ଏହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସଂସ୍କରଣର ମୁଖ୍ୟ ସମୟ, କିନ୍ତୁ ନୟାଗାଓଁର ବାସିନ୍ଦାମାନଙ୍କ ମନରେ କ୍ରିକେଟ୍ ଚିନ୍ତା ନାହିଁ । ନିକଟବର୍ତ୍ତୀ ଧୁମାସପୁର ଗାଁରେ ହୋଇଥିବା ହିଂସାର ଛାୟା ଏବେ ମଧ୍ୟ କୁହୁଳୁଛି। ଚଳିତବର୍ଷ ମାର୍ଚ୍ଚ ୨୧ ତାରିଖରେ ହୋଲି ଦିନ କ୍ରିକେଟ୍ ଖେଳୁଥିବା ଯୁବଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେବା ଯୋଗୁ ଏକ ମୁସଲିମ ପରିବାର ଉପରେ ଆକ୍ରମଣ ହୋଇଥିଲା । ସେହି ଘଟଣାକୁ ମିଡିଆ ବ୍ୟାପକ ଭାବେ ପ୍ରକାଶ କଲା । ଆକ୍ରମଣକାରୀମାନେ ବାଡ଼ି ଏବଂ ରଡ୍ ବ୍ୟବହାର କରିବା ସହିତ ସେହି ପରିବାରକୁ ‘ପାକିସ୍ତାନକୁ ଯାଅ ଏବଂ କ୍ରିକେଟ୍ ଖେଳ’ କହିଥିଲେ । ହିସାଂକାଣ୍ଡ ଘଟାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ନୟାଗାଓଁର।

ଜଣେ ୩୧ ବର୍ଷୀୟା ଗୃହିଣୀ ରାକ୍ଷୀ ଚୌଧୁରୀ କହିଲେ “ପୁଲିସ ଏହି ଅଞ୍ଚଳର ଅନ୍ୟ ସମସ୍ୟାଗୁଡ଼ିକ ପରି ଆକ୍ରମଣ ଘଟଣାରେ ଠିକ୍ ଭାବେ ପଦକ୍ଷେପ ନେଲାନାହିଁ ।’’ ‘‘ଏଠାରେ ଯେତେବେଳେ କୌଣସି  ବିବାଦ ହୁଏ  ସେହି ସମୟରେ ହସ୍ତକ୍ଷେପ କରିବା ଲାଗି ଆମେ ୮-୧୦ ଜଣ ମହିଳାଙ୍କୁ ନେଇ ଏକ ଟିମ୍ ଗଠନ କରିଛୁ (ସାଧାରଣତଃ ଗାଁ ପିଲାମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କଲେ ବା ଯୌନ ନିର୍ଯ୍ୟାତନା ଦେବା ଘଟଣାରେ ସେମାନେ ହସ୍ତକ୍ଷେପ କରନ୍ତି) । କେବଳ ଏହା ମାଧ୍ୟମରେ ଆମେ ନିଜକୁ ରକ୍ଷା କରିପାରିବୁ । ପୁଲିସକର୍ମୀମାନେ ହୁଏତ ଟ୍ରାଫିକ୍ ଡ୍ୟୁଟି କରନ୍ତି ନ ହେଲେ ଏହି ଅଞ୍ଚଳକୁ ରାଜନେତାମାନେ ଆସିଲେ ସେମାନଙ୍କୁ ନେଇ ବ୍ୟସ୍ତ ରହନ୍ତି । ସେ ଯାହାହେଉ ଧନୀ ଲୋକମାନେ ସେମାନଙ୍କୁ ଡାକିଲେ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି । ଆମକୁ କୀଟପତଙ୍ଗ ଭଳି ବ୍ୟବହାର କରାଯାଏ ।’’

ରାକ୍ଷୀ ନୟାଗାଓଁର କ୍ରିଷ୍ଣାକୁଞ୍ଜ କଲୋନୀରେ ରୁହନ୍ତି । (ଏହି ଗାଁରେ ମଧ୍ୟ ମାରୁତି କୁଞ୍ଜ କଲୋନୀ ରହିଛି, ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀ ଯେତେବେଳେ ୧୯୭୦ ମସିହାରେ ଜାପାନର କାର୍ ନିର୍ମାତା ମାରୁତି କଂପାନିକୁ ଏଠାରେ ଦୋକାନ କରିବା ଲାଗି ନିମନ୍ତ୍ରଣ କରିଥିଲେ ସେତେବେଳେ ଏହି କଲୋନୀର ଏପରି ନାମକରଣ କରାଯାଇଥିଲା । ମାରୁତିରେ କାମ କରୁଥିବା ଶ୍ରମିକମାନଙ୍କୁ ଏଠାରେ ଘର ଦିଆଯାଇଥିଲା ।)

ଜାନୁୟାରୀ ୨୦୧୬ରେ  ହରିଆନାର ଗୁରୁଗ୍ରାମ ଜିଲ୍ଲାର ସୋହନା ତହସିଲର ଭୋଣ୍ଡସୀ ଗ୍ରାମଠାରୁ ଅଲଗା ହୋଇ ନୟାଗାଓଁ ଏକ ସ୍ୱତନ୍ତ୍ର ପଞ୍ଚାୟତ ହୋଇଥିଲା । ଗୁରୁଗ୍ରାମ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଏହି ଗାଁର ଲୋକମାନେ ମେ ୧୨ ତାରିଖରେ ଭୋଟ ଦେବେ ।

୨୦୧୪ରେ, (ପ୍ରାୟ ୧୮.୪୬ ଲକ୍ଷ ମତଦାତା)ଙ୍କ ମଧ୍ୟରୁ୧୩.୨୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଗୁରୁଗ୍ରାମରେ ବିଜେପିର ରାଓ ଇନ୍ଦ୍ରଜିତ ସିଂହ ଦଳକୁ ପ୍ରଥମ ବିଜୟ ଦେଇଥିଲେ । ସେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପ୍ରାର୍ଥୀ ଜାକିର ହୁସେନଙ୍କୁ ପ୍ରାୟ ୨, ୭୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । କଂଗ୍ରେସର ରାଓ ଧର୍ମପାଲ ସିଂହ ଯାହାଙ୍କର ୨୦୦୯ ପର୍ଯ୍ୟନ୍ତ ଗୁରୁଗ୍ରାମରେ ଦବଦବା ରହିଥିଲା  ସେ ମୋଟ ୧୩୩,୭୧୩ ଖଣ୍ଡ ଭୋଟ ବା ୧୦.୧୨% ଭୋଟ ପାଇଥିଲେ । ଆମ ଆଦମୀ ପାର୍ଟିର ଯୋଗେନ୍ଦ୍ର ଯାଦବ ମୋଟ ଭୋଟର ୬.୦୨ ପ୍ରତିଶତ ବା ୭୯,୪୫୬ ଖଣ୍ଡ ଭୋଟ ପାଇଥିଲେ ।

woman
PHOTO • Shalini Singh
Women posing
PHOTO • Shalini Singh
Woman posing by the national flag
PHOTO • Shalini Singh

ରାକ୍ଷୀ ଚୌଧୁରୀ (ବାମ), ରୁବି ଦାସ ଓ ତାଙ୍କର ମା’ ପ୍ରଭା (କେନ୍ଦ୍ର) ଏବଂ ଏଠାକାର ଅନ୍ୟ ମହିଳାମାନଙ୍କ ପାଇଁ ନିରାପତ୍ତା ଏବଂ ପରିବହନ ଦୀର୍ଘ ଦିନ ଧରି ଅବହେଳିତ ହୋଇପଡ଼ିଥିବା ସମସ୍ୟା ଭାବେ ରହିଛି । ଯଦିଓ କିଛି କଥାରେ ପରିବର୍ତ୍ତନ ହୋଇଛି ବୋଲି ପୂଜା ଦେବୀ (ଡାହାଣ) ବିଶ୍ୱାସ କରୁଛନ୍ତି ।

ରାଓ ଇନ୍ଦ୍ରଜିତ ସିଂହ ପୁଣିଥରେ ୨୦୧୯ର ଲୋକସଭା ନିର୍ବାଚନ ଲଢୁଛନ୍ତି । ଅନ୍ୟ ଦୁଇ ମୁଖ୍ୟପ୍ରାର୍ଥୀ ହେଲେ କଂଗ୍ରେସର (ଅବସରପ୍ରାପ୍ତ) କ୍ୟାପଟେନ୍ ଅଜୟ ସିଂହ ଯାଦବ ଏବଂ ରାଜନୀତିକୁ ପ୍ରଥମ ଥର ପାଇଁ ପ୍ରବେଶ କରିଥିବା ଜନନାୟକ ଜନତା ପାର୍ଟି- ଆମ ଆଦମୀ ପାର୍ଟିର ଡକ୍ଟର ମେହମୁଦ ଖାନ୍ ।

ଦୁଇଟି ଯାକ ନିର୍ବାଚନରେ ରାକ୍ଷୀ ଏବଂ ଏଠାକାର ଅନ୍ୟମହିଳା ଭୋଟରମାନଙ୍କ ପାଇଁ ପ୍ରସଙ୍ଗଗୁଡ଼ିକ ସମାନ ରହିଛି-ନିରାପତ୍ତା ସେମାନଙ୍କର ଦାବି ତାଲିକାର ଶୀର୍ଷରେ ରହିଛି । ୨୦ ବର୍ଷୀୟା ଛାତ୍ରୀ ରୁବି ଦାସ ଯିଏକି କ୍ରିଷ୍ଣାକୁଞ୍ଜରେ ରହନ୍ତି ସେ କହିଲେ, ଗାଁ ନିକଟରେ ଥିବା ମଦ ଦୋକାନଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି । “ଏବେ ଆହୁରି  ସଂଖ୍ୟକ ମଦୁଆ ଆମ ଚାରିପାଖରେ ରହୁଛନ୍ତି । ପୁଲିସ ଅଭିଯୋଗ ଶୁଣୁନାହିଁ । ନିକଟରେ ଜଣେ ଲୋକ ଯେତେବେଳେ ପୁଲିସକର୍ମୀମାନେ ବସିଥିବା ଏକ ଦୋକାନରେ ଜଣେ ମହିଳାଙ୍କୁ ପିଟିଲେ, ସେମାନେ ହସ୍ତକ୍ଷେପ କରିବାକୁ ଉଦ୍ୟମ ବି କଲେନାହିଁ । ଯେତେବେଳେ ଆମେ କଲେଜ ବା ସ୍କୁଲକୁ ଯାତାୟତ କରୁଛୁ (ସ୍ଥାନୀୟ ବସ୍ ବା ଅଟୋରିକ୍ସା ମାଧ୍ୟମରେ) ସେତେବେଳେ ବାଇକ୍‌ରେ ଆସୁଥିବା ଯୁବକମାନେ ଆମକୁ ଅସଦାଚରଣ ପ୍ରଦର୍ଶନ କରିବା ଲାଗି ଆମ ଚାରିପଟେ ଘୂରିଥାନ୍ତି । ରାସ୍ତାଗୁଡ଼ିକର ଅବସ୍ଥା ଏତେ ଶୋଚନୀୟ ଯେ ତୁମେ ଶୀଘ୍ର ଶୀଘ୍ର ଚାଲି ବି ପାରିବନାହିଁ ।’’

ବିଜେପିର ରାଓ ଇନ୍ଦ୍ରଜିତ୍ ସିଂହ ପୁଣିଥିରେ ୨୦୧୯ର ଲୋକସଭା ନିର୍ବାଚନ ଲଢୁଛନ୍ତି । ଅନ୍ୟ ଦୁଇ ମୁଖ୍ୟ ପ୍ରାର୍ଥୀ ହେଲେ କଂଗ୍ରେସର ଅଜୟ ସିଂହ ଯାଦବ ଏବଂ ରାଜନୀତିକୁ ପ୍ରଥମ ଥର ପ୍ରବେଶ କରିଥିବା ଜନଜାୟକ ଜନତା ପାର୍ଟି-ଆମ ଆଦମୀ ପାର୍ଟିର ମେହମୁଦ୍ ଖାନ୍ ।

ଭୋଣ୍ଡସୀର ଲିଙ୍ଗ ଅନୁପାତ ହରିଆନାର ଅନ୍ୟ ଭାଗର ଲିଙ୍ଗ ଅନୁପାତଠାରୁ ଉଲ୍ଲେଖନୀୟ ଭାବେ କମ୍ । (୨୦୧୧ ଜନଗଣନା) ଅନୁସାରେ ହରିଆନାର ଅନ୍ୟଭାଗରେ ୧୦୦୦ ପୁରୁଷଙ୍କ ତୁଳନାରେ ୮୭୯ ଜଣ ମହିଳା ରହୁଥିବା ବେଳେ ଭୋଣ୍ଡସୀରେ ମହିଳାଙ୍କ ସଂଖ୍ୟା ୬୯୯ । ନୟାଗାଓଁଠାରୁ ପ୍ରାୟ ୧୫୦ କିମି ଦୂର ହରିଆନାର ଜିନ୍ଦ ତହସିଲର ବିବିପୁରର ଗାଁର ପୂର୍ବତନ ସରପଞ୍ଚ ସୁନୀଲ ଜଗଲାନ୍ କହିଲେ ଏହା ମୁଖ୍ୟତଃ ଏକ ଗୁଜ୍ଜର ବହୁଳ ଅଞ୍ଚଳ ଏବଂ ଏଠାକାର ଅନ୍ୟ ମୁଖ୍ୟ ସଂପ୍ରଦାୟ ହେଲେ ରାଜପୁତ ଏବଂ ଯାଦବ । (ସୁନୀଲ ୨୦୧୫ରେ ‘ସେଲ୍ଫି ୱିଥ୍ ଡଟର’ ଅଭିଯାନ ଆରମ୍ଭ କରିଥିଲେ।) ତାଙ୍କ ଅନୁସାରେ “ଯାଦବମାନେ ଗତ ୭-୮ ବର୍ଷ ହେଲା ସେମାନଙ୍କର ଝିଅମାନଙ୍କୁ ପାଠପଢିବା ଲାଗି ଉତ୍ସାହିତ କରି ଉନ୍ନତି କରିସାରିଲେଣି । କିନ୍ତୁ ଗୁଜ୍ଜରମାନେ ନୁହନ୍ତି ।’’ “ଏପରିକି ଅନେକ ଗୁଜ୍ଜର ଝିଅ ଅଷ୍ଟମ ଶ୍ରେଣୀରୁ ବିବାହ କରିଯାଉଛନ୍ତି । ମୁଁ ଏଠାକାର ଝିଅମାନଙ୍କୁ  ଜରୁରୀକାଳୀନ ପରିସ୍ଥିତି ବା କିଛି ସମସ୍ୟା ପାଇଁ ସେମାନଙ୍କର ମୋବାଇଲ୍‌ରେ ସିଧାସଳଖ ଭାବେ ଡିସିପି (ଡେପୁଟି କମିଶନର ଅଫ୍ ପୁଲିସ)ଙ୍କ ଫୋନ ନମ୍ବର ରଖିବା ଲାଗି ସୁନିଶ୍ଚିତ କରିବାକୁ ଉଦ୍ୟମ କରିଛି ।’’

ଭିତ୍ତିଭୂମି ମଧ୍ୟ ଏଠାରେ ଏକ ବଡ଼ ସମସ୍ୟା । ନୂଆ ଗାଁର ପ୍ରକୃତ ସୀମା ଏବେ ଯାଏ ନିର୍ଦ୍ଧାରଣ ହୋଇପାରିନାହିଁ । ସେହିପରି ଭିତ୍ତିଭୂମି ପାଇଁ ଆବଣ୍ଟନ ହୋଇଥିବା ୨୩ କୋଟି ଟଙ୍କା ମଧ୍ୟ ଆସିନାହିଁ ବୋଲି ନୟାଗାଓଁ ସରପଞ୍ଚ ସୁରଜ୍ଞାନ ସିଂହ କହିଛନ୍ତି । ଗାଁର ରାସ୍ତାଗୁଡ଼ିକ ଅସମତଳ ଏବଂ ଭାଙ୍ଗିରୁଜି ଯାଇଥିବାବେଳେ ସେଠାରେ ଡ୍ରେନ୍‌ର ସୁବିଧା ନାହିଁ ।  ଗାଁର ଛାତଗୁଡ଼ିକରେ ବିଦ୍ୟୁତ ତାର ଗୁଡ଼ାଗୁଡ଼ି ହୋଇପଡ଼ିଛି, ଏହାଯୋଗୁ ପଡୋଶୀମାନଙ୍କ ମଧ୍ୟରେ ଝଗଡ଼ା ଲାଗୁଛି ।

୪୬ ବର୍ଷୀୟ ଅୱଧେଶ କୁମାର ଶାହ କହିଲେ, “ମୋ’ କଲୋନୀର ଛଅଟି ବଡ଼ ଗଳି ମଧ୍ୟରୁ କେବଳ ମାତ୍ର ଗୋଟିଏ ଗଳିରେ ବିଦ୍ୟୁତ ଖୁଣ୍ଟ ରହିଛି । ଅନ୍ୟଗୁଡ଼ିକରେ ତାରଗୁଡ଼ିକ ଛନ୍ଦି ହୋଇରହିଛି ଏବଂ ଲୋକମାନେ ତାକୁ କାଟି ଦେଉଛନ୍ତି, ଫଳରେ ତାରଗୁଡ଼ିକ ବିପଜ୍ଜନକ ଭାବେ ଝୁଲି ରହୁଛି । ଏହାଯୋଗୁ ଝଗଡ଼ା ହେଉଛି, ଆମେ କ’ଣ କରିପାରିବୁ?’’ ଅୱଧେଶ ମୂଳତଃ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ବାସିନ୍ଦା, ଏବେ ସେ ମୟୁରକୁଞ୍ଜରେ ଏକୁଟିଆ ରହୁଛନ୍ତି । ସେହି ଗାଁରେ ସେ ଏକ ଛୋଟିଆ ହୋମିଓପ୍ୟାଥି ଔଷଧ ଦୋକାନ କରିଛନ୍ତି । ସେଥିରୁ ଦିନକୁ ତାଙ୍କର ୫୦-୧୦୦ ଟଙ୍କା ରୋଜଗାର ହେଉଛି ।

ରାକ୍ଷୀ ଯାହାଙ୍କର ସ୍ୱାମୀ ମାନେସରରେ ଏକ କପଡ଼ା ରପ୍ତାନୀ କଂପାନିରେ କାମ କରୁଛନ୍ତି ସେ କହିଲେ, “ଯଦିଓ ଆମେ ଆମର ୫୦ ଗଜ (୪୫୦ ବର୍ଗଫୁଟ)ର ଘରକୁ ଏଠାରେ ୧୭ ଲକ୍ଷ ଟଙ୍କା ବିନିମୟରେ ତିଆରି କରିଛୁ (ପାଲମ ବିହାର ତୁଳନାରେ ଖୁବ୍ ଅଧିକ ଦାମ୍‌ରେ), ତେବେ ପାଲମ ବିହାରରେ ଯେଉଁଠାରେ ଆମେ ପୂର୍ବରୁ ଭଡ଼ାରେ ରହୁଥିଲୁ ସେଠାରେ ଜୀବନ ଭଲ ଥିଲା । ସେଠାରେ ନିରାପତ୍ତା, ପରିଚ୍ଛନ୍ନତା ଥିଲା...। ଏଠାରେ ପିଲାମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ। ପାର୍କ ନାହିଁ କି ହସ୍ପିଟାଲ ନାହିଁ, କେବଳ ଅଷ୍ଟମ ଶ୍ରେଣୀ ଯାଏ ପଢିବା ଲାଗି ଏକ ସରକାରୀ ସ୍କୁଲ ରହିଛି ।’’

ଯାତାୟତ ସମସ୍ୟା ଯୋଗୁଁ ଅଟୋରିକ୍ସା ଏବଂ ସ୍କୁଲ ଭ୍ୟାନ୍ ଡ୍ରାଇଭରମାନେ ମନଇଚ୍ଛା ଦର କଷୁଛନ୍ତି । ରୁବି କହିଲେ, “ସ୍କୁଲ ଭ୍ୟାନ୍‌ଗୁଡ଼ିକ ସାଧାରଣ ଭଡ଼ା ଅପେକ୍ଷା ଅଧିକ ଟଙ୍କା ଦାବି କରୁଛନ୍ତି । ଅଟୋ ଡ୍ରାଇଭର ଯଦି ତାର ଗାଡ଼ିକୁ ଫୁଲ୍ କରିବା ଲାଗି ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ପାଇଲା ତା’ ହେଲେ ସେ ଆପଣଙ୍କୁ ଅନ୍ୟ ଯାତ୍ରୀଙ୍କ ପାଇଁ ଟଙ୍କା ଦେବାକୁ କହିବ । ଯଦି ତୁମେ ଅଭିଯୋଗ କରିବ ତା’ ହେଲେ ତୁମେ ନ ଯାଅ ବୋଲି ସେ କହିବ । ଏଠାରେ କୌଣସି ପ୍ରକାର ଯାତାୟତ ସୁବିଧା ନଥିବାରୁ ଅନେକ ଝିଅ କଲେଜ ପାଠପଢା ଛାଡିଦେଉଛନ୍ତି। ଏଠାରୁ ନିକଟବର୍ତ୍ତୀ ମେଟ୍ରୋ ଷ୍ଟେସନ୍ ହେଉଛି ହୁଡା (ନୟାଗାଓଁ ଏବଂ ଭୋଣ୍ଡସୀଠାରୁ ପ୍ରାୟ ୧୩-୧୫ କିମି ଦୂର) । ଏଠାରୁ (ରାଜ୍ୟ ପରିବହନ ନିଗମ)ର ଏକ ବସ୍ ଯାଉଥିଲା, କିନ୍ତୁ ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି ।’’

Street
PHOTO • Sunil Jaglan
Electricity post
PHOTO • Sunil Jaglan

ଦିଲ୍ଲୀରୁ ଯିବା ରାସ୍ତାରେ ଗୁରୁଗ୍ରାମରେ ବହୁତ ବଡ଼ ବଡ଼ ଅଟ୍ଟାଳିକା ରହିଛି, ନୟାଗାଓଁର ଭଙ୍ଗା ରାସ୍ତା, ଖୋଲା ନାଳ ଏବଂ ଝୁଲୁଥିବା ବିଦ୍ୟୁତ ତାର ଠାରୁ ଏହା ବେଶୀ ଦୂର ନୁହେଁ ।

ସେ ତାଙ୍କର ବାପା ଯିଏକି ଏକ ଆବାସିକ କଂପ୍ଲେକ୍ସରେ ମାଳୀ ଭାବେ କାମ କରନ୍ତି ତାଙ୍କ ସହିତ ସକାଳ ୯ଟାର କ୍ଲାସ୍ ପାଇଁ ୫ଟାରୁ ଘରୁ ବାହାରିଯାଆନ୍ତି । ଯଦିଓ ତାଙ୍କର କୋଚିଂ ସେଣ୍ଟର ତାଙ୍କ ଘରଠାରୁ ମାତ୍ର ୪୫ ମିନିଟ୍ ଦୂର । ସେ ନ୍ୟାସନାଲ ଇଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ (ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ) ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ କହିଲେ, “ମୋତେ କୋଚିଂ ସେଣ୍ଟରରେ ଛାଡ଼ିବା ଲାଗି ଆମକୁ ବିଭିନ୍ନ ବସ୍ ଏବଂ ଅଟୋ ପରିବର୍ତ୍ତନ କରିବାକୁ ପଡ଼େ ଏବଂ ପରେ ବାପା କାମକୁ ଯାଆନ୍ତି ।’’ ତାଙ୍କର ୩୮ ବର୍ଷୀୟା ମା’ ପ୍ରଭା ଦାସ ୧୦-୧୫ କିମି ଦୂରରେ ଏକ ମଲ୍‌ରେ ଥିବା ବୁଟିକ୍‌ରେ କାମ କରନ୍ତି । ସେ ମାସିକ ୧୦ ହଜାର ଟଙ୍କା ରୋଜଗାର କରନ୍ତି । ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ ।

କିଛି ଲୋକ ଗୁରୁଗ୍ରାମକୁ ‘ମିଲେନିୟମ୍ ସିଟି’ ବୋଲି କହୁଛନ୍ତି; ଏହା ଭାରତର ମୁଖ୍ୟ ‘ଟେକ୍ନୋଲୋଜି ହବ୍’ ମଧ୍ୟରୁ ଅନ୍ୟତମ ଏବଂ ଏଠାରେ ଅନେକ ଫ୍ୟାନ୍ସି ମଲ୍, ବ୍ୟୟବହୁଳ ଘରୋଇ ସ୍କୁଲ, ଉଚ୍ଚ ଆବାସିକ କଂପ୍ଲେକ୍ସ, ବଡ଼ ଗଲ୍ଫ କୋର୍ସ ଏବଂ ଅନେକ ସଂଖ୍ୟାରେ ଫର୍ଚୁନ୍ ୫୦୦ କଂପାନି ରହିଛି । ସେଣ୍ଟ୍ରାଲ ଦିଲ୍ଲୀଠାରୁ ୪୫ କିମି ଦୂର ଗାଡ଼ିରେ ଯାତ୍ରୀ କଲେ ଆହୁରି ଅଧିକ ବଡ଼ ଅଟ୍ଟାଳିକା ଆପଣଙ୍କ ନଜରରେ ପଡ଼ିବ । ନୟାଗାଓଁ ଏବଂ ଭୋଣ୍ଡସୀର ଭଙ୍ଗା ରୋଡ୍ ଓ ଖୋଲା ନଳାଠାରୁ ଏହା ସଂପୂର୍ଣ୍ଣ ବିପରୀତ।

କିଛି ଉନ୍ନତି ହୋଇଛି କି? ୩୦ ବର୍ଷୀୟ ଗୃହିଣୀ ପୂଜା ଦେବୀ ଯାହାଙ୍କ ସ୍ୱାମୀ ଗୁରୁଗ୍ରାମରେ ଅଟୋରିକ୍ସା ଚଳାନ୍ତି ସେ କହିଲେ, “ଦୁର୍ନୀତି ଏବଂ ଲାଞ୍ଚ ଦେବା କମିଯିବା ଭଳି ଲାଗୁଛି।’’ “ଅଜାଆଈମାନେ ସେମାନଙ୍କର ପେନସନ୍ ପାଉଥିବା କଥା ଆମକୁ ଜଣାଉଛନ୍ତି । ଆମ ସମସ୍ତଙ୍କର ଗ୍ୟାସ୍ ସଂଯୋଗ ରହିଛି । ଚାଲାଣକୁ ମିଶାଇ ଅନଲାଇନ୍ ପେମେଣ୍ଟ ଏବଂ କାରବାର ଏବେ ଆମର ମୋବାଇଲ୍ ମାଧ୍ୟମରେ ହୋଇପାରୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଆମକୁ ‘ହମ୍ ଭି କୁଛ୍ ହେଁ’ (ଆମେ ମଧ୍ୟ କେହି) ବୋଲି ଅନୁଭବ କରାଇଛନ୍ତି ।’’

ସରପଞ୍ଚ ସୁରଜ୍ଞାନ ସିଂହ ଅସହ୍ୟ ଗରମରେ ଏକତ୍ରିତ ହୋଇଥିବା ଲୋକମାନଙ୍କୁ ଶାସକ ଦଳ ପାଇଁ ଭୋଟ୍ ଦେବାକୁ ପ୍ରବର୍ତ୍ତାଇଲେ। ସେମାନଙ୍କୁ ଏକ ସୁଯୋଗ ଦିଅ ବୋଲି ସେ କହିଲେ ।  ସାଂସଦ ରାଓ ଇନ୍ଦ୍ରଜିତ ସିଂହ ସେଠାକୁ ଗସ୍ତ କରିବାର ଦିନକ ପୂର୍ବରୁ ପୂଜା କହିଲେ, “ଆମେ ବିଜେପି ପ୍ରତିନିଧିମାନଙ୍କୁ ଆମର ଦାବି ସଂପର୍କରେ କହି ସେମାନେ ରାଜି ବୋଲି ଷ୍ଟାମ୍ପ ପେପରରେ ଲେଖାଇବୁ, ନ ହେଲେ ଚଳିତବର୍ଷ ଶେଷକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେମାନଙ୍କୁ ଭୋଟ ଦେବୁ ନାହିଁ।’’

ପରଦିନ ଜଗଲାନ୍ ମୋତେ ଫୋନ୍‌ରେ କହିଲେ ଯେ, “ରବିବାର ଦିନ (ମେ ୫ ତାରିଖରେ) ସେ ମାତ୍ର ୫ ମିନିଟ୍ ପାଇଁ ସେଠାକୁ ଆସିଥିଲେ । ସେହିପରି ଯଦି ସେମାନେ ଜିତନ୍ତି ତା’ ହେଲେ ସେମାନଙ୍କ ଦ୍ୱାରା ଯାହା ସମ୍ଭବ ତାହା କରିବେ ଏତିକି ମାତ୍ର  କହିଥିଲେ ।’’ ଅନ୍ୟ ଦୁଇ ପ୍ରାର୍ଥୀ ଅଜୟ ସିଂହ ଯାଦବ ଏବଂ ମେହମୁଦ୍ ଖାନ୍ ଏବେଯାଏ ନୟାଗାଓଁରେ ପାଦ ପକାଇ ନାହାନ୍ତି ।

Group of people posing
PHOTO • Shalini Singh
Man poses in front of a dispensary
PHOTO • People's Archive of Rural India

ବାମ: ସୁନୀଲ ଜଗଲାନ୍ କହିଲେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ପାଇଁ ଏଠାକାର ଝିଅମାନେ ଯେପରି ଡିସିପିଙ୍କର ଫୋନ୍ ନମ୍ବର ରଖିବେ ତାହା ସୁନିଶ୍ଚିତ କରିବାକୁ ମୁଁ ଉଦ୍ୟମ କରିଛି ।’ ଡାହାଣ: ଅୱଧେଶ ଶାହା କହିଲେ ‘ମୋ’ କଲୋନୀର ୬ଟି ବଡ଼ ଗଳି ମଧ୍ୟରୁ କେବଳ ଗୋଟିଏ ଗଳିରେ ବିଜୁଳି ଖୁଣ୍ଟ ରହିଛି ।

ଅୱଧେଶ ଶାହ କହିଲେ, “ଯେତେବେଳେ ରାଓ ଇନ୍ଦ୍ରଜିତ ସିଂହ ଗତ ରବିବାର ଗାଁକୁ ଆସିଥିଲେ ସେ ମୋଦିଙ୍କ ନାଁ ନେଇ ଭୋଟଭିକ୍ଷା କରିଥିଲେ। ଅଧିକାଂଶ (ବିଜେପି) ନେତା ମୋଦିଙ୍କ ନାଁରେ ଭୋଟ ଭିକ୍ଷା କରନ୍ତି।’’ “ମୁଁ କହିବି ଯେ ଚଳିତ ନିର୍ବାଚନରେ ଏଠାକାର ପ୍ରାୟ ୮୦ ପ୍ରତିଶତ ଭୋଟ ବିଜେପିକୁ ଯିବ, ମୋଦିଙ୍କ ନାଁ ଏବଂ ଦେଶର ସୁରକ୍ଷା ପାଇଁ ଏହି ଭୋଟ୍ ମିଳିବ ।’’

ହୋଲି ଦିନ ଧୁମାସପୁରରେ ହୋଇଥିବା ହିଂସା ଘଟଣାକୁ ଶାହ ଏକ ନିର୍ବାଚନୀ ପ୍ରସଙ୍ଗ ବୋଲି ମନେ କରୁନାହାନ୍ତି । “ମୁଁ ମନେ କରୁନାହିଁ ଯେ ଏହା ଭୋଟକୁ ପ୍ରଭାବିତ କରିବ କାରଣ ସେହି ଘଟଣା ଦୁଇ ସପ୍ତାହ ମଧ୍ୟରେ ଶାନ୍ତ ପଡ଼ିଯାଇଥିଲା । ଏବେ ପ୍ରାୟ ୨ ମାସ ବିତିଗଲାଣି... ।’’

ଇତିମଧ୍ୟରେ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ହୋଲି ଦିନ ଆକ୍ରମଣର ଶିକାର ହୋଇଥିବା ପରିବାର ସେମାନଙ୍କର ଏଫଆଇଆର (ଫାଷ୍ଟ ଇନଫରମେସନ୍ ରିପୋର୍ଟ)କୁ ଏପ୍ରିଲ ମାସରେ ପ୍ରତ୍ୟାହାର କରିନେଇଛନ୍ତି-ଭୋଣ୍ଡସି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିବାର ୩ ସପ୍ତାହ ପରେ ସେମାନେ ଏହାକୁ ଫେରାଇ ନେଲେ । ଉଭୟ ପକ୍ଷ ବୋଧହୁଏ କୌଣସି ପ୍ରକାର ବୁଝାମଣାରେ ଉପନୀତ ହୋଇଛନ୍ତି ।

ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୋଗକାରୀ ମହମ୍ମଦ ଦିଲମାଦ ମୋତେ କହିଲେ “ଘଟଣାର ସମାଧାନ ହୋଇସାରିଛି । ଲୋକମାନେ ଏ ସଂପର୍କରେ ଅଧିକ କଥା ଚିନ୍ତା କରୁନାହାନ୍ତି କିମ୍ବା କଥା ହେଉନାହାନ୍ତି, କାହା ପାଖରେ ସମୟ ଅଛି? ସମସ୍ତଙ୍କୁ ସେମାନଙ୍କର ଜୀବନକୁ ଫେରିବାକୁ ଅଛି ଏବଂ କାମ  କରିବାକୁ ଅଛି ।’’

ସେ କହିଲେ “ମୁଁ ଜଣେ ଚାକିରିଆ ଲୋକ । ମୋ ପାଖରେ ଅଧିକ ସମୟ ନାହିଁ । ଯଦି ମୁଁ ସମୟ ପାଏ ତା’ ହେଲେ ଯିବି ଏବଂ ମୋର ଭୋଟ ଦେବି ।’’ “ଯେକୌଣସି ମାମଲାରେ ପ୍ରସଙ୍ଗ କ’ଣ? ଜାତିୱାଦ (ଜାତିବାଦ)କୁ ରାଜନେତାମାନେ ସେମାନଙ୍କର ବ୍ୟକ୍ତିଗତ ସୁବିଧା ପାଇଁ ସବୁଆଡେ ବ୍ୟବହାର କରୁଛନ୍ତି । କୌଣସି ଦଳ ଆପଣଙ୍କ ପାଇଁ ପ୍ରକୃତରେ କ’ଣ କରିବେ ତାହା କହୁନାହାନ୍ତି, ସେମାନେ ପ୍ରକୃତରେ ରାସ୍ତା ତିଆରି କରିବେ କି ଚାକିରି ଦେବେ କିମ୍ବା ବିଜୁଳି ଯୋଗାଇବେ ଇତ୍ୟାଦି କିଛି ସ୍ପଷ୍ଟ କରୁନାହାନ୍ତି । ସବୁବେଳେ ଏହା ହିନ୍ଦୁ-ମୁସଲିମ ପ୍ରସଙ୍ଗ ହୋଇ ରହିଛି । ପ୍ରକୃତରେ ଜଣେ ହିନ୍ଦୁ ବା ମୁସଲିମ ତାହା କିଛି ମାନେ ରଖେନାହିଁ, ଜନହିତକର ପ୍ରସଙ୍ଗର ସମାଧାନ ହେବା କଥା ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

शालिनी सिंग काउंटरमीडिया ट्रस्टची संस्थापक विश्वस असून ही संस्था पारीचं काम पाहते. शालिनी दिल्लीस्थित पत्रकार असून पर्यावरण, लिंगभाव आणि सांस्कृतिक विषयांवर लेखन करते. २०१७-१८ साली ती हार्वर्ड विद्यापीठाची नेइमन फेलो होती.

यांचे इतर लिखाण शालिनी सिंग
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE