ପ୍ରାୟ ସଂଧ୍ୟା ୭ଟା। ଉଦୟପୁରର ବାଗୋର କି ହାଭେଲୀ ମଞ୍ଚ ଉପରକୁ ଉଠିଲେ ନିର୍ମଳା ଦେବୀ। ପିନ୍ଧିଥିବା ଘାଗରାରେ ସୁନା-ରୁପାର ଲେସ୍ ଓ ଛୋଟ ଛୋଟ କାଚ ଖଣ୍ଡ ଲାଗିଥିଲା। ସେଠି ତାଙ୍କ ଝିଅ ତାରାଙ୍କ ସହ ପ୍ରାୟ ୮ ଜଣ ମହିଳା ଥିଲେ -ସମସ୍ତେ ସମସ୍ତଙ୍କ ସଂପର୍କୀୟ। ସେ ଚାରି ନୃତ୍ୟ, ଘୁମର, ଭବାଇ ଓ ସେହି ଅନୁକ୍ରମରେ ଅନ୍ୟ ପ୍ରଦର୍ଶନ ଆରମ୍ଭ କଲେ।
ସେ କହନ୍ତି, "ସେଇ ସମାନ ଶକ୍ତିରେ ପ୍ରତିଦିନ ନୃତ୍ୟ କରିବା ସହଜ ନୁହେଁ।" ତାଙ୍କ ପାଇଁ ବେଶୀ କଷ୍ଟକର ହୁଏ ଯେତେବେଳେ ଦାନ୍ତରେ ଖଣ୍ଡା ଧାରଣ କରନ୍ତି, ବା ମୁଣ୍ଡ ଉପରେ ଏକ ଧାତବ ପାତ୍ର ରଖି ସେଥିରେ କିରୋସିନ୍ ଲ୍ୟାମ୍ପ ଜାଳିବା, ବା କାଚ ଖଣ୍ଡ ଉପରେ ନାଚିବା, ବା ମୁଣ୍ଡ ଉପରେ ମାଟିହାଣ୍ଡିକୁ ସନ୍ତୁଳିତ କରି ରଖିବା ଖୁବ୍ କଷ୍ଟସାଧ୍ୟ। ତଥାପି ନିର୍ମଳାଙ୍କ ନଣନ୍ଦ ସୀମା ଦେବୀ ଓ ତାଙ୍କ ଶାଶୁ ଭାମ୍ରୀ ବାଇଙ୍କ ସମେତ ତାଙ୍କ ଦଳର ସଦସ୍ୟମାନେ ଏଭଳି ପ୍ରଦର୍ଶନ କରୁଛନ୍ତି। ନିର୍ମଳା କହନ୍ତି, "ମୋ ନଣନ୍ଦ ୧୧ଟି ମାଟିହାଣ୍ଡିକୁ ମୁଣ୍ଡ ଉପରେ ରଖି ପାରନ୍ତି, କିନ୍ତୁ ପ୍ରଦର୍ଶନ ଶେଷ ବେଳକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସେ ଝାଳରେ ଓଦା ହୋଇଯାଇଥାନ୍ତି। ତଥାପି ସେ ମଞ୍ଚ ଉପରେ ହସୁଥାନ୍ତି ଆଉ ପରବର୍ତ୍ତୀ ନାଚ ପାଇଁ ପୋଷାକ ବଦଳାଇବାକୁ କକ୍ଷକୁ ଯାଆନ୍ତି।"
କିନ୍ତୁ 'ତେରା ତାଲି' ପାଇଁ ନୃତ୍ୟ କରୁଥିବା ଏହି କମଡ଼ ସଂପ୍ରଦାୟ (ଅନୁସୂଚିତ ଜାତି ତାଲିକାଭୁକ୍ତ) ବେଶ ପରିଚିତ। ଏକ ଘଣ୍ଟାର କାର୍ଯ୍ୟକ୍ରମ ଭିତରୁ ଏହି ୧୦-୧୫ ମିନିଟ୍ର ପ୍ରଦର୍ଶନ ସ୍ଥାନୀୟ ଲୋକକଳାର ହିରୋ ବାବା ରାମଦେବଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ସଂପ୍ରଦାୟର ଜଣେ ବର୍ଷୀୟାନ କଳାକାର କହନ୍ତି, ଦଳିତଙ୍କୁ ସହଯୋଗ କରିବାରେ ସେ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଛନ୍ତି।







