ତେବେ ସୌଭାଗ୍ୟବଶତଃ ନ୍ୟାୟ ପାଇଁ ନିଜ ସଂଗ୍ରାମରେ ପୁତୁଲ୍ ଏକୁଟିଆ ନୁହଁନ୍ତି । ସେ ଚାପ ଆଗରେ ହାରି ଯାଇ ନାହାଁନ୍ତି । ଯେଉଁ ଆଇଟି ପ୍ରଫେସନାଲ୍ଙ୍କ ଘରେ ପୁତୁଲ୍ ଘରୋଇ ସହାୟିକା ଭାବରେ କାମ କରୁଥିଲେ ସେ ପୋଲିସ୍ରେ ପ୍ରାଥମିକ ସୂଚନା ରିପୋର୍ଟ (FIR/ଏଫ୍ଆଇଆର୍ ) ଦେବାପାଇଁ ସାହାଯ୍ୟ କଲେ । ବିଭିନ୍ନ ଏନ୍ଜିଓ ଏବଂ ମୋହଲାରେ ରହୁଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ନିଯୁକ୍ତିଦାତା ମଧ୍ୟ ସହଯୋଗ ଦେଲେ ।
“ଶବ ବ୍ୟବଚ୍ଛେଦ ରିପୋର୍ଟ ସତ୍ୟ ଦର୍ଶାଇଥିଲା – ମୃତ୍ୟୁର କାରଣ ବିଷାକ୍ତ ବାଷ୍ଫଜନିତ ଶ୍ୱାସରୁଦ୍ଧତା”। ପୁତୁଲ୍ଙ୍କ ସମ୍ପର୍କୀୟା ଦିପାଲୀ ଦଲୋଇ କହିଥିଲେ, “ବିଦ୍ୟୁତ୍ ଆଘାତ କାରଣରୁ ମୃତ୍ୟୁ ହୋଇଛି ଦର୍ଶାଇ କମ୍ପାନୀ ରିପୋର୍ଟ ବଦଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ସମସ୍ତେ ସତ କ’ଣ ଜାଣନ୍ତି। ଯେତେବେଳେ ହାଉସିଂ କଲୋନୀର ବାବୁମାନେ କମ୍ପାନୀ ବିରୋଧରେ ଏକ କେସ୍ ଫାଇଲ୍ କରିବାକୁ ଧମକ ଦେଲେ ସେତେବେଳେ ସେମାନେ ରିପୋର୍ଟ ସୁଧାରିଲେ।” ଏଥିସହ ଦିପାଲୀ କହିଥିଲେ, “ବ୍ୟବସ୍ଥା ଆମ ପ୍ରତି ଭେଦଭାବ କରୁଛି। ଯଦି ଦିଲ୍ଲୀରେ ଅବସ୍ଥା ଏପରି ତେବେ ଦୂରଦୁରାନ୍ତ ଗାଁଗୁଡ଼ିକରେ ଅବସ୍ଥା କ’ଣ ହୋଇଥିବ ଏକଥା ଆପଣ ଅନୁମାନ କରିପାରୁଥିବେ?”
କେଇ ମାସ ଦୌଡ଼ିବା ପରେ ଚନ୍ଦନଙ୍କ ନିଯୁକ୍ତିଦାତା ପୁତୁଲ୍ଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ (୨୦୧୪ ମସିହା ମାର୍ଚ୍ଚ ୨୭ ତାରିଖର ଏକ ରାୟରେ ସୁପ୍ରିମ୍ କୋର୍ଟ ୧୯୯୩ ମସିହାଠାରୁ ଯେଉଁମାନେ ନର୍ଦ୍ଦମା କିମ୍ବା ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ସମୟରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ କ୍ଷତିପୁରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଥିଲେ ) ଏବଂ ପୁତୁଲ୍ଙ୍କୁ ଏକ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଲେ ।
ତେବେ ବିଦ୍ରୁପଜନକ ଭାବରେ ଯେଉଁ କାମ ତାଙ୍କ ସ୍ୱାମୀଙ୍କ ଜୀବନ ନେଇଥିଲା ସେମାନେ ସେହି ହାଉସ୍କିପିଂ କାମ ତାଙ୍କୁ ଯାଚିଲେ ।
ପୁତୁଲ୍ ବ୍ୟସ୍ତ ହୋଇ କହିଲେ , “ଶେଷରେ ଜାତି ହିଁ ସବୁକିଛି । ମୁଁ ମୋ ସ୍ୱାମୀଙ୍କୁ ଫେରି ପାଇବିନି । କିନ୍ତୁ ମୁଁ କେବଳ ଚାହୁଁଛି ଆଉ କେହି ଏଭଳି ପରିସ୍ଥିତିକୁ ସାମ୍ନା କରିବା ଉଚିତ୍ ନୁହେଁ । କୌଣସି ଜୀବନ ନର୍ଦ୍ଦମାରେ ଶେଷ ହେବା ଉଚିତ ନୁହେଁ ।”
ପୁତୁଲ୍ ଓ ଚନ୍ଦନ ଅନୁସୂଚିତ ବାଗାଡି ଜାତି଼ର । ସେମାନେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୁନ୍ଦରବନରେ ଥିବା କାନ୍ଦିକପୁର ଗ୍ରାମରୁ ଦିଲ୍ଲୀ ଆସିଛନ୍ତି। ଗ୍ରାମରେ କାମ ନଥିଲା। ମଲ୍ରେ ଚନ୍ଦନ ୯୮୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସେମାନେ ୩୫୦୦ ଟଙ୍କା ସେମାନଙ୍କ ରୁମ୍ର ଭଡ଼ା ବାବଦରେ ଦେଉଥିଲେ ।
ବର୍ତ୍ତମାନ ଅବସାଦ ଗ୍ରସ୍ତ ହୋଇଥିବା ଏବଂ ନିକଟସ୍ଥ ବଂଲୋରେ ରୋଷେୟା ଭାବରେ ନିଜ କାମକୁ ଯାଇପାରୁ ନଥିବା ପୁତୁଲ୍ ଜାଣନ୍ତି ସେ ସୁନ୍ଦରବନକୁ ଫେରି ପାରିବେନି । ଫେରିବା ପାଇଁ ସେଠାରେ କିଛି ନାହିଁ । ତାଙ୍କ ଶାଶୁ, ଦିଅର ଏବଂ ତାଙ୍କ ପରିବାର ସେମାନଙ୍କ ୨-୨.୫ ବିଘା (ପ୍ରାୟ ୦.୬ ଏକର) ଚାଷ ଜମିରେ କୌଣସି ମତେ ଚଳୁଛନ୍ତି ।
ଏକଥା ଭାବିବାକୁ ଘୃଣା ଲାଗୁଥିଲେ ବି ପୁତୁଲ୍ ଜାଣନ୍ତି, ସେ ବୋଧହୁଏ ସଫେଇ କାମ ପାଇଁ ତାଙ୍କୁ ମିଳିଥିବା ପ୍ରସ୍ତାବକୁ ସେ ଗ୍ରହଣ କରିନେବେ । “ବର୍ତ୍ତମାନ ଏହା ବାଧ୍ୟତାମୂଳକ । ସମସ୍ତେ କହୁଛନ୍ତି ଏହି କାମ ଦ୍ୱାରା ମୁଁ ମୋ ସନ୍ତାନକୁ ଭଲଭାବରେ ଏବଂ ଅଧିକ ସୁରକ୍ଷିତ ଭାବରେ ବଡ଼ କରିପାରିବି ।”
ପୁତୁଲ୍ ଙ୍କ ନ’ ବର୍ଷର ପୁଅ ଅମିତ୍ ଏକ ଷ୍ଟ୍ର-ବେରୀ ଆଇସ୍କ୍ରୀମ୍ ସହ ସ୍କୁଲ୍ରୁ ଘରକୁ ଫେରିଲା । ସେ ବସନ୍ତ ପବ୍ଳିକ୍ ସ୍କୁଲ୍ର ଅପର୍ କେଜିରେ ପଢ଼ୁଛି । ତା’ର ବାପା ପିଜା ଏବଂ ବର୍ଗର୍ ପାଇଁ ସେମାନଙ୍କୁ ମଲ୍କୁ ନେଉଥିବା ସେ ମନେ ରଖିଛି । ଏଥିସହ ନଭେମ୍ବର ମାସର ସେହି ଦିନ ବି ମନେ ଅଛି , ଶରୀରର ମୁଣ୍ଡରୁ ନାଭି ପର୍ଯ୍ୟନ୍ତ ସିଲେଇ କରାଯାଇ ବାପାଙ୍କୁ ଘରକୁ ଆଣିଥିବା ସେ ଦେଖିଥିଲା ।