ଛତିଶଗଡ଼ର ଆଦିବାସୀ ସଂପ୍ରଦାୟର ସଙ୍ଗୀତ ହେଉଛି ସ୍ଥିତିସ୍ଥାପକତାର ସଙ୍ଗୀତ-ଦଶନ୍ଧି ଦଶନ୍ଧି ଧରି ହିଂସାତ୍ମକ ସଂଘର୍ଷରେ ଘାଣ୍ଟି ହୋଇଥିବା ଲୋକଙ୍କର ସଙ୍ଗୀତ । ପ୍ରାୟତଃ ଢୋଲବାଦନ ସମ୍ମିଳିତ ଏହି ସଙ୍ଗୀତରେ ସେମାନେ କହନ୍ତି ସେମାନଙ୍କ କ୍ଷେତ, ସେମାନଙ୍କର ଜଙ୍ଗଲ, ସେମାନଙ୍କର ନିତିଦିନିଆ ଜୀବନ ଏବଂ ପ୍ରକୃତି ପୂଜନର କଥା । ଖୁବ୍ କମ୍ ବୟସରୁ ହିଁ ପରିବାରର ପିଲାମାନଙ୍କୁ ଏହି ସଙ୍ଗୀତ ଶିଖାଯାଏ ।
ଛତିଶଗଡ଼ର ଦକ୍ଷିଣରେ ଅବସ୍ଥିତ ବିଜାପୁର ଜିଲ୍ଲାରେ ଥିବା ଭୈରମଗଡ଼ ତହସିଲର ଫର୍ସେଗଡ଼ ଗାଁକୁ ଆମେ ୨୦୧୬ ମସିହା ଅଗଷ୍ଟରେ ଯାଇଥିଲୁ । ବିଜାପୁରରର ଜନସଂଖ୍ୟା ପ୍ରାୟ ୨୫୫,୦୦୦ (୨୦୧୧ ଜନଗଣନା) ଏବଂ ଏଥିରୁ ପ୍ରାୟ ୮୦ ପ୍ରତିଶତ ଅଧିସୂଚିତ ଜନଜାତି । ଫର୍ସେଗଡ଼ର ୧,୪୦୦ ବାସିନ୍ଦା ଏବଂ ଆଖପାଖ ଗାଁର ଲୋକଙ୍କ ମଧ୍ୟରୁ ଅଧିକାଂଶ ମୁରିଆ ଗୋଣ୍ଡ । ନକ୍ସଲପନ୍ଥୀ ଉଗ୍ରବାଦୀ, ରାଜ୍ୟ ସରକାର ଏବଂ ସରକାରଙ୍କ ସମର୍ଥିତ ସାଲୱା ଜୁଡୁମ୍ ସଂଗଠନ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଯୋଗୁଁ ପ୍ରଭାବିତ ଅନେକ ଗାଁ ମଧ୍ୟରୁ ଫର୍ସେଗଡ଼ ଗୋଟିଏ । ଗାଁର ଲୋକେ କହନ୍ତି ଯେ, ହିଂସାର ଏକ ଚିରକାଳୀନ ଚକ୍ରରେ ସେମାନେ ଫସି ଯାଇଛନ୍ତି ।
ଏହି ସଂଘର୍ଷରେ ସ୍ୱାମୀଙ୍କୁ ହରାଇଥିବା ଫର୍ସେଗଡ଼ର ଜଣେ ମହିଳା ପଚାରନ୍ତି, “ଗୋଟିଏ ପୁଅ ନକ୍ସଲ ଏବଂ ଅନ୍ୟ ଜଣକ ପୋଲିସ ସମର୍ଥକ ହୋଇଗଲେ ଆଉ କ’ଣ ବା ଘଟିବ? ଜଣେ ଅନ୍ୟ ଜଣକୁ ମାରିବାକୁ ବସିଲେ ପରିବାର ଲୋକେ କ’ଣ ବା କରିବେ ? ଏଇ ବାସ୍ତବିକତା ଭିତରେ ହିଁ ଆମେ ବଞ୍ଚିଛୁ ।” ୫୦ରୁ ଅଧିକ ବର୍ଷ ବୟସ୍କା ଏହି ମହିଳା ଜଣେ କୃଷକ ଏବଂ ସେ ତାଙ୍କ ନାଁ ଜଣାଇବାକୁ ରାଜି ନ ଥିଲେ । “ଆମେ ଅଧିକ ରୋଜଗାର କରୁନାହିଁ । ଆମେ ଏ କଥା ବି ଜାଣିନୁ ଯେ କାଲି ଆମେ ବଞ୍ଚିଥିବୁ କି ନାହିଁ । ଆଜି ଆମେ ବଞ୍ଚିଛୁ ଏବଂ ଆମେ କେବଳ ଏଇତକ କଥା ହିଁ ଚିନ୍ତା କରୁ।”
ଅନେକ ସରକାରୀ ଯୋଜନା ଫର୍ସେଗଡ଼ରେ ପହଞ୍ଚେ ନାହିଁ । ମନେହୁଏ, ଗୋଟିଏ ଆବାସିକ ବିଦ୍ୟାଳୟ, ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ହିଁ ଏଠାରେ ରାଜ୍ୟ ସରକାରଙ୍କ ଉପସ୍ଥିତିକୁ ବୁଝାଏ ।








