୧୮ ବର୍ଷ ବୟସରେ ୧୨ଶ ଶ୍ରେଣୀ ପାସ୍ କରିବା ପରେ ପାଣ୍ଡିଆ ଲକ୍ଷ୍ମଣା ରାଓ ଆଉ ଆଗକୁ ପଢ଼ିପାରିଲେ ନାହିଁ । ସେ କହନ୍ତି, “ଅଶ୍ୱାରାଓପେଟା ସହରର ଏକ ଡିଗ୍ରୀ କଲେଜ୍ରେ ନାମଲେଖା ପାଇଁ ମୋତେ ଏକ ଜାତିଗତ ପ୍ରମାଣପତ୍ର ଦେବାକୁ କୁହାଗଲା । ଯେହେତୁ ମୋର ତାହା ନ ଥିଲା, ମୁଁ ପାଠପଢ଼ା ବନ୍ଦ କରିବାକୁ ବାଧ୍ୟ ହେଲି ।”
ଲକ୍ଷ୍ମଣଙ୍କ ବୟସ ଏବେ ୨୩ ବର୍ଷ ଏବଂ ତାଙ୍କ ପରିବାରର ଏକ ଏକର ପୋଡୁ ଜମିରେ (ଚାଷ ପାଇଁ ବ୍ୟବହୃତ ଜଙ୍ଗଲ ଜମିରେ) କାମ ନଥିବା ସମୟରେ, ସେ ଜଣେ କୃଷି ଶ୍ରମିକ ଭାବେ ନାୟକୁଲାଗୁଡ଼େମ୍ ପଲ୍ଲୀରେ କାମ କରନ୍ତି ।
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଟି.ନରସାପୁରମ୍ ଏବଂ ଚିନ୍ତାଲାପୁଡ଼ି ମଣ୍ଡଳ ଅନ୍ତର୍ଗତ ପ୍ରାୟ ୩୦ଟି ଗାଁରେ ରହୁଥିବା ନାଇକପୋଡ୍ ଜନଜାତିର ବହୁ ଯୁବକଙ୍କର କାହାଣୀ ଏକାଭଳି। କୁସିନି ସୀତା ଏବଂ କୁସିନି ନାଗମଣି, ଦୁହିଁଙ୍କ ବୟସ ଏବେ ୧୮ ଏବଂ ୫ମ ଶ୍ରେଣୀ ପଢ଼ିବା ପରେ ଦୁହିଁଙ୍କୁ ସ୍କୁଲ୍ ଛାଡ଼ିବାକୁ ପଡ଼ିଲା। କାରଣ, ସେମାନଙ୍କ ପଲ୍ଲୀରୁ ପ୍ରାୟ ୫ କିଲୋମିଟର ଦୂର ମାରିଗୁଡ଼େମ୍ରେ ଆଦିବାସୀଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟରେ ସେମାନଙ୍କୁ ଅଧିସୂଚିତ ଜନଜାତି (ଏସ୍ଟି) ପ୍ରମାଣପତ୍ର ଦାଖଲ କରିବାକୁ କୁହାଗଲା । ନାଗମଣି କହନ୍ତି, “ଯେହେତୁ ଆମେ ଆଉ ଆଗକୁ ପଢ଼ି ପାରିବୁନି’’, ‘‘ଆମେ ଜଲ୍ଦି ବାହା ହୋଇଗଲୁ ଏବଂ ଏବେ ହୁଏତ ଆମେ ପୋଡୁ ଜମିରେ କାମ କରୁ କିମ୍ବା ଅନ୍ୟମାନଙ୍କ ମାଲିକାନାରେ ଥିବା ଜମିରେ କୃଷି ଶ୍ରମିକ ଭାବେ କାମ କରୁ ।”
ନାୟକୁଲାଗୁଡେମ୍ (ଏହି ଜନଜାତି ନାମରେ ନାମିତ) ପଲ୍ଲୀରେ ପ୍ରାୟ୧୦୦ ନାଇକପୋଡ୍ ପରିବାର ରହନ୍ତି। ସେମାନେ ପାଖ ଜଙ୍ଗଲ ଜମିରେ ଧାନ, ରାଜ୍ମା ଏବଂ ଅନ୍ୟାନ୍ୟ ଫସଲ କରନ୍ତି । ଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ମହୁ ସଂଗ୍ରହ କରି କିମ୍ବା ଜଙ୍ଗଲି ଜୀବ ଶିକାର କରି (ଖାଇବା ପାଇଁ) ସେମାନେ ଟି.ନରସାପୁରମ୍ ସହର ନିକଟ ସାପ୍ତାହିକ ବଜାରରେ ବିକ୍ରି କରନ୍ତି ।






