୬୦ ବର୍ଷୀୟ ମଣି କହିଲେ, ‘‘ଥରେ ମୋତେ ଜଣେ ପୌର ଅଧିକାରୀ କହିଲେ ତୁମେ ଯଦି ସେଫ୍ଟି ସୁଟ୍ ପିନ୍ଧିବ, ଜଣେ ମହାକାଶଚାରୀ ଭଳି ଦେଖାଯିବ।’’ ମଣି ହେଉଛନ୍ତି କୋଇମ୍ବାଟୁର ନଗର ନିଗମର ଜଣେ ସଫେଇ କର୍ମଚାରୀ। ମଇଳା ସଫା କରିବାକୁ ସେ ସୁରେଜ ଭିତରେ ପଶନ୍ତି। ‘‘ମୁଁ ତାଙ୍କୁ ନମ୍ରତାର ସହ କହିଲି, ଆପଣ ଆଗ ଚେଷ୍ଟା କରନ୍ତୁ, ମୁଁ ଆପଣଙ୍କୁ ଅନୁକରଣ କରିବି।’’
ମଣି (ସେ କେବଳ ତାଙ୍କ ପ୍ରଥମ ନାମ ବ୍ୟବହାର କରନ୍ତି) କହି ଚାଲିଲେ, ‘‘ଭାରତରେ କୌଣସି ଅଧିକାରୀ ଯଦି ଆମକୁ ସେଫ୍ଟି ସୁଟ୍ ଏବଂ ଅମ୍ଳଜାନ ମୁଖା ପିନ୍ଧି ମ୍ୟାନହୋଲ କିମ୍ବା ସୁରେଜ ଲାଇନ ଭିତରେ ପଶିବାକୁ କହନ୍ତି ତେବେ ସେ ଜାଣି ନାହାନ୍ତି କିମ୍ବା ମହାନତା ଦେଖାନ୍ତି, କାରଣ ତା ଭିତରେ ପଶିବାକୁ ବାଟ ନାହିଁ। ଆମେ ତା ଭିତରେ କେବଳ ଚଡ଼ି (ଭିତର ପ୍ୟଣ୍ଟ) ପିନ୍ଧି ପଶି ପାରିବୁ। ସେମାନେ କେବଳ ଆମକୁ ବୋକା ବନେଇବାକୁ ଚାହାନ୍ତି। ଆମ ପ୍ରତି ସେମାନଙ୍କର ଖାତିର ନାହିଁ, କାରଣ ସେମାନେ ଭାବନ୍ତି ଆମ ଶରୀର ମୂଲ୍ୟହୀନ ଏବଂ କେବଳ ଏଇ କାମ କରିବାକୁ ଆମ ଜାତି ଗଢା ହୋଇଛି। ’’
ତଥାପି, ମଣି ତାଙ୍କ ଦକ୍ଷତା ଏବଂ ଅଭିଜ୍ଞତାକୁ ନେଇ ଗର୍ବ ଅନୁଭବ କରନ୍ତି। ମ୍ୟାନହୋଲ ଭିତରରେ କିଭଳି ପଶିବାକୁ ହୁଏ ଏବଂ ଉତ୍କଟ ଗ୍ୟାସ ସହ କେମିତି ମୁକାବିଲା କରିବାକୁ ପଡ଼େ, ସେ ନେଇ ଅନ୍ୟ ସଫେଇ କର୍ମଚାରୀଙ୍କୁ ସେ ତାଲିମ ଦିଅନ୍ତି। ସେ କହନ୍ତି, ‘‘ ଆଜିକାଲି ସମସ୍ତେ ଆମକୁ ଶିକ୍ଷା ଦେବାକୁ ଚାହାନ୍ତି’’, ‘‘କିନ୍ତୁ ସମସ୍ୟା କଣ ଆମେ ତାହା ଅନ୍ୟମାନଙ୍କଠାରୁ ଅଧିକ ଜାଣିଛୁ। ମୃତ୍ୟୁ ରୋକିବାକୁ ହେଲେ ସରକାରଙ୍କୁ ସିୱେଜ ଲାଇନ୍ ଏବଂ ମ୍ୟାନହୋଲ୍ର ଆଧୁନିକିକରଣ କରିବାକୁ ପଡ଼ିବ। ବାକି କଥା କେବଳ ଚୂନ ମାରିବ।’’
ସେ ଯେତେବେଳେ ଛୋଟ ଥିଲେ, ତାଙ୍କ ବାପା ସୁବନ ଓ ମା ପୋନି କୋଏମ୍ବାଟୁରର ଏକ ସରକାରୀ ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିଲେ। ସେ କହନ୍ତି, ‘‘ଆମେ ହସ୍ପିଟାଲ ପରିସର ଭିତରେ ରହୁଥିଲୁ’’। ‘‘ସ୍କୁଲ ଛୁଟି ହେବା ପରେ, ମୁଁ ସିଧାସଳଖ ଡାକ୍ତରଖାନା ଯାଇ ଇସିଜି, ଏକ୍ସ-ରେ ଏବଂ ପୋଷ୍ଟମର୍ଟମ୍ କାମରେ ସାହାଯ୍ୟ କରୁଥିଲି। ୧୯୬୦ ମସିହାରେ ଏହି କାମ ପାଇଁ ସେମାନେ ମୋତେ ଦିନକୁ ୫-୧୦ ପଇସା ଦିଅନ୍ତି। ମୁଁ ଅଷ୍ଟମ ପର୍ଯ୍ୟନ୍ତ ପଢିଲି, ତା ପରେ ମେହେନ୍ତର ହେଲି।’’
ଚକଲିଆର ଜାତିର ମଣି ଜଣେ ଦଳିତ। ସେ ସ୍କୁଲ ଛାଡିବାର କାରଣ ଶିକ୍ଷକ ଏବଂ ସହପାଠୀମାନେ ତାଙ୍କୁ ଥୋଟି ଡାକନ୍ତି, ଦକ୍ଷିଣ ଭାରତରେ ମେହେନ୍ତର ଜାତି ପାଇଁ ଏହା ଏକ ଅପମାନଜନକ ଶବ୍ଦ। ଏଥିସହ ତାଙ୍କୁ ଅଲଗା ବସିବାକୁ କୁହନ୍ତି। ମଣି କହିଲେ, ‘‘ସେମାନେ ମୋତେ ଖରାପ ବ୍ୟବହାର କରନ୍ତି କାରଣ ମୁଁ ମୃତଦେହ ଉଠାଏ ଏବଂ ମଇଳା ସଫାକରେ। ଶିକ୍ଷକମାନେ ମୋତେ କ୍ଲାସରୁମ୍ ବାହାରେ ବସିବାକୁ କହନ୍ତି। ’’
ମଣିଙ୍କ ସ୍ତ୍ରୀ ନାଗାମ୍ମା ଜିଲ୍ଲା ପ୍ରଥମିକ ଶିକ୍ଷା କାର୍ଯ୍ୟାଳୟରେ ଝାଡୁ ମାରନ୍ତି। ସେଠାରୁ ସେ ମାସିକ ୧୫,୦୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କ ବାପା ନେସାୟାର ଏବଂ ମା କିରୁବା ମଧ୍ୟ ସଫେଇ କର୍ମଚାରୀ। ସେ କହନ୍ତି, ‘‘ମୁଁ ସେଣ୍ଟ ମେରୀ ସ୍କୁଲରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି। ସେଠି ମୁଁ କୌଣସି ଭେଦଭାବ ଦେଖିନି, କିନ୍ତୁ ବାହାର ଦୁନିଆରେ ମୁଁ ଅସ୍ପୃଶ୍ୟ। ଖ୍ରୀଷ୍ଟିଆନ ହୋଇଥିବାରୁ ମୋର ସଂରକ୍ଷଣ ନାହିଁ, ତେଣୁ ନଗର ନିଗମରେ ମୋତେ ନିଯୁକ୍ତି ମିଳିଲାନି। ମୁଁ ଖୁବ୍ କମ୍ ବୟସରେ ବାହା ହେଲି ଏବଂ ମୋ ନାଁ ହେଲା ଏମ୍.ନାଗାମ୍ମା। ଏହାର ଉଚ୍ଚାରଣ ହିନ୍ଦୁ ଶବ୍ଦ ଭଳି ହୋଇଥିବାରୁ ମୋତେ ଏହି ସରକାରୀ ଚାକିରୀ ଖଣ୍ଡକ ମିଳିଲା [ଝାଡ଼ୁଦାର ଭାବେ]।’’ ନାଗାମ୍ମା ୩୦ ବର୍ଷ ହେଲା ଝାଡ଼ୁଦାର କାର୍ଯ୍ୟ କରୁଛନ୍ତି, ସେ ୨୦୨୦ରେ ଅବସର ନେବେ।
ମଣିଙ୍କୁ ଯେତେବେଳେ ୨୭ ବର୍ଷ ହୋଇଥିଲା, ସେତେବେଳୁ ସେ ଏହି କାମ କରି ଆସୁଛନ୍ତି। ଏବେ ସେ ମାସକୁ ୧୬,୦୦୦ ଟଙ୍କା ପାଉଛନ୍ତି। ଏହା ପୂର୍ବରୁ ଠିକା ଶ୍ରମିକ ଭାବେ ସେ ଏହି ସମାନ କାର୍ଯ୍ୟ କରୁଥିଲେ। ସେ କହନ୍ତି, ‘‘ଏହି ସବୁ ବର୍ଷଗୁଡିକରେ ମୋ ଦେହ କେବଳ ଆବର୍ଜନା ସଫା କରିବାରେ ବ୍ୟବହାର ହୋଇଛି। କିନ୍ତୁ ମୁଁ ଯେତେବେଳେ ଆରମ୍ଭ କଲି, ମୋର ମନେ ଅଛି ଏହା ମୋ ପାଇଁ କେତେ କଷ୍ଟକର ଥିଲା। ସମସ୍ତ ପୋଷାକ ଖୋଲି କେବଳ ଅନ୍ତବସ୍ତ୍ର ବିନ୍ଧି ନଳା ଭିତରେ ପଶିବାକୁ ପଡ଼ୁଥିଲା। ଅତି କମରେ ଗୋଟେ ବର୍ଷ ପଯ୍ୟନ୍ତ ମୋତେ ଖୁବ୍ ଲାଜ ଲାଗୁଥିଲା, ଯେତେବେଳେ ମୁଁ ରାସ୍ତାରେ ପୋଷାକ ଖୋଲୁଥିଲି। ତେବେ ସମୟ ଏବଂ ପ୍ରତିକୂଳ ପରିବେଶ ହେଉଛି ସୁବଠୁ ଉତ୍ତମ ଶିକ୍ଷକ। ଆମ ଜାତି ହେଉଛି ଆମ ଭାଗ୍ୟ, ଏହା ଆମ କପାଳରେ ଲେଖାଯାଇଛି। ତମେ ଯଦି ଥୋଟି କୂଳରେ ଜନ୍ମ ହୋଇଛ, ସାରା ଜୀବନ ଆବର୍ଜନାର ଦୁର୍ଭାଗ୍ୟ ଭିତରେ କଟିଯିବ। ମେହେନ୍ତର ହେବାକୁ ସମାଜ ତୁମକୁ ବାଧ୍ୟ କରିବ। ଏହି ଦୁର୍ଭାଗ୍ୟରୁ ମୁକୁଳିବାକୁ ହେଲେ ଦୃଢ ଇଛା ଶକ୍ତି ଏବଂ ପରିବାରର ସମର୍ଥନ ଆବଶ୍ୟକ। ଆମେ ଏଥିପାଇଁ ସକ୍ଷମ ନଥିଲୁ। କିନ୍ତୁ ଆମ ପିଲାଙ୍କୁ ଏଥିରୁ ମୁକ୍ତି ଦେବାକୁ ଆମେ ବାଟ ତିଆରି କରିଛୁ।’’
ଉଭୟ ମଣି ଏବଂ ନାଗମ୍ମା ଚାହୁଁଥିଲେ ତାଙ୍କର ଏହି ଜାତିଭିତ୍ତିକ କାମ ତାଙ୍କଠାରେ ହିଁ ଶେଷ ହେଉ। ସେମାନେ ନିଶ୍ଚିତ ଥିଲେ ଯେ ସେମାନଙ୍କ ପିଲାମାନେ ସମାନ ଭେଦଭାବର ଶିକାର ହେବା ସେମାନେ ଦେଖିବେ ନାହିଁ। ମଣି କହନ୍ତି, ‘‘ମୋର କେବଳ ଗୋଟିଏ ସ୍ୱପ୍ନ - ମୋ ପିଲାମାନେ ଏହି ଦୁର୍ଭାଗ୍ୟ ଆଉ ଏହି ଦୁର୍ଗନ୍ଧରୁ ମୁକ୍ତି ପାଆନ୍ତୁ।’’ ମୁଁ ଆଉ ମୋ ସ୍ତ୍ରୀ ଏହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ସଂଘର୍ଷ କରିଛୁ।’’ ତାଙ୍କ ଝିଅ ତୁଳସୀ ବିବାହିତା।ସେ ଏକ ପୋଷାକ କମ୍ପାନୀରେ ପ୍ରଡକ୍ଟ କଣ୍ଟ୍ରୋଲ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ପୁଅ ମୂର୍ତ୍ତି ଏକ ଘରୋଇ କମ୍ପାନୀରେ କାମ କରନ୍ତି।


