନ୍ତୁ ଅମଳ ହେଉଥିଲା । ଦେବୁଙ୍କର ମା’ ମୈନାବାଇ ମଧ୍ୟ ଏହି କାମ କରୁଥିଲେ ଏବଂ ୧୦ ବର୍ଷୀୟ ଦେବୁଙ୍କର ମଧ୍ୟ ଯୋଗଦାନ ରହୁଥିଲା ।
୧୯୯୦ ମସିହାବେଳକୁ ଭୋର ଏବଂ ଅନ୍ୟ ପରିବାର ବନକୁମାରୀ ତନ୍ତୁ ପରିବର୍ତ୍ତେ ସୂତା ବ୍ୟବହାର କରିବା ଆରମ୍ଭ କଲେ- ସୂତା ଅଧିକ ଦିନ ଧରି ରହିଲା । ତା’ ଛଡ଼ା ଦେବୁ କହନ୍ତି, ‘‘ଲୋକମାନେ ଜଙ୍ଗଲ କାଟିଦେଇଛନ୍ତି । ଏପରିସ୍ଥଳେ ଫାଦ୍ (ବନକୁମାରୀ ଗଛକୁ ଅଧିକ ସମୟ ଭିଜାଇବା ଏବଂ ତାକୁ ଶୁଖାଇବାର ପ୍ରକ୍ରିୟା ) ଅପେକ୍ଷା ସୂତା ବ୍ୟବହାର ଅଧିକ ସହଜ ।’’
ଦେବୁ ଆକଳନ କରନ୍ତି ୧୯୯୦ ମସିହାର ଶେଷ ପର୍ଯ୍ୟନ୍ତ ତାଙ୍କ ଗାଁରେ ପ୍ରାୟ ୧୦୦ ପରିବାର ଦଉଡ଼ି ତିଆରି କରୁଥିଲେ । ସେ ବେଲଗାମ୍ ଜିଲ୍ଲାର ଚିକୋଡ଼ି ତାଲୁକାର ବୋରାଗାଓଁ ଗାଁରେ ରହନ୍ତି । ଯେତେବେଳେ ନାଇଲନ୍ ଦଉଡ଼ିର ଆର୍ବିଭାବ ପରେ ଏଥିରୁ ଆୟର ପରିମାଣ କମିଲା ଅନେକ ଲୋକ ନିକଟବର୍ତ୍ତୀ ଗାଁରେ କୃଷିକାମ ଆଡକୁ ମୁହାଁଇଲେ କିମ୍ବା ଇଚ୍ଚାଲକରଞ୍ଜି ଏବଂ କାଗଲ ସହରରେ ଥିବା ଲୁଗାବୁଣା କାରଖାନା ବା ଅଟୋ ପାର୍ଟ ୱାର୍କସପ୍ ରେ କାମ କରିବାକୁ ପଳାଇଗଲେ ।















