ତାଙ୍କ ଘରଠାରୁ କିଛି ବାଟ ଦୂରରୁ ସେ କିଣିଥିବା ପାଣି ଭର୍ତ୍ତି ଛ’ଟି ପ୍ଲାଷ୍ଟିକ୍ ମାଠିଆକୁ ସ୍ୱତନ୍ତ୍ର ଭାବେ ନିର୍ମିତ ନିଜ ଟ୍ରଲିରେ ରଖି ତରବର ହୋଇ ରାସ୍ତା ପାର କରୁଥିବା ସି. ସୁବ୍ବୁଲକ୍ଷ୍ମୀଙ୍କ ମନରେ ନିର୍ବାଚନ ଓ ଭୋଟ ଗ୍ରହଣର ପ୍ରାସଙ୍ଗିକତା ନିହାତି କମ୍ । ସେ ଜଣେ କୃଷି ଶ୍ରମିକ ଏବଂ ଟ୍ରଲିଟି ଥିବାରୁ ତାଙ୍କୁ ପାଣି ବୋହି ନେବାକୁ ପଡୁନାହିଁ । କୁମାରେଡ୍ଡିୟାପୁରମ୍ର ଗାଁର ଏହି ବାସିନ୍ଦା କହନ୍ତି, “ଏହା ବିଲକୁଲ ଠିକ୍ ଯେ ଆମେ ଏକ ଝାମେଲାରେ ଫସିଯାଇଛୁ।”
ଭୋଟଦାନ ଅପେକ୍ଷା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ଶ୍ରେୟ ମଣନ୍ତି ୪୮ ବର୍ଷୀୟା ସୁବ୍ବୁଲକ୍ଷ୍ମୀ । କିନ୍ତୁ ତାଙ୍କ ଗାଁ ରହିଛି ଥୁଥୁକୁଡ଼ି ଲୋକସଭା ନିର୍ବାଚନ ମଣ୍ଡଳୀରେ, ଯେଉଁଠି ସମଗ୍ର ତାମିଲନାଡୁର ଏକ ବହୁଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍ (ଡିଏମ୍କେ)ର ପ୍ରାର୍ଥୀ ତଥା ବିଖ୍ୟାତ ଡିଏମ୍କେ ନେତା ସ୍ୱର୍ଗତ ଏମ. କରୁଣାନିଧିଙ୍କ ଝିଅ ଏମ୍.କାନିମୋଝିଙ୍କ ମୁକାବିଲା ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ତାମିଲିସାଇ ସୌନ୍ଦରାରାଜନ୍ଙ୍କ ସହିତ । ୨୦୧୪ରେ ଡିଏମ୍କେ ପ୍ରତିଦ୍ୱନ୍ଦ୍ୱୀ ଜେଗନ୍ ପି.ଙ୍କୁ ପରାସ୍ତ କରି ଏହି ଆସନରୁ ବିଜୟଲାଭ କରିଥିଲେ ଏଆଇଏଡିଏମ୍କେର ଜୟସିଂହ ଥିୟାଗରାଜ ।
୧୩ ଲକ୍ଷରୁ ଅଧିକ ଭୋଟଦାତାଙ୍କର ଏହି ନିର୍ବାଚନମଣ୍ଡଳୀକୁ ଅନ୍ୟ ଯେଉଁ ପ୍ରସଙ୍ଗଟି ଗୁରୁତ୍ୱ ପ୍ରଦାନ କରୁଛି, ତାହା ହେଲା ଗତ ବର୍ଷ ଥୁଥୁକୁଡ଼ି ସହରକୁ ଦୋହଲାଇ ଦେଇଥିବା ଦୁଃଖଦ ହିଂସାକାଣ୍ଡ। ଯେଉଁ ଘଟଣା ୨୪ କିଲୋମିଟର ଦୂର କୁମାରେଡ୍ଡିୟାପୁରମ୍ର ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା ।
୨୦୧୮ ଫେବ୍ରୁଆରୀ ୧୨ ତାରିଖ ଦିନ, ଷ୍ଟେର୍ଲାଇଟ୍ କପର ପ୍ଲାଣ୍ଟ୍ (ବେଦାନ୍ତ ଲିମିଟେଡ୍ର ଏକ ବ୍ୟାବସାୟିକ ସଂସ୍ଥା) ସଂପ୍ରସାରଣ ଯୋଜନା ବିରୋଧରେ ପ୍ରତିବାଦ କରିବା ପାଇଁ ଏହି ଗାଁର ପ୍ରାୟ ୩୦୦ ଲୋକ ଥୁଥୁକୁଡ଼ି ସହର କେନ୍ଦ୍ରରେ ବସି ରହିଥିଲେ। ଅନୁମତିପ୍ରାପ୍ତ ସମୟ ଅତିକ୍ରାନ୍ତ ହେବା ପରେ ବି ଆନ୍ଦୋଳନକାରୀମାନେ ସେହି ସ୍ଥାନ ଛାଡ଼ିବାକୁ ମନା କରିଦେଇଥିଲେ ଏବଂ ଶେଷରେ ଗିରଫ ହୋଇଥିଲେ। ଏହି ଗିରଫଦାରି ଯୋଗୁଁ ଗଢ଼ି ଉଠିଥିଲା ଏକ ବଡ଼ ଧରଣର ଆନ୍ଦୋଳନ, ଯେଉଁଥିରେ ଯୋଗ ଦେଇଥିବା ପ୍ରାୟ ୨ ଲକ୍ଷ ଲୋକ ୨୦୧୮ ମାର୍ଚ୍ଚ ୨୪ ତାରିଖ ଦିନ ଥୁଥୁକୁଡ଼ି ସହରର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ବିବିଧ ପୃଷ୍ଠଭୂମି ଓ ପେସାର ଲୋକେ, ଏ ଅଞ୍ଚଳରେ ଷ୍ଟେର୍ଲାଇଟ୍ର ନୂଆ କପର୍ ସ୍ମେଲ୍ଟର୍ କଂପ୍ଲେକ୍ସ ନିର୍ମାଣକୁ ବନ୍ଦ କରିବା ଲାଗି ଦାବି କରିଥିଲେ । ବର୍ତ୍ତମାନ ଥିବା ଷ୍ଟେର୍ଲାଇଟ୍ ପ୍ଲାଣ୍ଟ୍ ସେମାନଙ୍କ ପାଣି ଓ ପରିବେଶକୁ ବିଷାକ୍ତ କରିଦେଇଛି ଏବଂ ସେମାନଙ୍କ ଜୀବିକା ନଷ୍ଟ କରିଦେଇଛି ବୋଲି ସେମାନେ କହିଲେ ।







