ସଂ. 2 ପାଣିଖଇତି ନିମ୍ନ ପ୍ରାଥମିକ ବିଦ୍ୟାଳୟର ଭଗ୍ନାବଶେଷ ବ୍ରହ୍ମପୁତ୍ରଠାରୁ ଏକ ମିଟର୍ରୁ କମ୍ ଦୂରତାରେ ରହିଛି। ବିଦ୍ୟାଳୟ କୋଠାର କାନ୍ଥରେ ‘ପ୍ରାଥମିକ ଶିକ୍ଷା ପ୍ରତି ଗୋରାକି ଶିଶୁର ମୌଳିକ ଅଧିକାର’ (ପ୍ରାଥମିକ ଶିକ୍ଷା ହେଉଛି ପ୍ରତ୍ୟେକ ପିଲାର ମୌଳିକ ଅଧିକାର’) ଲେଖା ହୋଇଥିବା ଦେଖିହେବ। କାନ୍ଥର ଅନ୍ୟ ପାଖରେ, ନଦୀ ଆଡକୁ ମୁହଁ କରି, ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିକୃତି ଟଙ୍ଗା ହୋଇଛି ଓ ଅହମିୟା ଭାଷାରେ ଅନ୍ୟ ଏକ ବାର୍ତ୍ତା “ସତ୍ୟମେବ ଜୟତେ” ଲେଖାଯାଇଛି ।


Kamrup, Assam
|FRI, MAR 08, 2019
ନଦୀ ଯେତେବେଳେ ବିଦ୍ୟାଳୟକୁ ଖାଇଗଲା
ଆସାମର ସୋନ୍ତାଳି ଚାର୍ରେ ଅବସ୍ଥିତ ପାଣିଖଇତି ଗ୍ରାମରେ ଥିବା ଏକମାତ୍ର ବିଦ୍ୟାଳୟ ବ୍ରହ୍ମପୁତ୍ର ନଦୀ ଗର୍ଭରେ ଅନ୍ତର୍ଦ୍ଧାନ ହୋଇଯାଇଛି। ଏହି ବିଦ୍ୟାଳୟରେ ପଢୁଥିବା ୧୯୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୮୫ଜଣ ପ୍ରଧାନଶିକ୍ଷକ ତାରିକ୍ ଅଲ୍ଲିଙ୍କ ଆବାସରେ ଚାଲିଥିବା ଅସ୍ଥାୟୀ ବିଦ୍ୟାଳୟକୁ ଆସିବା ଜାରି ରଖିଛନ୍ତି ।
Author
Translator

Ratna Bharali Talukdar
ସୋନ୍ତାଳି ଚାର୍ର ପାଣିଖଇତିଠାରେ ଅବସ୍ଥିତ ଏକମାତ୍ର ସରକାରୀ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଏକମାତ୍ର ଶିକ୍ଷକଙ୍କ ପାଇଁ, ଏହା ହେଉଛି ଏକ ଅପ୍ରିୟ ସତ୍ୟ, ପରିଶେଷରେ ଯାହାର ଜୟ ହେଲା । ନଦୀ ଧୀରେ ଧୀରେ ଉପରକୁ ଉଠିବା ଓ ବିଦ୍ୟାଳୟର ଭଗ୍ନାବଶେଷ, ବ୍ରହ୍ମପୁତ୍ରର ଚାର୍ରେ ଜୀବନ ଯେ ଅସ୍ଥାୟୀ ତାହାର ସାକ୍ଷ୍ୟ ପ୍ରଦାନ କରୁଛି। ପୂର୍ବତନ ଛାତ୍ର ରେହେନା ରେହାନ୍ କୁହନ୍ତି ଯେ “....ବିଦ୍ୟାଳୟ କ୍ରମଶଃ କ୍ଷୟ ହୋଇଗଲା। ଆମେ ବିଦ୍ୟାଳୟକୁ ଏକତ୍ର ଯିବାବେଳର ପ୍ରିୟ ସ୍ମୃତିସବୁ ଆମ ପାଖରେ ରହିଯାଇଛି।
ଅକ୍ଟୋବର୍ ୨୦୧୬ ସୁଦ୍ଧା, ଯେତେବେଳେ ଅଶାନ୍ତ ନଦୀ ପଛକୁ ଫେରିବା ପାଇଁ କୌଣସ ସଙ୍କେତ ଦେଲାନି ଓ ଆସାମ୍ ସରକାର ଏହି ବିଦ୍ୟାଳୟକୁ ନଦୀ ଦ୍ୱାରା କ୍ଷୟ ହେବାଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ କରାଯାଇଥିବା ନିବେଦନ ଅଣଦେଖା କଲେ, ସେତେବେଳେ ଗ୍ରାମବାସୀମାନେ ଧୀରେ ଧୀରେ ସେହି କୋଠାର ସମସ୍ତ କବାଟ, ଝରକା, ଟିଣ ଛାତ, ଡେସ୍କ ଓ ବେଞ୍ଚ ଆଦି କାଢି ନେଇଗଲେ ।
ଚାର୍ ହେଉଛି ଏକ ଛୋଟ, ବାଲୁକା ଦ୍ୱୀପ ଯାହା ଆସାମ୍ର ବ୍ରହ୍ମପୁତ୍ର ନଦୀ କୂଳରେ ଫ୍ଲୁଭିଆଲ୍ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ (ପରୀରେ ଥିବା ସେଣ୍ଟବାର୍ ଲୋକଙ୍କ ଲଢେଇ ଦେଖନ୍ତୁ)। ଏହାର ଜନସଂଖ୍ୟା ପାଖାପାଖି ୨୪ଲକ୍ଷ ଅଟେ । ପାଣିଖଇତି ଗ୍ରାମ ଓ ଗ୍ରେଟର୍ ସୋନ୍ତାଳି ଚାର୍ ଅଞ୍ଚଳ, କାମରୂପ ଜିଲ୍ଲାର ବୋକୋ ସମ୍ବିଧାନିକ କ୍ଷେତ୍ରରେ ଅବସ୍ଥିତ ।

Ratna Bharali Talukdar
କିଛି ସପ୍ତାହ ପରେ, ଚାର୍କୁ ନଭେମ୍ବର୍ ୨୮,୨୦୧୬ରେ ଦ୍ୱିତୀୟ ଥର ପାଇଁ ଯାଇ, ସେଠାରେ ବିଦ୍ୟାଳୟର ଭଗ୍ନାବଶେଷ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇ ଯାଇଥିବା ଦେଖିବାକୁ ପାଇଲି । ଏକଦା କୋଠା ଯେଉଁଠାରେ ଠିଆ ହୋଇଥିଲା, ସେଠାରେ ବର୍ତ୍ତମାନ କେବଳ ଏକ ପାଣିର ଧାର ଅଛି। ଯନ୍ତ୍ର ଚାଳିତ ଦେଶୀ ଡଙ୍ଗାଗୁଡିକ ଯାତ୍ରୀ ଓ ଦ୍ରବ୍ୟଗୁଡିକୁ ନଦୀର ଏପାଖରୁ ସେପାଖକୁ ନେବାଆଣିବା କରୁଛନ୍ତି ।
ବର୍ତ୍ତମାନ ଜଳମଗ୍ନ କୋଠା ଥିବା ସ୍ଥାନଠାରୁ ପ୍ରାୟ ୫୦୦ମିଟର୍ ଦୂରତାରେ ଏକ ଅସ୍ଥାୟୀ ଢାଞ୍ଚାରେ ବିଦ୍ୟାଳୟ ଚାଲିଛି । ପ୍ରଧାନ ଶିକ୍ଷକ ତାରିକ୍ ଅଲ୍ଲିଙ୍କ ଆବାସର ପରିସରରେ ଥିବା ଏହି ଆଶ୍ରୟ ସ୍ଥଳ, ନଦୀବନ୍ଧ ଠାରୁ ମାତ୍ର ୧୫ମିଟର୍ ଦୂରରେ ଅବସ୍ଥିତ । ଏଠାରେ ନିୟମିତ ପାଠପଢା ଚାଲିଛି ଓ ତ୍ରୈମାସିକ ପରୀକ୍ଷା କରାଯାଉଛି ।

Ratna Bharali Talukdar
୧୯୭୪ ମସିହାରେ, ଯେତେବେଳେ ପାଣିଖଇତି ନିବାସୀମାନେ ଗ୍ରାମରେ ୬-୧୧ ବର୍ଷର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ସ୍ଥାପନ କରିବାପାଇଁ ନିଷ୍ପତି ନେଲେ, ସେତେବେଳେ ରୁବେୟା ଖାତୁନେ (ବର୍ତ୍ତମାନ ତାଙ୍କ ବୟସ ହେଉଛି ୭୦ବର୍ଷ) ଓ ତାଙ୍କର କୃଷକ ପରିବାର ଦୁଇ ବିଘା ଜମି ( ଆସାମ୍ରେ ୭.୫ବିଘା ୧ହେକ୍ଟର୍ ସହିତ ସମାନ)ଦାନ କରିବା ପାଇଁ ଆଗେଇ ଆସିଥିଲେ । ୧୯୮୨ ମସିହାରେ ପ୍ରାଥମିକ ଶିକ୍ଷା ବିଭାଗ ଏହି ବିଦ୍ୟାଳୟକୁ ଚିହ୍ନଟ କରିବା ପର୍ଯ୍ୟନ୍ତ, ଗ୍ରାମବାସୀମାନେ ନିଜସ୍ୱ ଚେଷ୍ଟାରେ ଏହି ବିଦ୍ୟାଳୟ ପରିଚାଳନା କରୁଥିଲେ ଓ ତାରିକ୍ ଅଲ୍ଲୀଙ୍କୁ ଏହାର ଶିକ୍ଷକ ଭାବେ ନିଯୁକ୍ତ କରିଥିଲେ। ଚାର୍ରେ ବେସରକାରୀ ବିଦ୍ୟାଳୟ ଓ ମଦ୍ରାସା ସଂଖ୍ୟା କମ୍ ଅଟେ, କିନ୍ତୁ ସଂଖ୍ୟା.୨ ପାଣିଖଇତି ନିମ୍ନ ପ୍ରାଥମିକ ବିଦ୍ୟାଳୟ ହେଉଛି ଏଠାରେ ରହିଥିବା ଏକମାତ୍ର ସରକାରୀ ବିଦ୍ୟାଳୟ, ସବୁସମୟରେ। ଏହା ସଭା ଓ ଆଲୋଚନା ପାଇଁ ଏକ ଗୋଷ୍ଠୀ କେନ୍ଦ୍ର ଭାବେ ମଧ୍ୟ ବ୍ୟବହୃତ ହୋଇଛି । ଜଣେ-ଶିକ୍ଷକ ଥିବା ଏହି ବିଦ୍ୟାଳୟ, ଆଖପାଖ ଚାର୍ ଓ ଗ୍ରାମର ପିଲାମାନଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Ratna Bharali Talukdar
୨୦୧୬ମସିହାରେ, କେବଳ ଦୁଇ ମାସ ମଧ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ବ୍ରହ୍ମପୁତ୍ର, ପାଣିଖଇତିର ଦୁଇ-ତୃତୀୟାଂଶ ଅଞ୍ଚଳର କ୍ଷୟସାଧନ କରିଛି ଓ ଏଥିଯୋଗୁଁ ୨୦୦ରୁ ଅଧିକ ପରିବାର ବିସ୍ଥାପିତ ହୋଇଛନ୍ତି। “ବ୍ରହ୍ମପୁତ୍ରରେ ଆମର ଗ୍ରାମଗୁଡିକ ଗୋଟିଏ ପରେ ଗୋଟିଏ ଜଳମଗ୍ନ ହେବା ଆରମ୍ଭ ହେବାପରେ, ମୁଁ ପରିଚାଳନା କମିଟିର ସଭାପତି, କିଛି ଗ୍ରାମବାସୀଙ୍କ ସହିତ ବ୍ଲକ୍ ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ପାଖକୁ ବାରମ୍ବାର ଯାଇଛି ’’ ବୋଲି ତାରିକ୍ ଅଲ୍ଲୀ କୁହନ୍ତି । "ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିବାପାଇଁ କୌଣସି ପାଣ୍ଠି ଆସିନଥିବା କହି ସେମାନେ ଆମକୁ ଫେରାଇ ଦେଲେ” ।

Ratna Bharali Talukdar
ତାଙ୍କର ନିଜ ଆବାସ ଓ ଅସ୍ଥାୟୀ ଢାଞ୍ଚା ନଦୀଠାରୁ ମାତ୍ର କିଛି ମିଟର୍ ଦୂରରେ ରହିଥିବାରୁ, ଏହିପରି ଭାବେ କ୍ରମକ୍ଷମ ଜାରି ରହିଲେ ତାରିକ୍ ଅଲ୍ଲୀଙ୍କୁ କେବେ ସେ ସ୍ଥାନ ଛାଡି ଚାଲିଯିବାକୁ ହେବ, ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ । ବିସ୍ଥାପିତ ହୋଇଥିବା ଅନେକ ନିବାସୀ ବର୍ତ୍ତମାନ ଭୂମି ଓ ଜୀବିକା ନିର୍ବାହ ପନ୍ଥା ଖୋଜିବାପାଇଁ ଆସାମ୍ର ବିଭିନ୍ନ ସହର ଓ ଟାଉନ୍କୁ ଚାଲିଗଲେଣି ଓ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୯୮ରୁ ଦ୍ରୁତ ଗତିରେ ଖସି ୮୫ରେ ପହଞ୍ଚିଲାଣି ।
“ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡି ଚାଲିଗଲେଣି ସେମାନଙ୍କୁ ଖୋଜି ବାହାର କରିବା ବହୁତ କଷ୍ଟକର, ଅଲ୍ଲୀ କୁହନ୍ତି,”। “ଏଠାରେ ଅନିଶ୍ଚିତତା ଓ ବିପଦର ମାତ୍ରା ଏତେ ପ୍ରବଳ ଯେ ବାପାମା ସେମାନଙ୍କ ପିଲାଙ୍କ ବିଦ୍ୟାଳୟ ସାର୍ଟିଫିକେଟ୍ ସଂଗ୍ରହ କରିବାପାଇଁ ମଧ୍ୟ ଚେଷ୍ଟା କରୁନାହାନ୍ତି । ତେବେ, ଏହି ଭାଗ୍ୟହୀନ ପିଲାମାନେ ଅଧାରୁ ପାଠ ପଢା ବନ୍ଦ କରିବା ସମ୍ଭାବନା ରହିଛି।’’
୨୦୧୪ର ଆସାମ୍ ମାନବ ବିକାଶ ରିପୋର୍ଟରେ କୁହାଯାଇଛି ଯେ ଚାର୍ ଅଞ୍ଚଳରେ ରହୁଥିବା ୬-୧୧ ବର୍ଷ ବୟସ ସୀମା ମଧ୍ୟରେ ଥିବା ସମୁଦାୟ ପିଲାଙ୍କ ମଧ୍ୟରୁ ୯୩.୩୩ ପ୍ରତିଶତ ପିଲା ବିଦ୍ୟାଳୟରେ ନାମ ଲେଖାଇଛନ୍ତି ଓ ୧୫-୧୬ ବର୍ଷ ବୟସ ସୀମା ମଧ୍ୟରେ ରହିଥିବା ପିଲାମାନଙ୍କର ୫୭.୪୯ ପ୍ରତିଶତ ପିଲା, ବର୍ତ୍ତମାନ ମଧ୍ୟ ସେମାନଙ୍କ ଶିକ୍ଷା ଜାରି ରଖିଛନ୍ତି । ଅନୁରୂପ ଭାବେ, ଆସାମ୍ ରାଜ୍ୟ ପରିପ୍ରେକ୍ଷୀରେ ଏହି ସଂଖ୍ୟା ଯଥାକ୍ରମେ ୯୩.୮୫ ପ୍ରତିଶତ ଓ ୭୪.୫୭ ପ୍ରତିଶତ ଅଟେ । ରିପୋର୍ଟରେ ଏହା ମଧ୍ୟ ରେକର୍ଡ କରାଯାଇଛି ଯେ ରାଜ୍ୟରେ ବିଦ୍ୟାଳୟ ଯାଉନଥିବା ବା କେବେ ମଧ୍ୟ ନାମ ଲେଖେଇ ନଥିବା ମୋଟ ପିଲାଙ୍କ ମଧ୍ୟରୁ ୩୩.୨୧ ପ୍ରତିଶତ ପିଲା କେବଳ ଚାର୍ ଅଞ୍ଚଳରେ ରୁହନ୍ତି ।

Ratna Bharali Talukdar
“ପାଣିଖଇତି ପୂର୍ବରୁ, ଅନେକ ରେଭେନ୍ୟୁ ଗ୍ରାମ, ଯାହା ମଧ୍ୟରେ ରହିଛି ଲୋଟୋରିୟା, ଲୋଟୋରିଆ ବିଲୋର୍ଜନ୍, ଲୋତିର୍ତାରି, ଗୋରାଇତାରି, ବୋରୋଗୁଲ୍, କୁଚିଆର୍ଡିଆ ପଥର, ଜଟିଆ ଦିଆ ସଂ.୧, ସଂ.୨ ଆଦିର ନଦୀ କ୍ଷୟସାଧନ କରିଛି,” ବୋଲି ଅବ୍ଦୁସ୍ ସମଦ୍, ଜଣେ ସ୍ଥାନୀୟ ନିବାସୀ କୁହନ୍ତି। “ଆମେ ବାରମ୍ବାର କ୍ରମକ୍ଷୟ ପ୍ରକ୍ରିୟା ରୋକିବା ଓ ଗ୍ରାମର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବା ସକାଶେ ସରକାରଙ୍କୁ କହିଛୁ, କିନ୍ତୁ ଆମ କଥା କେହି ଶୁଣୁ ନାହାନ୍ତି।’’ ଜଣେ ପୂର୍ବତନ ସୈନିକ, ସାମଦ୍ଙ୍କୁ ମଧ୍ୟ ସେ ରହୁଥିବା ସ୍ଥାନରୁ ୫ଥର ବିସ୍ଥାପିତ ହେବାକୁ ପଡିଛି ଓ ବର୍ତ୍ତମାନ ସେ ପାଣିଖଇତି ନିକଟରେ ଥିବା ବାର୍ ଆରିକାଟି ଗ୍ରାମରେ ରହୁଛନ୍ତି ।
ଆସାମ୍ର ଜଳ ସମ୍ପଦ ବିଭାଗ ଦ୍ୱାରା ସଂକଳନ କରାଯାଇଥିବା ଏକ ଡାଟା ଅନୁସାରେ, ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀଗୁଡିକ , ୧୯୫୦ରୁ ଆଜି ମଧ୍ୟରେ ପ୍ରାୟ ୪.୨୭ ଲକ୍ଷ ହେକ୍ଟର୍ ଜମିର କ୍ଷୟସାଧନ କରିଛନ୍ତି। କ୍ଷୟ ହୋଇଥିବା ସମୁଦାୟ ଅଞ୍ଚଳର ପରିମାଣ ରାଜ୍ୟର ମୋଟ ଭୌଗଳିକ ଅଞ୍ଚଳର ୭.୨୦ ପ୍ରତିଶତ । କ୍ରମକ୍ଷୟ ଯୋଗୁ ଏକ ବର୍ଷରେ ନଷ୍ଟ ହେଉଥିବା ଜମିର ପରିମାଣ ହାରାହାରି ୮,୦୦୦ ହେକ୍ଟର୍ ହୋଇଥିବା ଆକଳନ କରାଯାଇଛି ।
ଏପରିକି ରୁବେୟା ଖାତୁନ୍, ଯିଏ ବିଦ୍ୟାଳୟ ପାଇଁ ଜମି ଦାନ କରିଥିଲେ, ସେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । 10ବିଘା ଘରବାଡି ଓ କୃଷି ଉପଯୋଗୀ ଜମି କ୍ଷୟ ଯୋଗୁଁ ହରାଇବା ପରେ, ସେ ବର୍ତ୍ତମାନ ନଦୀ ବନ୍ଧ ପାଖରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ରହୁଛନ୍ତି । ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା ପେନ୍ସନ୍ ମିଳୁନାହିଁ ।
ପାଣିଖଇତି ଗ୍ରାମ ଓ ସୋନ୍ତାଳି ଚାର୍ ଅଞ୍ଚଳର ଲୋକମାନେ ମନଦୁଃଖରେ ନଦୀ, ଏହାଠାରୁ 50ମିଟର୍ ଦୂରରେ ଥିବା ଏକ ଝରଣା ଆଡକୁ ବଢୁଥିବା ଦେଖୁଛନ୍ତି । ଯଦି ନଦି ଏହି ଝରଣା ସହିତ ମିଶିଯାଏ, ତେବେ ସମସ୍ତଙ୍କ ସହ ସେମାନଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଚ୍ଛିନ୍ନ ହୋଇଯିବ, ଏପରିକି ସେମାନେ ସୋନ୍ତାଳିର ବଜାରକୁ ମଧ୍ୟ ଯାଇପାରିବେ ନାହିଁ । ଏହା ହେଉଛି ଚାର୍ରେ ଜୀବନ ।
ଫଟୋ :ରତ୍ନା ଭରାଲି ତାଲୁକ୍ଦାର୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ନଦୀ-ଯେତେବେଳେ-ବିଦ୍ୟାଳୟକୁ-ଖାଇଗଲା

