ଜୁନ୍ ଓ ତା’ ପରବର୍ତ୍ତୀ ବର୍ଷା ମାସଗୁଡ଼ିକୁ ଭୟ କରନ୍ତି ଚାଷୀ ସୁନନ୍ଦା ସୁପେ। ଏହା ହିଁ ବର୍ଷର ସେହି ସମୟ, ଯେଉଁ ସମୟରେ କି ଦରକୱାଡ଼ି ଗାଁରେ ଥିବା ତାଙ୍କର ଏକ ଏକର ଚାଷଜମିରେ ପଶିଯାଆନ୍ତି ବିଶାଳକାୟ ଆଫ୍ରିକୀୟ ଗେଣ୍ଡାମାନେ। ସ୍ଥାନୀୟ ଭାଷାରେ ମୋଠେ ଗୋଗଲଗାୟେ କୁହାଯାଉଥିବା ଏହି ଗେଣ୍ଡାମାନେ ତାଙ୍କର ଫସଲ ଓ ଫଳ ନଷ୍ଟ କରିଦିଅନ୍ତି।

ସେ କହନ୍ତି, “ଧାନ, ସୋୟାବିନ୍, ଚିନାବାଦାମ, କାଲା ଭେୱଡ଼ା (କଳା ଶିମ୍ବ), ବରୁଗୁଡ଼ି ଛୁଇଁ (ରାଜମା) - ଯାହା କିଛି ବି ଆମେ ବୁଣୁ, ସେମାନେ ସବୁ ଖାଇଦିଅନ୍ତି”। ଏମିତି କି ଆମ୍ବ, ଚିକୁ (ସପେଟା) ଅମୃତଭଣ୍ଡା ଓ ପିଜୁଳି ବି ସେମାନଙ୍କ ଦାଉରୁ ବର୍ତ୍ତି ଯାଏନି। “ଚାରିଆଡ଼େ ଆମେ ହଜାର ହଜାର ସଂଖ୍ୟାରେ ଖାଲି ଗେଣ୍ଡା ଦେଖିପାରୁ,” ବୋଲି କହନ୍ତି ୪୨ ବର୍ଷୀୟା ଏହି ଚାଷୀ ଜଣକ।

ମହାରାଷ୍ଟ୍ରରେ ଅଧିସୂଚିତ ଜନଜାତି ତାଲିକାଭୁକ୍ତ ମହାଦେବ କୋଲି ସଂପ୍ରଦାୟର ସୁନନ୍ଦା, ତାଙ୍କ ମାଆ ଓ ଭାଇଙ୍କ ସହ ଚାସକମାନ ନଦୀବନ୍ଧ ନିକଟରେ ରହନ୍ତି। ବନ୍ଧର ଗୋଟିଏ ପଟେ ତାଙ୍କ ଘର ଏବଂ ଅନ୍ୟପଟେ ଚାଷଜମି। ପ୍ରତିଦିନ ଘର ଓ ଚାଷଜମିକୁ ଯା’ଆସ କରିବା ଲାଗି ତାଙ୍କୁ ଥରକରେ ଅଧା ଘଣ୍ଟା ଲେଖାଏଁ ଡଙ୍ଗା ବାହିବାକୁ ପଡ଼େ।

ସାରା ବିଶ୍ବରେ ଆକ୍ରମଣକାରୀ ପ୍ରଜାତି ସଂପର୍କିତ ତଥ୍ୟାବଳୀ ସନ୍ନିହିତ ଗ୍ଲୋବାଲ ଇନଭେସିଭ୍ ସ୍ପିସିଜ୍ ଡାଟାବେସ୍ ଅନୁସାରେ, ଭାରତରେ ଦେଖାଯାଉଥିବା ଏହି ବିଶାଳ ଆଫ୍ରିକୀୟ ଗେଣ୍ଡା ( Achatina fulica ) ଏକ ପ୍ରକାରର ଆକ୍ରମଣକାରୀ ପ୍ରଜାତିର ଗେଣ୍ଡା ଏବଂ ଏମାନେ ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟ ଖାଇ ବଞ୍ଚି ରହନ୍ତି। ବର୍ଷା ଋତୁରେ, ଜୁନରୁ ସେପଟେମ୍ବର ମାସ ପର୍ଯ୍ୟନ୍ତ, ଏହି ଗେଣ୍ଡାମାନେ ତିୱାଇ ପର୍ବତ ପାଦଦେଶରେ ଥିବା ଚାଷଜମିରେ ଦେଖାଯାଆନ୍ତି। କେତେକ ସମୟରେ ସେମାନେ ହୁଏତ ଆଉ ଅଧିକ କିଛି ମାସ ପର୍ଯ୍ୟନ୍ତ ରହିପାରନ୍ତି। ୨୦୨୨ ମସିହା ଶେଷଭାଗରେ, ଏହି ରିପୋର୍ଟରଙ୍କ ସହ କଥାବାର୍ତ୍ତା ଅବସରରେ ସୁନନ୍ଦା କହନ୍ତି ଯେ, ଆଜିକୁ ତିନି ବର୍ଷ ହେଲା ସେ ଏହି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି।

Sunanda Soope (left), a farmer in Darakwadi village of Pune district says that her farm (right) has been affected by Giant African Snails
PHOTO • Devanshi Parekh
Sunanda Soope (left), a farmer in Darakwadi village of Pune district says that her farm (right) has been affected by Giant African Snails
PHOTO • Devanshi Parekh

ପୁଣେ ଜିଲ୍ଲା ଦରକୱାଡ଼ି ଗାଁର ଜଣେ ଚାଷୀ ସୁନନ୍ଦା ସୁପେ (ବାମ) କହନ୍ତି  ଯେ, ବିଶାଳକାୟ ଆଫ୍ରିକୀୟ ଗେଣ୍ଡା ଲାଗୁଥିବାରୁ ତାଙ୍କ ଚାଷଜମି (ଡାହାଣ) କ୍ଷତିଗ୍ରସ୍ତ ହୋଇଆସୁଛି

Giant African Snails on the trunk of papaya tree (left) and on young mango plant (right) in Sunanda's farm. She says, 'The snails destroyed everything'
PHOTO • Sunanda Soope
Giant African Snails on the trunk of papaya tree (left) and on young mango plant (right) in Sunanda's farm. She says, 'The snails destroyed everything'
PHOTO • Sunanda Soope

ସୁନନ୍ଦାଙ୍କ କ୍ଷେତର ଅମୃତଭଣ୍ଡା ଗଛ ଗଣ୍ଡିରେ (ବାମ) ଏବଂ ଛୋଟ ଆମ୍ବ ଗଛରେ (ଡାହାଣ) ଲାଗିଛନ୍ତି ବିଶାଳକାୟ ଆଫ୍ରିକୀୟ ଗେଣ୍ଡା। ସେ କହନ୍ତି, ଗେଣ୍ଡାମାନେ ସବୁ କିଛି ନଷ୍ଟ କରିଦେଲେ

ନାରାୟଣଗାଓଁସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ନୋଡାଲ୍ ଅଫିସର ଡକ୍ଟର ରାହୁଲ ଘଡଗେ କହନ୍ତି, “ସେମାନେ ପ୍ରଥମେ କେମିତି ଆସିଲେ ସେ କଥା ମୁଁ କହିପାରିବିନି। ଗୋଟିଏ ଗେଣ୍ଡା ଦିନକରେ ଏକ କିଲୋମିଟର ଯାଏ ଯାଇପାରିବ ଏବଂ ସେମାନେ ଅଣ୍ଡାରୁ ଛୁଆ ଫୁଟାଇ ବଂଶବୃଦ୍ଧି କରନ୍ତି।” ସେ ନିରୀକ୍ଷଣ କରିଛନ୍ତି ଯେ, ଗେଣ୍ଡାମାନେ ଜାନୁଆରୀ ମାସରେ ଖୋଳ ଭିତରେ ପଶି ନିଷ୍ପନ୍ଦ ଅବସ୍ଥାରେ ରହନ୍ତି ଏବଂ ବାତାବରଣ ଉଷ୍ମ ହେଲେ ଖୋଳ ବାହାରକୁ ସେତେବେଳେ ଆସନ୍ତି, ଯେତେବେଳେ “ସେମାନଙ୍କ ବଞ୍ଚିବା ପାଇଁ ଆବଶ୍ୟକ ତାପମାତ୍ରା ଲାଗି ରହେ,” ବୋଲି ସେ କହନ୍ତି।

ସୁନନ୍ଦା କହନ୍ତି, “ମୁଁ କ୍ଷେତରେ କଳା ଶିମ୍ବ ଏବଂ ରାଜମା (ବରୁଗୁଡ଼ି ଛୁଇଁ) ଲଗାଇଥିଲି। ଗେଣ୍ଡାମାନେ ସବୁ ନଷ୍ଟ କରିଦେଲେ। ମୁଁ ୫୦ କିଲୋଗ୍ରାମ ଅମଳ କରିବି ବୋଲି ଆଶା କରିଥିଲି। କିନ୍ତୁ ମାତ୍ର ଗୋଟିଏ କିଲୋ ଅମଳ ହେଲା।” ରାଜମା କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହୁଏ। ସୁନନ୍ଦା ଲଗାଇଥିବା କଳା ବରୁଗୁଡ଼ି ଛୁଇଁ ଏବଂ ଚିନାବାଦାମ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତି ନଥିଲା। ତାଙ୍କ ଆକଳନ ଅନୁସାରେ କେବଳ ଚିନାବାଦାମ ନଷ୍ଟ ବାବଦରେ ତାଙ୍କର ପ୍ରାୟ ୧୦,୦୦୦ ଟଙ୍କା କ୍ଷତି ହୋଇଛି।

ସେ କହନ୍ତି, “ଆମେ ଦୁଇଟି ଋତୁରେ କ୍ଷେତରେ ବିହନ ବୁଣିଥାଉ। ବର୍ଷା ଋତୁରେ ( ଖରିଫ ) ଏବଂ  ଦିୱାଲି ପରେ ( ରବି )।” ଗତ ବର୍ଷ ଜମିରେ ଗେଣ୍ଡା ମାଡ଼ି ଯାଇଥିବାରୁ ବର୍ଷାଦିନ ପରେ ସେ ଦୁଇ ମାସ ପାଇଁ ଜମି ପଡ଼ିଆ ରଖିଲେ। କଥା ଆଗକୁ ବଢ଼ାଇ ସେ କହନ୍ତି, “ଶେଷରେ ଡିସେମ୍ବରରେ ଆମେ ହରବରା (ସବୁଜ ଚଣା), ଗହମ, ଚିନାବାଦାମ ଏବଂ ପିଆଜ ବିହନ ବୁଣିପାରିଲୁ।”

ଡକ୍ଟର ଘଡ଼ଗେଙ୍କ ଆକଳନ ଅନୁସାରେ, ମହାରାଷ୍ଟ୍ରର ପାଞ୍ଚରୁ ୧୦ ପ୍ରତିଶତ ଚାଷଜମିରେ ଗେଣ୍ଡା ମାଡ଼ି ଯାଇଛନ୍ତି। ସେ କହନ୍ତି, “ଜନ୍ମ ପରେ ବଢ଼ିବା ସମୟରେ ସେମାନେ (ଗେଣ୍ଡାମାନେ) ଗଛର କଅଁଳ କାଣ୍ଡ ଖାଇବାକୁ ବେଶୀ ପସନ୍ଦ କରନ୍ତି ଏବଂ ଏହା ଫଳରେ ଚାଷୀଙ୍କ କ୍ଷତି ବହୁଗୁଣିତ ହୋଇଥାଏ। ଏହି କାରଣରୁ ଚାଷୀମାନେ ପ୍ରକୃତରେ କ୍ଷତି ସହୁଛନ୍ତି।”

Nitin Lagad on his 5.5 acre farm in Darakwadi village, also affected by the Giant African Snails. He had to leave his farm empty for four months because of the snails.
PHOTO • Devanshi Parekh
Nitin Lagad on his 5.5 acre farm in Darakwadi village, also affected by the Giant African Snails. He had to leave his farm empty for four months because of the snails.
PHOTO • Devanshi Parekh

ଦରକୱାଡ଼ି ଗାଁରେ ତାଙ୍କ .୫ ଏକର ଚାଷଜମିରେ ନୀତିନ ଲଗଡ଼ ତାଙ୍କ ଜମି ମଧ୍ୟ ଏହି ବିଶାଳକାୟ ଆଫ୍ରିକୀୟ ଗେଣ୍ଡାରେ କ୍ଷତିଗ୍ରସ୍ତ ହୋଇଛି ଗେଣ୍ଡାମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ତାଙ୍କୁ ଚାରି ମାସ କାଳ ଜମିକୁ ପଡ଼ିଆ ପକାଇ ରଖିବାକୁ ପଡ଼ିଲା

Left: Nitin has now sown onion but the snails continue to affect the crop.
PHOTO • Devanshi Parekh
Right: Eggs laid by the snails
PHOTO • Nitin dada Lagad

ବାମ : ନୀତିନ ଏବେ ତାଙ୍କ ଜମିରେ ପିଆଜ ଲଗାଇଛନ୍ତି, ହେଲେ ଗେଣ୍ଡାମାନେ ଫସଲ ନଷ୍ଟ କରିଚାଲିଛନ୍ତି ଡାହାଣ : ଗେଣ୍ଡା ଦେଇଥିବା ଅଣ୍ଡା

ଦରକୱାଡ଼ି ଗାଁର ୩୫ ବର୍ଷୀୟ ଚାଷୀ ନୀତିନ ଲଗଡ଼ ମଧ୍ୟ ପ୍ରତି ବର୍ଷ ସମାନ ଧରଣର ପରିସ୍ଥିତିର ସମ୍ମୁଖୀନ ହୋଇଆସୁଛନ୍ତି ଏବଂ ଗେଣ୍ଡା ଉପଦ୍ରବକୁ ଦାୟୀ କରିଆସୁଛନ୍ତି: “ଏ ବର୍ଷ ୭୦ରୁ ୮୦ ବସ୍ତା (ମୋଟାମୋଟି ୬,୦୦୦ କିଲୋ) ସୋୟାବିନ୍ ଅମଳ ହେବ ବୋଲି ଆମେ ଆଶା କରିଥିଲୁ କିନ୍ତୁ ପ୍ରାୟ ୪୦ ବସ୍ତା (୨,୦୦୦ କିଲୋ) ମାତ୍ର ଅମଳ କରିପାରିଲୁ।”

ସାଧାରଣତଃ ସେ ତାଙ୍କର ୫.୫ ଏକର ଚାଷଜମିରେ ତିନିଟି ପର୍ଯ୍ୟାଯରେ ଚାଷ କରିଥାଆନ୍ତି। ଗେଣ୍ଡାମାନେ ଫସଲ ନଷ୍ଟ କରିଦେଉଥିବା କାରଣରୁ ଏ ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ସେ କୌଣସି ପ୍ରକାର ଚାଷ କରିପାରି ନଥିଲେ। ସେ କହନ୍ତି, “ଚାରି ମାସ କାଳ ଆମେ ଜମିକୁ ସେମିତି ଛାଡ଼ି ଦେଲୁ। ଏବେ କ୍ଷତିର ଆଶଙ୍କା ରହିଥିବା କଥା ଜାଣି ମଧ୍ୟ ଆମେ ପିଆଜ ବିହନ ବୁଣିଛୁ।”

ଗେଣ୍ଡା ବା ଅନୁରୂପ ବଡ଼ ବଡ଼ ପୋକ ମାରିବାକୁ ଚାଷଜମିରେ ପ୍ରୟୋଗ ଲାଗି ଉଦ୍ଦିଷ୍ଟ ରାସାୟନିକ ଔଷଧ ବା ‘ମୋଲ୍ଲୁସ୍କିସାଇଡସ୍’ ମଧ୍ୟ ଏ କ୍ଷେତ୍ରରେ କାମ ଦେଇନାହିଁ। ଏ ସଂପର୍କରେ ବୁଝାଇବାକୁ ଯାଇ ନୀତିନ କହନ୍ତି, “ଆମେ ମାଟି ଉପରେ ଔଷଧ ପକାଇ ଦେଉ। ହେଲେ ଗେଣ୍ଡାମାନେ ମାଟି ତଳେ ଥାଆନ୍ତି। ତେଣୁ ଔଷଧ ନଷ୍ଟ ହୁଏ। ଆପଣ ଯଦି ସେମାନଙ୍କୁ ଧରି ଔଷଧ ଦେବେ, ତାହା ଖୋଳ ଭିତରକୁ ହିଁ ଯାଏ। ତେଣୁ ଏ ଔଷଧ ଆଦୌ କାମରେ ଲାଗିପାରି ନାହିଁ।”

Left: Giant African Snails near Sunanda Soope’s farm.
PHOTO • Devanshi Parekh
Right: Shells of dead Giant African Snails which were collected after they were killed in a drum of salt water
PHOTO • Devanshi Parekh

ବାମ : ସୁନନ୍ଦା ସୁପେଙ୍କ ଜମି ନିକଟରେ ବିଶାଳକାୟ ଆଫ୍ରିକୀୟ ଗେଣ୍ଡା ଡାହାଣ : ଗୋଟିଏ ଡ୍ରମ୍ ଲୁଣପାଣି ପକାଇବା ପରେ ମରିଯାଇଥିବା ବିଶାଳକାୟ ଆଫ୍ରିକୀୟ ଗେଣ୍ଡାମାନଙ୍କ ଖୋଳ

ନିରୁପାୟ ହୋଇ ଶେଷରେ ସେମାନେ ହାତରେ ଗେଣ୍ଡା ଗୋଟାଇବାକୁ ବାଧ୍ୟ ହେଲେ ବୋଲି ଦରକୱାଡ଼ିର ଚାଷୀମାନେ କହନ୍ତି। ପ୍ଲାଷ୍ଟିକ୍ ବ୍ୟାଗକୁ ଗ୍ଲୋବସ୍ ଭଳି ହାତରେ ପିନ୍ଧି ସେମାନେ ଗେଣ୍ଡା ଗୋଟାଇ ଲୁଣପାଣି ଭର୍ତ୍ତି ଡ୍ରମରେ ପକାଇ ଦିଅନ୍ତି ଏବଂ ଲୁଣପାଣିରେ ସେମାନ ପ୍ରଥମେ ନିଷ୍ପ୍ରାଣ ହୋଇ ପଡ଼ି ରହନ୍ତି ଏବଂ ପରେ ମରିଯାଆନ୍ତି।

ସୁନନ୍ଦା କହନ୍ତି, “ସେମାନେ (ଡ୍ରମରୁ) ବାହାରକୁ ବାହାରି ଆସୁଥିଲେ। ଆମକୁ ବାରମ୍ବାର କେଞ୍ଚି କେଞ୍ଚି ସେମାନଙ୍କୁ ଡ୍ରମ୍ ଭିତରେ ରଖିବାକୁ ପଡୁଥିଲା। ପାଞ୍ଚ ଥର ଯାଏ ସେମାନଙ୍କୁ ଡ୍ରମ୍ ଭିତରକୁ କେଞ୍ଚିବାକୁ ପଡ଼ିଲା। ତା’ପରେ ସେମାନେ (ଶେଷରେ) ମଲେ।”

ନୀତିନଙ୍କ ୫.୫ ଏକର ଚାଷଜମିରୁ ସେ ଓ ତାଙ୍କର କେତେକ ସାଙ୍ଗ ମିଶି ଥରକରେ ୪୦୦ରୁ ୫୦୦ ଗେଣ୍ଡା ସଂଗ୍ରହ କଲେ। ପିଆଜ ବୁଣିବା ପୂର୍ବରୁ ସେମାନେ ଜମିକୁ ଗେଣ୍ଡା ଦାଉରୁ ରକ୍ଷା କରିବା ଲାଗି ଯେତେଦୂର ସମ୍ଭବ ଖୁବ ଭଲ ଭାବରେ ପରିଷ୍କାର କଲେ। ତଥାପି ଜମିରେ ଗେଣ୍ଡା ଦିଶୁଥିଲେ। ନୀତିନଙ୍କ କହିବା ଅନୁସାରେ ଗେଣ୍ଡାମାନେ ତାଙ୍କ ଜମିର ପ୍ରାୟ ୫୦ ପ୍ରତିଶତ ନଷ୍ଟ କରିସାରିଲେଣି।

ସୁନନ୍ଦା କହନ୍ତି, “ଦିନକରେ ଶହ ଶହ ଗେଣ୍ଡା ଧରି ଆମେ ଜମିର ଏକ ବଡ଼ ଭାଗ ସଫା କରୁ ଏବଂ ତା’ପରଦିନ ସେଠାରେ ପୁଣି ସେତିକି ଗେଣ୍ଡା ଦେଖାଯାଆନ୍ତି।”

“ଜୁନ୍ ମାସରେ, ଗେଣ୍ଡାମାନେ (ପୁଣି) ଆସିବା ଆରମ୍ଭ କରିବେ,” ଭୟମିଶ୍ରିତ କଣ୍ଠରେ ସେ କହନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Devanshi Parekh

Devanshi Parekh is a recent graduate of FLAME University and interned with PARI from December 2022 to February 2023.

यांचे इतर लिखाण Devanshi Parekh
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

यांचे इतर लिखाण Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE