ଦକ୍ଷିଣ କୋଲକାତାର ଯାଦବପୂର ରେଳ ଷ୍ଟେସନ୍ର ଭିଡ଼ ପରିପୂର୍ଣ୍ଣ ପ୍ଲାଟ୍ଫର୍ମରେ ଛିଡ଼ା ହୋଇ ବ୍ରେଷ୍ପତି ସର୍ଦ୍ଦାର ପାଟି କରି କହିଲେ, ‘‘ଆପଣ ଭାବୁଛନ୍ତି କି ଆଜି ଟ୍ରେନ୍ ଭିତରେ ବସିବାକୁ କୌଣସି ସ୍ଥାନ ଥିବ।’’ ତାଙ୍କ ପାଖରେ ଛିଡ଼ା ହୋଇଥିବା ମହିଳା ଜଣକ ମୁହଁ ଶୁଖାଇ ମୁଣ୍ଡ ହଲାଇ ମନା କରିବା ସହ ଏହି ପ୍ରଶ୍ନରେ ହସିଲେ।
ବ୍ରେଷ୍ପତି ଅପରାହ୍ଣ ୪.୩୫ର କାନିଙ୍ଗ ଯିବାକୁ ଥିବା ଟ୍ରେନ୍ ଆସିବାକୁ ଅପେକ୍ଷା କରିଛନ୍ତି । ଟ୍ରେନ୍ଟି ଯାଦବପୁର ଷ୍ଟେସନ୍ରେ ପହଞ୍ଚିଲା। ପୂର୍ବରୁ ଭର୍ତ୍ତି ହୋଇସାରିଥିବା ଦୁଇ ମହିଳା କମ୍ପାର୍ଟମେଣ୍ଟ୍ ମଧ୍ୟରୁ ଗୋଟିକରେ ପଶିବା ଲାଗି ମହିଳାମାନେ ନିଜକୁ ଭିଡ଼ ଭିତରକୁ ଠେଲି ଦେଲେ।
ଟ୍ରେନ୍ଟି ପାର୍କ୍ ସର୍କସ୍, ବଲିଗଞ୍ଜ ଜଙ୍କସନ୍ ଏବଂ ଧାକୁରିଆରେ ଅଟକି ସିଆଲ୍ଦା ଷ୍ଟେସନ୍ରୁ ଉତ୍ତର କୋଲ୍କାତାରେ ପହଞ୍ଚିଲା। ଯାଦବପୁର ପରେ ଏହା ବାଘାଯତିନ୍, ନ୍ୟୁ ଗରିଆ ଏବଂ ଗରିଆ ଆଦିରେ ଅଟକିବ- ଏସବୁ ଦକ୍ଷିଣ କୋଲକାତାର ମଧ୍ୟବିତ୍ତ ଏବଂ ସମ୍ପନ୍ନ ଶ୍ରେଣୀ ଅଞ୍ଚଳ। ଯାଦବପୁର ଏବଂ ଏହି ରାସ୍ତାରେ ଥିବା ଅନ୍ୟ ଷ୍ଟେସନ୍ଗୁଡ଼ିକରେ ଅପେକ୍ଷା କରିଥିବା ମହିଳାମାନେ-ଦକ୍ଷିଣ କୋଲକାତାର ଏସବୁ ଅଞ୍ଚଳରେ ଘରୋଇ ସହାୟିକା ଭାବରେ କାମ କରନ୍ତି।
ସେମାନଙ୍କ ମଧ୍ୟରୁ ଅନେକ ୧୬ ଟି ଷ୍ଟେସନ୍ ଦେଇ ଯାଉଥିବା ୪୫ କିଲୋମିଟର ଦୀର୍ଘ ସିଆଲ୍ଦା-କାନିଙ୍ଗ ରୁଟ୍ ଏବଂ ୨୫ଟି ଷ୍ଟେସନ୍ ଦେଇ ଯାଉଥିବା ୬୫ କିଲୋମିଟର ଦୀର୍ଘ ସିଆଲ୍ଦା- ଲକ୍ଷ୍ମୀକାନ୍ତପୁର ରୁଟ୍ କିମ୍ବା ଆହୁରି ଦକ୍ଷିଣକୁ ଯାଉଥିବା ସିଆଲ୍ଦା-ନାମ୍ଖାନା ଲାଇନ୍ ଧରନ୍ତି। ତେଣୁ କୋଲ୍କାତାରେ କେତେକ ଏହାକୁ ‘ଝି ସ୍ପେସାଲ୍’ ବୋଲି ମଧ୍ୟ କହିଥାନ୍ତି। ଝି ବଙ୍ଗଳାଭାଷାରେ ମହିଳା ଘରୋଇ କାମବାଲୀଙ୍କ ପାଇଁ ଏକ ଘୃଣ୍ୟ ଶବ୍ଦ।









