ମହାରାଷ୍ଟ୍ରର ଯବତ୍ମାଲ୍ ଜିଲ୍ଲାର ୨୩ଜଣ ଆଦିବାସୀ କୃଷକମାନଙ୍କର ଗୋଟିଏ ଗୋଷ୍ଠୀ ନଭେମ୍ବର ୨୭ ତାରିଖ ସକାଳେ ଦକ୍ଷିଣ ଦିଲ୍ଲୀର ନିଜାମୁଦ୍ଦିନ୍ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ସରାଇ କାଲେଖାନ୍ ଅଞ୍ଚଳରେ ଥିବା ଗୁରୁଦ୍ଵାର ଶ୍ରୀ ବାଲା ସାହେବଜୀଠାରେ ପହଞ୍ଚିବାକୁ ପ୍ରାୟ ୩୦ ମିନିଟ୍ ଚାଲିଥିଲେ। ଗୁରୁଦ୍ଵାର ପରିସରରେ ଥିବା ଏକ ବିଶାଳ ଅର୍ଦ୍ଧ ସମ୍ପୂର୍ଣ୍ଣ ଅଟ୍ଟାଳିକା ନଭେମ୍ବର ୨୯-୩୦, ୨୦୧୮ରେ ଜାତୀୟ ରାଜଧାନୀରେ ଆୟୋଜିତ କିଷାନ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେବାକୁ ଆସୁଥିବା କୃଷକମାନଙ୍କ ପାଇଁ ପ୍ରସ୍ତୁତ ହେଉଥିଲା।
ଯବତମାଲ୍ର ଏହି ଗୋଷ୍ଠୀ ଗୁରୁଦ୍ଵାର ପରିସରରେ ଏହି ବ୍ୟବସ୍ଥାରେ ପହଞ୍ଚିଥିବା ପ୍ରଥମ ଗୋଷ୍ଠୀ। ସେମାନେ ନଭେମ୍ବର ୨୭ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ଏଠାରେ ପହଞ୍ଚିଥିଲେ। ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟିର ସଦସ୍ୟ ଏବଂ ନେସନ୍ ଫର୍ ଫାର୍ମର୍ସର ସ୍ଵେଚ୍ଛାସେବୀମାନେ ସେମାନଙ୍କୁ ସ୍ଵାଗତ କରିବା ସହ ରାତ୍ରୀ ରହଣୀ ଏବଂ ଖାଦ୍ୟର ବ୍ୟବସ୍ଥା କରିଥିଲେ।
ଏଠାରେ ପହଞ୍ଚିବାକୁ ମହାରାଷ୍ଟ୍ର-ଆନ୍ଧ୍ରପ୍ରଦେଶ ସୀମାର କେଲାପୁର ତାଲୁକାର ପିମ୍ପଲକୁଟି ଗ୍ରାମରୁ ଆସିଥିବା କୋଲାମ ଆଦିବାସୀ କୃଷକମାନେ ନନ୍ଦିଗ୍ରାମ୍ ଏକ୍ସପ୍ରେସ୍ରେ ପ୍ରାୟ ୭ଘଣ୍ଟା ଯାତ୍ରା କରିଥିଲେ। ସେମାନେ ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ନାଗପୁରରେ ପହଞ୍ଚିଲେ। ସେଠାରୁ କେରଳରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ଧରି ସେମାନେ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିଥିଲେ।








