“ଆମେ ଏକ ଗୁପ୍ତ ମାର୍ଗରେ ବାହାରିଛୁ । କିନ୍ତୁ ଆମେ କ’ଣ କରିପାରିବୁ? ଯଦି ଆମ ପାଖରେ କଞ୍ଚାମାଲ ଥାଆନ୍ତା, ଆମେ ଘରେ ବସିପାରିଥାନ୍ତୁ, ଝୁଡ଼ି ବୁଣିଥାଆନ୍ତୁ ଏବଂ ସେଗୁଡ଼ିକୁ ପ୍ରସ୍ତୁତ ରଖିଥାଆନ୍ତୁ,” କୁହନ୍ତି ଝୁଡ଼ି ତିଆରି କରୁଥିବା ତେଲଙ୍ଗାନାର କଙ୍ଗଲ ଗ୍ରାମର ଏକ ଦଳ। ସେମାନଙ୍କର ଗୁପ୍ତ ମାର୍ଗ? ଏମିତି ଏକ ରାସ୍ତା ଅଛି ଯେଉଁଠି ନା ପୋଲିସ ବ୍ୟାରିକେଡ ଅଛି ନା ଅଛି ଗ୍ରାମବାସୀଙ୍କ ଦ୍ୱାରା ରଖାଯାଇଥିବା କଣ୍ଟା ଗଛର ବାଡ଼।
ଏପ୍ରିଲ ୪ ତାରିଖରେ, ନେଲିଗୁନ୍ଦାରଶୀ ରାମୁଲାମ୍ମାଙ୍କ ସହିତ ୪ ଜଣ ମହିଳା ଓ ଜଣେ ପୁରୁଷ ସକାଳ ପ୍ରାୟ ୯ଟା ସମୟରେ କଙ୍ଗଲଠାରୁ ୭ କିମି ଦୂର ଭେଲିଦାନ୍ଦୁପାଡୁ ପଡ଼ାକୁ ତାଳ ବରଡ଼ା ସଂଗ୍ରହ କରିବାକୁ ବାହାରିଥିଲେ। ଏସବୁଥିରେ ସେମାନେ ଝୁଡ଼ି ବୁଣିଥାଆନ୍ତି । ସେମାନେ ସାଧାରଣତଃ ସରକାରୀ ଜମିରୁ ଏସବୁ ବରଡ଼ା ସଂଗ୍ରହ କରିଥାନ୍ତି, କିମ୍ବା ଚାଷ ଜମିରୁ ସଂଗ୍ରହ କରିଥାନ୍ତି ଓ ଏହାର ବଦଳରେ ଚାଷୀଙ୍କୁ କିଛି ଝୁଡ଼ି ଦେଇଥାନ୍ତି ।
କଙ୍ଗଲର ଝୁଡ଼ି ପ୍ରସ୍ତୁତକାରୀଙ୍କ ପାଇଁ ଝୁଡ଼ି ବିକ୍ରି କରିବା ଲାଗି ମାର୍ଚ୍ଚରୁ ମେ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଏମାନେ ୟେରୁକୁଲା ସମୁଦାୟର ଏବଂ ଏମାନଙ୍କୁ ତେଲଙ୍ଗାନାରେ ତଫସିଲଭୁକ୍ତ ଜନଜାତିର ମାନ୍ୟତା ମିଳିଛି । ବରଡ଼ା ଶୁଖିବା ପାଇଁ ଖରା ଦିନ ଅତ୍ୟନ୍ତ ଉପଯୋଗୀ ସମୟ।
ବର୍ଷର ଅବଶିଷ୍ଟ ସମୟ, ସେମାନେ କୃଷି ଶ୍ରମିକଭାବେ କାମ କରିଥାନ୍ତି, ଦୈନିକ ୨୦୦ ଟଙ୍କା ମଜୁରି ପାଇଥାନ୍ତି । କପା ଅମଳ ସମୟ, ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ସେମାନେ ଦିନକୁ ୭୦୦ରୁ ୮୦୦ ଟଙ୍କା ରୋଜଗାର କରିଥାନ୍ତି । କାମର ପରିମାଣକୁ ଆଧାର କରି ପାଖାପାଖି ୧ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏପରି ସୁଯୋଗ ମିଳିଥାଏ।
ଚଳିତ ବର୍ଷ, କୋଭିଡ-୧୯ ଲକ୍ଡାଉନ କାରଣରୁ ସେମାନଙ୍କର ଝୁଡ଼ି ବିକ୍ରିରୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। “ଯେଉଁମାନଙ୍କର ଟଙ୍କା ଅଛି ସେମାନେ ଖାଉଛନ୍ତି। କିନ୍ତୁ ଆମ ପାଖରେ ନାହିଁ। ସେଥିପାଇଁ ଆମେ ବାହାରକୁ ଆସିଛୁ (ବରଡ଼ା ସଂଗ୍ରହ ପାଇଁ)। ନହେଲେ ଆମେ କ’ଣ କରିବୁ ? ପ୍ରଶ୍ନ କରନ୍ତି ୭୦ ବର୍ଷ ବୟସ୍କା ରାମୁଲାମ୍ମା।







