ପୁତ୍ତାନା କହନ୍ତି, “ରାଜନେତାମାନେ ଯେତେବେଳେ ଆମ ସହରକୁ ଆସନ୍ତି, ସେମାନେ ଅଟକନ୍ତି ବି ନାହିଁ। ସେମାନେ କେବଳ ହାତ ହଲାଇ ନିଜ କାର୍ରେ ପଳାଇ ଯାଆନ୍ତି । ସେମାନଙ୍କ ପାଖରୁ ୫୦ ଫୁଟ୍ ଭିତରେ ବି ଆମକୁ ରହିବାକୁ ଦିଆଯାଏନି ।”
କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ଥିବା ମଧୁଗିରି ସହରରେ, ହାତରେ ମଇଳା ଉଠାଉଥିବା ଜଣେ ମେହେନ୍ତର ଭାବେ ପୁତ୍ତାନା କାମ କରିବାର ୧୧ବର୍ଷ ଭିତରେ ଦୁଇଟି ଜାତୀୟ ନିର୍ବାଚନ ଆସିଛି ଆଉ ଯାଇଛି, ଏବଂ ତୃତୀୟଟି ଏବେ ପାଖେଇ ଆସିଲାଣି । ଏଇ ସପ୍ତାହରେ, ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହେବା ସହିତ ଏପ୍ରିଲ୍୧୮ ତାରିଖ ଦିନ ତୁମକୁରରେ ଭୋଟ୍ ନିଆଯିବ ।
ଏହି ନିର୍ବାଚନମଣ୍ଡଳୀରେ ଦୁଇ ମହାରଥୀଙ୍କ ମଧ୍ୟରେ ଲଢ଼େଇ ହେବ: ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଏବଂ ଚାରି ଥର ସାଂସଦ ରହିଥିବା ୭୭ ବର୍ଷୀୟ ଜି.ଏସ୍. ବାସବରାଜ ଏବଂ କଂଗ୍ରେସ-ଜନତା ଦଳ (ସେକୁଲାର) ଶାସକ ମେଣ୍ଟର ପ୍ରାର୍ଥୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୮୬ ବର୍ଷ ବୟସ୍କ ଏଚ୍.ଡି.ଦେବେ ଗୌଡ଼ା ।
ହେଲେ ଏମାନଙ୍କ ମଧ୍ୟରୁ କିଏ ଜିତିଲେ ଭଲ ହେବ ବୋଲି ମଧୁଗିରିର ସଫେଇ କର୍ମଚାରୀମାନଙ୍କୁ ପଚାରନ୍ତୁ ଏବଂ ଆପଣଙ୍କୁ ମିଳିଯିବ ଠୋସ୍ ଉତ୍ତର । ୪୫ ବର୍ଷ ବୟସ୍କ ପୁତ୍ତାନାଙ୍କ ଭଳି, ସେମାନଙ୍କ ମଧ୍ୟରୁ ଅନେକ ମାଡ଼ିଗା ଦଳିତ ସଂପ୍ରଦାୟର, ଯାହାକି ଏକ ଶୋଷିତ ଉପଜାତି ଏବଂ ଯେଉଁମାନଙ୍କର କାମ ପ୍ରାୟତଃ ହାତରେ ମଇଳା ଉଠାଇବାରେ ହିଁ ସୀମିତ । (ଏହି ରିପୋର୍ଟ ପାଇଁ ଯେଉଁ କର୍ମଚାରୀମାନଙ୍କର ସାକ୍ଷାତ୍କାର ନିଆଯାଇଥିଲା, ସେମାନେ ସମସ୍ତେ ଚାହିଁଥିଲେ ଯେ, ସେମାନଙ୍କର ପ୍ରଥମ ନାମ ହିଁ ବ୍ୟବହାର କରାଯାଉ।) କର୍ଣ୍ଣାଟକ ରାଜ୍ୟ ସଫେଇ କର୍ମଚାରୀ କମିଶନଙ୍କ ପକ୍ଷରୁ୨୦୧୭ ମସିହା ଅଗଷ୍ଟରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ କର୍ଣ୍ଣାଟକରେ ହାତରେ ମଇଳା ସଫା କରୁଥିବା ମେହେନ୍ତରଙ୍କ ସଂଖ୍ୟା ତୁମକୁରରେ ସର୍ବାଧିକ। ରାଜନୈତିକ ନେତାଙ୍କ ଉପରୁ ସେମାନେ ଆସ୍ଥା ହରାଇବାର ମାତ୍ର କେଇଟି କାରଣ ହେଉଛି-ଅମାନବୀୟ କାମ, ଅତି କମ୍ ବେତନ ଏବଂ ବର୍ଷ ବର୍ଷ ଧରି ଘର ଖଣ୍ଡିଏରୁ ବଞ୍ଚିତ ରହିବା।








