ଲୋକମାନେ ଗଛର ଗଣ୍ଡିଗୁଡ଼ିକୁ କାଟି ରାସ୍ତା ଉପରେ ରଖିଥିଲେ। ସେମାନେ ଥିଲେ ପ୍ରାୟ ୭୦-୮୦ ଜଣ। ଉତ୍ତର ପ୍ରଦେଶ ଲଲିତପୁର ଜିଲ୍ଲାର ସେମାନଙ୍କ ଗାଁ ଭେଲୋନିଲୋଧରୁ ଲଲିତପୁର ସହରକୁ (ପ୍ରାୟ ୪୦ କିଲୋମିଟର ଦକ୍ଷିଣକୁ) ଏବଂ ଝାନ୍ସି ସହରକୁ (ପ୍ରାୟ୯୦ କିଲୋମିଟର ଉତ୍ତରକୁ) ସଂଯୋଗ କରୁଥିବା ଏହି ଭଙ୍ଗାଦଦରା ଏବଂ ଖାଲଖମା ଭରା ରାସ୍ତା ବିରୋଧରେ ପ୍ରତିବାଦ କରିବା ପାଇଁ ସେମାନେ ପୂର୍ବ ରାତିରେ ଏକାଠି ହୋଇ ସ୍ଥିର କରିଥିଲେ । ଏହା ପୂର୍ବରୁ ସେମାନେ ଚିଠି ଲେଖି, ସରକାରୀ ଅଧିକାରୀମାନଙ୍କୁ ସାକ୍ଷାତ କରି ଏହାର ପ୍ରତିବାଦ କରିଥିଲେ । କିନ୍ତୁ, ପ୍ରଥମ ଥର ପାଇଁ ସେମାନେ ରାସ୍ତା ଅବରୋଧ କରୁଥିଲେ।
ପୂର୍ବ ସନ୍ଧ୍ୟାରେ ଗାଁର ଅନ୍ୟ ମହିଳାମାନଙ୍କଠାରୁ ଏହି ପ୍ରତିବାଦ ବିଷୟରେ ଶୁଣିଥିଲେ ୨୫ ବର୍ଷୀୟା ରାଜବେଟୀ ବଂଶକର। ସକାଳଟା ଯାକ ପାଟିତୁଣ୍ଡ ଶୁଣିବା ଲାଗି ସେ କାନପାତି ରହିଥିଲେ, କିନ୍ତୁ ବେଶୀ କିଛି ଶୁଣି ନଥିଲେ। ୧,୯୦୦ ଲୋକଙ୍କ ଏହି ଗାଁରେ ଅଧିକାଂଶ ଲୋକ ଲୋଧି (ଏକ ଅନ୍ୟାନ୍ୟ ପଛୁଆ ଜାତି)। ସେମାନଙ୍କଠାରୁ କିଛି ଦୂରରେ ରହୁଥିବା ରାଜବେଟୀ, ଏକ ଅଧିସୂଚିତ ଜାତି, ବସୋର ସଂପ୍ରଦାୟର । ୧୨ ବର୍ଷ ତଳେ ସେ ସିଦ୍ଧାର୍ଥନଗର ଜିଲ୍ଲାର ଜାମ୍ଲା ଜୋଟ୍ଗାଁରୁ ଭେଲୋନିଲୋଧକୁ ଆସିଥିଲେ । ବାଉଁଶ ଟୋକେଇ ବୁଣି ସେ ପରିବାର ପାଇଁ ମାସକୁ ପ୍ରାୟ ୧,୦୦୦ ଟଙ୍କା ରୋଜଗାର କରନ୍ତି ।
ସେ ଦିନ, ତାଙ୍କ ଆଠ ବର୍ଷର ପୁଅ ଏବଂ ପାଞ୍ଚ ବର୍ଷର ଝିଅ ସ୍କୁଲକୁ ଏବଂ ସ୍ୱାମୀ କ୍ଷେତ କାମ ପାଇଁ ଯାଇଥିଲେ । ଏହାର ବହୁ ସମୟ ପରେ ସେ କିଛି ପାଟିତୁଣ୍ଡ ଶୁଣିଲେ । ସେଦିନର କଥା ମନେ ପକାଇ ରାଜବେଟୀ କହନ୍ତି, “ଦିନ ପ୍ରାୟ ୧୧-୧୨ଟା ବେଳକୁ ମୁଁ ବିଜୟ ଉଲ୍ଲାସର ଚିତ୍କାର ଏବଂ ଜିନ୍ଦାବାଦ ଧ୍ୱନି ଶୁଣିଲି । ପରେ ଅପରାହ୍ଣରେ ମୁଁ ଯେତେବେଳେ ନଳକୂଅ ପାଖରେ ଅନ୍ୟ ମହିଳାମାନଙ୍କୁ ଭେଟିଲି, ତାଈ(ମୀରା ଦେବୀ)ଙ୍କ ନିକଟରୁ ଜାଣିଲି ଯେ କ’ଣ ଘଟିଥିଲା। ଉପ-ଜିଲ୍ଲାପାଳ ସାହେବା ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଇ ଦିନ ଭିତରେ ରାସ୍ତା ତିଆରି ହୋଇଯିବ”।







