ସବୁଦିନ ସକାଳେ, ବ୍ରହ୍ମପୁତ୍ର ନଦୀରେ ଥିବା ବିଭିନ୍ନଚାର୍ ଅର୍ଥାତ୍ ମୃତ୍ତିକା କ୍ଷୟ ଓ ଜଳମଗ୍ନ ପ୍ରବଣ କ୍ଷୁଦ୍ର ଦ୍ଵୀପସମୂହରୁ, ଦେଶୀ ଡଙ୍ଗାରେ ଆସାମର ଧୁବ୍ରି ଜିଲ୍ଲାର ଧୁବ୍ରି ସହରକୁ ବହୁ ଦିନ ମଜୁରିଆ ଆସନ୍ତି । ପଡ଼ୋଶୀ ରାଜ୍ୟ ମେଘାଳୟରୁ ମଧ୍ୟ ଅସ୍ଥାୟୀ ଭେଳା ରୂପରେ ବନ୍ଧା ହୋଇଥିବା ବାଉଁଶ ଖଣ୍ଡଗୁଡ଼ିକ ଭାସି ଭାସି ଆସି ଧୁବ୍ରିରେ ଥିବା ଗଦାଧର ଉପନଦୀ ଏବଂ ବ୍ରହ୍ମପୁତ୍ରର ସଂଗମସ୍ଥଳରେ ପହଞ୍ଚେ ।
କିନ୍ତୁ ଏହି ସଂଗମସ୍ଥଳରେ ଏବେ ଜୀବିକା ଅର୍ଜନରେ ସଂକଟ ଉପୁଜିଛି। ଗତ ଦୁଇ ଦଶନ୍ଧି ଧରି ଚିରା ବାଉଁଶର ଚାହିଦା ହ୍ରାସ ପାଇଛି । ବାଡ଼, ପ୍ୟାନେଲ୍, ବାଉଁଶର କାନ୍ଥ ଏବଂ କାଠର ପ୍ଲାଇବୋର୍ଡ ତିଆରିରେ ଏହି ବାଉଁଶ ବ୍ୟବହୃତ ହୁଏ । କିନ୍ତୁ ଲଗାତର ବନ୍ୟା ଓ ମୃତ୍ତିକାକ୍ଷୟର ମୁକାବିଲା ପାଇଁ ଆସାମର ବିଭିନ୍ନ ଚାର୍ ଏବଂ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ଲୋକେ ଏବେ ପାରମ୍ପରିକ କଚ୍ଚାଘର ଏବଂ ବାଉଁଶ ଘର ଛାଡ଼ି, ଟିଣ ଛାତ ଓ ଟିଣ କାନ୍ଥରେ ତିଆରି ଅଭିନବ ଫୋଲ୍ଡିଂ ଘରେ ରହିବା ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ଓ ବିହାରରେ ମଧ୍ୟ ଚିରା ବାଉଁଶର ଚାହିଦା ହ୍ରାସ ପାଇଛି, କାରଣ ସେଠାରେ ମଧ୍ୟ ସ୍ଵଳ୍ପ ମୂଲ୍ୟର ଘର ତିଆରିରେ ଇଟା ଓ ଟିଣ ଭଳି ବିକଳ୍ପ ସାମଗ୍ରୀର ବହୁଳ ବ୍ୟବହାର କରାଯାଉଛି ।
କୁଣ୍ଟିର ଚାର୍ରୁ ସବୁଦିନ ଧୁବ୍ରିକୁ ଆସନ୍ତି ୩୫ ବର୍ଷୀୟ ମଇନୁଦ୍ଦିନ ପ୍ରମାଣିକ । ଚାରିଟି ସନ୍ତାନର ଜନକ ସେ । ଅତି ସନ୍ତର୍ପଣରେ ଚାପଡ଼ରେ ବାଉଁଶ ଚିରିବା କାମ ବା ସ୍ଥାନୀୟ ଭାଷାରେ ବାଶେର କାଜ୍ କରି ସେ ରୋଜଗାର କରନ୍ତି । ଦିନକୁ ୨୫୦ ଟଙ୍କା ରୋଜଗାର କରିବା ପାଇଁ ସେ ଆଠ ଘଣ୍ଟା କାଳ କାମ କରି ହାରାହାରି ୨୦ଟି ବାଉଁଶ ଚିରନ୍ତି । ସ୍ଥାନୀୟ ଠିକାଦାରମାନଙ୍କ ଦ୍ଵାରା ଏଠାକୁ ଅଣାଯାଉଥିବା ଅନେକ ବାଉଁଶ କର୍ମୀଙ୍କ ମଧ୍ୟରୁ ମଇନୁଦ୍ଦିନ ଜଣେ । ସେ କହନ୍ତି, ଆଜିକାଲି ବେଶୀ କାମ ମିଳୁନାହିଁ, ଅତି ବେଶୀରେ ବର୍ଷକରେ ଅଧା ବର୍ଷର କାର୍ଯ୍ୟ ଦିବସ ରହୁଛି ।
ପ୍ରତିଟି ବାଉଁଶ ଖଣ୍ଡକୁ ତିନି ଭାଗ କରି ଚିରାଯାଏ- ଉପର ପରସ୍ତ ଖୁବ୍ ମସୃଣ ଏବଂ ଏହା ବାଉଁଶ କାନ୍ଥ ତିଆରିରେ ଲାଗେ; ମଝି ପରସ୍ତ ମଧ୍ୟ କାନ୍ଥ ତିଆରିରେ ଲାଗେ, କିନ୍ତୁ ଏହା ଏତେ ମସୃଣ ନୁହେଁ; ଏବଂ ତଳ ପରସ୍ତକୁ କାଠ ପ୍ଲାଇବୋର୍ଡ୍ର ଫାଙ୍କ ଭରିବାରେ ବ୍ୟବହାର କରାଯାଏ ।
ବ୍ୟବସାୟ ମାନ୍ଦା ପଡ଼ିଥିବାରୁ ମାସକୁ ଦୁଇ ଟ୍ରକ୍ ସ୍ଥାନରେ ଏବେ ଦୁଇ ମାସରେ ଗୋଟିଏ ଟ୍ରକ୍ ବୋଝେଇ ହେଉଛି
ଶ୍ରମିକମାନେ ଚିରାଯାଇଥିବା ବାଉଁଶକୁ ଦଉଡ଼ିରେ ବାନ୍ଧି ବିଡ଼ାଗୁଡ଼ିକୁ କାର୍ଯ୍ୟସ୍ଥଳରେ ଗଦା ଗଦା କରି ରଖନ୍ତି । ପରେ ଏଗୁଡ଼ିକୁ ଟ୍ରକ୍ ବା ଅନ୍ୟ ଗାଡ଼ିରେ ବୋଝେଇ କରି ନିଆଯାଏ । ଚିରା ବାଉଁଶ ରଖିବା ପାଇଁ ବହୁତ ଜାଗା ଦରକାର ହୁଏ । ଏଗୁଡ଼ିକ ଖୁବ୍ ଶୀଘ୍ର ଖରାପ ହୋଇଯାଏ ଏବଂ ଏହା ଫଳରେ ବଜାର ଦର କମିଯାଏ । ଏହି ବାଉଁଶଗୁଡ଼ିକୁ ପରେ କେବଳ ଜାଳେଣି କାଠ ଭାବରେ ଅତି କମ୍ ଦରରେ ବିକ୍ରି କରାଯାଏ ।
ଚାର୍ରେ ଚିରା ବାଉଁଶର ପକ୍କା ଚାହିଦା ଏବେ ହ୍ରାସ ପାଇବାରେ ଲାଗିଛି, କାରଣ ଆଜିକାଲି ପରିବର୍ତ୍ତନଶୀଳ ଦ୍ଵୀପଗୁଡ଼ିକରେ ରହୁଥିବା ଲୋକେ ଟିଣ ତିଆରି ଅଭିନବ ଘରଗୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି । ଏଗୁଡ଼ିକ ଅଧିକ ମଜଭୁତ ଏବଂ ବାରମ୍ବାର ଆସୁଥିବା ବନ୍ୟା ସମୟରେ କିମ୍ବା ଚାର୍ର ମୃତ୍ତିକାକ୍ଷୟ ଯୋଗୁଁ ସେମାନେ ଅନ୍ୟସ୍ଥାନକୁ ଯିବାକୁ ବାଧ୍ୟ ହେବା ବେଳେ ଏଗୁଡ଼ିକୁ ସହଜରେ ନିଆଯାଇପାରେ ।
ଅତୀତରେ, ରାଜ୍ୟରେ ବୃକ୍ଷରୋପଣ ବେଳେ ଗଛଗୁଡ଼ିକର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଭାବେ ବୁଣାଯାଇଥିବା ବାଉଁଶ ବାଡ଼ କିଣାଯାଉଥିଲା । ଆଜିକାଲି ବିଭାଗ ପକ୍ଷରୁ ଲୁହା କିମ୍ବା ପ୍ଲାଷ୍ଟିକ୍ର ଜାଲିବାଡ଼ ବ୍ୟବହାର କରାଯାଉଛି । ଏହା ମଧ୍ୟ ଚିରା ବାଉଁଶର ଚାହିଦା ହ୍ରାସ ପାଇବାର ଏକ କାରଣ
ମଙ୍ଗଳବାର ଏବଂ ଗୁରୁବାର, ସ୍ଥାନୀୟ ହାଟ ଦିନରେ ଠିକାଦାର ପାଉଣା ଦିଅନ୍ତି । ମଇନୁଦ୍ଦିନ୍ଙ୍କ ଠିକାଦାର ରାଧାକ୍ରିଷ୍ଣ ମଣ୍ଡଳ (ସବା ଡାହାଣରେ) ମେଘାଳୟରୁ ଖଣ୍ଡ ପିଛା ୧୦ ଟଙ୍କା ଦରରେ ବାଉଁଶ କିଣନ୍ତି ଏବଂ ସେଗୁଡ଼ିକ ଚିରିବା ପାଇଁ ମଇନୁଦ୍ଦିନ୍ ଏବଂ ଅନ୍ୟ ସାତ ଜଣଙ୍କୁ କାମରେ ଲଗାନ୍ତି ।
ପ୍ରାୟ ଚାରି ବର୍ଷ ତଳ ପର୍ଯ୍ୟନ୍ତ, ମଣ୍ଡଳ ମାସକୁ ଅତି କମ୍ରେ ଦୁଇଟି ଟ୍ରକ୍ ଭର୍ତ୍ତି ଚିରା ବାଉଁଶ ପଶ୍ଚିମବଙ୍ଗ ଓ ବିହାର ଭଳି ରାଜ୍ୟକୁ ପଠାଉଥିଲେ । ସେ କହନ୍ତି ଯେ ଆଜିକାଲି ସେ ଦୁଇ ମାସରେ ମାତ୍ର ଗୋଟିଏ ଟ୍ରକ୍ ଭର୍ତ୍ତି କରିପଠାଉଛନ୍ତି ।
ଧୁବ୍ରି ସହରରେ ଥିବା ଚାରିଟି ଫେରିଘାଟ ୩୫୦ରୁ ଅଧିକ ଚାର୍କୁ ସଂଯୋଗ କରେ ଏବଂ ଚାରିଟି ଯାକ ଘାଟରେ ବାଉଁଶ ଚିରିବା ଏକ ସାଧାରଣ କାର୍ଯ୍ୟ ଏବଂ ଜୀବିକା ଅର୍ଜନର ଉପାୟ । ପ୍ରତିଟି ଘାଟରେ ଅତି କମ୍ରେ ସାତ ଜଣ ଠିକାଦାର ସେମାନଙ୍କ ବ୍ୟବସାୟ କରନ୍ତି ।
ଯଦିଓ ଏହି ବ୍ୟବସାୟ ଏବେ ଅଚଳାବସ୍ଥାରେ, ତଥାପି ମଇନୁଦ୍ଦିନ୍ଙ୍କ ପାଖରେ ଅନ୍ୟ ବିକଳ୍ପ କାମ ନାହିଁ । ନଦୀର ସଂଗମସ୍ଥଳରେ ବୋଝବୁହାଳି, କୁଲି, ରିକ୍ସାଚାଳକ, ଗ୍ୟାରେଜ୍ରେ ହେଲ୍ପର ଏବଂ ଅନ୍ୟାନ୍ୟ ଦିନ ମଜୁରିଆ କାମରେ ୩୫୦ଟି ଚାର୍ରୁ କାମ ଖୋଜିବାକୁ ଆସିଥିବା ଶ୍ରମିକମାନେ ଭରିଗଲେଣି ।
ଅନୁବାଦ: ଓଡ଼ିଶାଲାଇଭ୍