"ଏହି [ସୁପ୍ରିମ୍କୋର୍ଟ] ରାୟ କେବଳ ଆମ ବିରୁଦ୍ଧରେ ଅପରାଧ ହାର ବଢ଼ାଇବ!"
ସରୋଜ ସ୍ୱାମୀଙ୍କ ଉଦ୍ବୋଧନ ଶୁଣନ୍ତୁ। ତାଙ୍କ ଠାରେ ମୁମ୍ବାଇରେ ଏପ୍ରିଲ୍ ୨ ତାରିଖରେ ଏକତ୍ର ହୋଇଥିବା ଦଳିତ ଓ ଆଦିବାସୀମାନଙ୍କର ପ୍ରତିବାଦ ଓ ଦେଶବ୍ୟାପୀ ନିୟୁତ ନିୟୁତଙ୍କର କ୍ରୋଧ ପ୍ରତିଫଳିତ ହେଉଥିଲା।
କେନ୍ଦ୍ର ମୁମ୍ବାଇର ଦାଦରସ୍ଥ କୋଟୱାଲ ଉଦ୍ୟାନରୁ ଶିବାଜୀ ପାର୍କ ନିକଟସ୍ଥ ଚୈତ୍ୟଭୂମିକୁ ବିକ୍ଷୋଭକାରୀମାନଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ୫୮ ବର୍ଷ ବୟସ୍କା ଏହି ରାଜନୈତିକ କର୍ମୀ କହିଥିଲେ, "ଆମେ ଆଜି ବି ସେହି ଯୁଗରେ ଅଛି ଯେଉଁଠି ଦଳିତ ଯୁବକଟିଏ ଘୋଡ଼ା ଚଢ଼ିଥିବାରୁ ତାକୁ ହତ୍ୟା କରାଗଲା।"
ବିକ୍ଷୋଭକାରୀମାନେ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ରାୟ ଯାହାକି ଅନୂସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିରୋଧି) ଆଇନ୍, ୧୯୮୯ର କିଛି ବ୍ୟବସ୍ଥାକୁ କୋହଳ କରିଛି ସେଥିରେ ଅସନ୍ତୁଷ୍ଟ ଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁଯାୟୀ ଏହା ପରଠାରୁ ଯେଉଁ ସରକାରୀ କର୍ମଚାରୀ ମାନେ ଦଳିତ କିମ୍ବା ଆଦିବାସୀଙ୍କ ପ୍ରତି ଭେଦଭାବ କରିଥିବାର ଅଭିଯୋଗ ହେବ, ସେମାନଙ୍କୁ ସେମାନଙ୍କୁ ନିଯୁକ୍ତିଦାତା କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମୋଦନ କ୍ରମେ ଗିରଫ କରାଯାଇପାରିବ।
ଏହାଛଡ଼ା ଅଭିଯୋଗୁଡିକ ସତ ନା ଉଦ୍ଦେଶ୍ୟମୂଳକ ଏହା ସ୍ଥିର କରିବା ପାଇଁ ପ୍ରଥମେ ଜଣେ ଡେପୁଟି ପୋଲିସ ସୁପରିଟେଣ୍ଡେଣ୍ଟ ପାହ୍ୟର ଜଣେ ଅଧିକାରୀ ଏକ ଆଗୁଆ ତଦନ୍ତ କରିବେ। କେନ୍ଦ୍ର ସରକାର ଏହି ରାୟ ନେଇ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ଏହି ମାମଲାରେ ଏକ ତୁରନ୍ତ ଶୁଣାଣୀ ପାଇଁ ଅଦାଲତ ମଧ୍ୟ ରାଜି ହୋଇଛନ୍ତି।








