ଗୋଟିଏ ଶନିବାର ଅପରାହ୍ନରେ ଆମେ ରାମଲକ୍ଷ୍ମୀ ବୁଣାକାର କଲୋନୀ ପାଖରେ ପହଞ୍ଚିବାକୁ ବେଳକୁ ମଗଲୁ (ହସ୍ତଚାଳିତ ତନ୍ତ)ର ‘ଟକ-ଟକ’ ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅନୁମାନ ଏଠାରେ ପ୍ରାୟ ୧୪୦ଟି ପରିବାର ରୁହନ୍ତି ଓ କାମ କରନ୍ତି। ଅଧିକାଂଶ ବୁଣାକାରଙ୍କ ବୟସ ୬୦ରୁ ଅଧିକ। ସେମାନଙ୍କ ମଧ୍ୟରୁ କେତେକ ମୋତେ ଜଣେ ସରକାରୀ ଅଧିକାରୀ ବୋଲି ଧରିନେଇଥିଲେ। ଯିଏ କି ସେମାନଙ୍କୁ ମାସିକ ଟ. ୧୦୦୦ ପେନ୍ସନ ଦେବା ପାଇଁ ଆସନ୍ତି। ମୁଁ ଜଣେ ସାମ୍ବାଦିକ ଏହା ଜାଣି ସେମାନେ ହତାଶ ହେଲେ ।
ଯେତେବେଳେ ମୁଁ ତାଙ୍କୁ ପଚାରିଲି କାହିଁକି ଅଧିକାଂଶ ବୁଣାକାର ଏତେ ବୟସ୍କ, ସେତେବେଳେ ସେ ୭୩ ବର୍ଷ ବୟସ୍କ ବିଦୁମାତ୍ଲା କୋଟା ପୈଲାୟା ତାଙ୍କ ମଗମ (ଏକକ ତନ୍ତ)ରେ କାମ କରୁଥିବା ବେଳେ କହିଲେ, ‘‘କମ୍ ବୟସର ଲୋକମାନେ ଜୀବିକା ଓ କାମ ସନ୍ଧାନରେ ବାହାରକୁ ଚାଲିଯାଇଛନ୍ତି’’। ସେ କହିଲେ ଅଧିକାଂଶ ଯୁବକ କୃଷି କିମ୍ବା ନିର୍ମାଣ ଶ୍ରମିକ ଏବଂ ସେମାନେ ପେଦାନା ଏବଂ ଜିଲ୍ଲା ମୁଖ୍ୟାଳୟ ମଛଲିପଟନମ ଆଖପାଖରେ କାମ କରନ୍ତି।
ପୈଲାୟାଙ୍କ ବାର୍ଦ୍ଧକ୍ୟ ଭତ୍ତା ଯଦିଓ ଖୁବ୍ କମ୍ ତାହା ତାଙ୍କୁ ପତ୍ନୀଙ୍କ ପେନସନ ସହ ମିଶାଇ ଘର ଚଳାଇବାରେ ସାହାଯ୍ୟ କରେ। ବୟନକାର୍ଯ୍ୟରୁ ତାଙ୍କର ଆୟ ଯଥେଷ୍ଟ ନୁହେଁ- ଏହା ଦିନକୁ ପ୍ରାୟ ଟ ୧୦୦। ‘‘ମୁଁ ଟ ୩୦୦-୪୦୦ ରୋଜଗାର କରିବି ଯଦି ମୁଁ ଗୋଟିଏ ଶାଢ଼ୀ ସମ୍ପୂର୍ଣ୍ଣ କରିବା ପାଇଁ ତିନିଦିନ ପର୍ଯ୍ୟନ୍ତ ଦିନକୁ ୧୦-୧୨ ଘଣ୍ଟା କାମ କରିବି। ମୁଁ ଏହାକୁ ମୁଖ୍ୟ ବୁଣାକାରମାନଙ୍କ [ପେଦାନାରେ] ଦୋକାନରେ ବିକ୍ରୟ କରିବି, ଯେଉଁମାନେ କି ପ୍ରତ୍ୟେକ ଶାଢ଼ୀକୁ ଟ. ୬୦୦-୭୦୦ରେ ବିକ୍ରି କରି ଲାଭ ପାଆନ୍ତି। କେବଳ ଲୁଗା ବୁଣିବାରେ ଆଜିକାଲି ଆମେ ବଞ୍ଚିପାରିବୁ ନାହିଁ…’’








