ଜୁନ୍ ଓ ତା’ ପରବର୍ତ୍ତୀ ବର୍ଷା ମାସଗୁଡ଼ିକୁ ଭୟ କରନ୍ତି ଚାଷୀ ସୁନନ୍ଦା ସୁପେ। ଏହା ହିଁ ବର୍ଷର ସେହି ସମୟ, ଯେଉଁ ସମୟରେ କି ଦରକୱାଡ଼ି ଗାଁରେ ଥିବା ତାଙ୍କର ଏକ ଏକର ଚାଷଜମିରେ ପଶିଯାଆନ୍ତି ବିଶାଳକାୟ ଆଫ୍ରିକୀୟ ଗେଣ୍ଡାମାନେ। ସ୍ଥାନୀୟ ଭାଷାରେ ମୋଠେ ଗୋଗଲଗାୟେ କୁହାଯାଉଥିବା ଏହି ଗେଣ୍ଡାମାନେ ତାଙ୍କର ଫସଲ ଓ ଫଳ ନଷ୍ଟ କରିଦିଅନ୍ତି।
ସେ କହନ୍ତି, “ଧାନ, ସୋୟାବିନ୍, ଚିନାବାଦାମ, କାଲା ଭେୱଡ଼ା (କଳା ଶିମ୍ବ), ବରୁଗୁଡ଼ି ଛୁଇଁ (ରାଜମା) - ଯାହା କିଛି ବି ଆମେ ବୁଣୁ, ସେମାନେ ସବୁ ଖାଇଦିଅନ୍ତି”। ଏମିତି କି ଆମ୍ବ, ଚିକୁ (ସପେଟା) ଅମୃତଭଣ୍ଡା ଓ ପିଜୁଳି ବି ସେମାନଙ୍କ ଦାଉରୁ ବର୍ତ୍ତି ଯାଏନି। “ଚାରିଆଡ଼େ ଆମେ ହଜାର ହଜାର ସଂଖ୍ୟାରେ ଖାଲି ଗେଣ୍ଡା ଦେଖିପାରୁ,” ବୋଲି କହନ୍ତି ୪୨ ବର୍ଷୀୟା ଏହି ଚାଷୀ ଜଣକ।
ମହାରାଷ୍ଟ୍ରରେ ଅଧିସୂଚିତ ଜନଜାତି ତାଲିକାଭୁକ୍ତ ମହାଦେବ କୋଲି ସଂପ୍ରଦାୟର ସୁନନ୍ଦା, ତାଙ୍କ ମାଆ ଓ ଭାଇଙ୍କ ସହ ଚାସକମାନ ନଦୀବନ୍ଧ ନିକଟରେ ରହନ୍ତି। ବନ୍ଧର ଗୋଟିଏ ପଟେ ତାଙ୍କ ଘର ଏବଂ ଅନ୍ୟପଟେ ଚାଷଜମି। ପ୍ରତିଦିନ ଘର ଓ ଚାଷଜମିକୁ ଯା’ଆସ କରିବା ଲାଗି ତାଙ୍କୁ ଥରକରେ ଅଧା ଘଣ୍ଟା ଲେଖାଏଁ ଡଙ୍ଗା ବାହିବାକୁ ପଡ଼େ।
ସାରା ବିଶ୍ବରେ ଆକ୍ରମଣକାରୀ ପ୍ରଜାତି ସଂପର୍କିତ ତଥ୍ୟାବଳୀ ସନ୍ନିହିତ ଗ୍ଲୋବାଲ ଇନଭେସିଭ୍ ସ୍ପିସିଜ୍ ଡାଟାବେସ୍ ଅନୁସାରେ, ଭାରତରେ ଦେଖାଯାଉଥିବା ଏହି ବିଶାଳ ଆଫ୍ରିକୀୟ ଗେଣ୍ଡା (Achatina fulica ) ଏକ ପ୍ରକାରର ଆକ୍ରମଣକାରୀ ପ୍ରଜାତିର ଗେଣ୍ଡା ଏବଂ ଏମାନେ ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟ ଖାଇ ବଞ୍ଚି ରହନ୍ତି। ବର୍ଷା ଋତୁରେ, ଜୁନରୁ ସେପଟେମ୍ବର ମାସ ପର୍ଯ୍ୟନ୍ତ, ଏହି ଗେଣ୍ଡାମାନେ ତିୱାଇ ପର୍ବତ ପାଦଦେଶରେ ଥିବା ଚାଷଜମିରେ ଦେଖାଯାଆନ୍ତି। କେତେକ ସମୟରେ ସେମାନେ ହୁଏତ ଆଉ ଅଧିକ କିଛି ମାସ ପର୍ଯ୍ୟନ୍ତ ରହିପାରନ୍ତି। ୨୦୨୨ ମସିହା ଶେଷଭାଗରେ, ଏହି ରିପୋର୍ଟରଙ୍କ ସହ କଥାବାର୍ତ୍ତା ଅବସରରେ ସୁନନ୍ଦା କହନ୍ତି ଯେ, ଆଜିକୁ ତିନି ବର୍ଷ ହେଲା ସେ ଏହି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି।












