ମକ୍ତୁମ୍ବେ ଏମ୍.ଡି ଯିଏ ରାସେନାହାଲ୍ଲିର ଏକ ବସ୍ତି ଅଞ୍ଚଳରେ ବାସ କରନ୍ତି, କୋଭିଡ୍- ୧୯ ତାଲାବନ୍ଦ ସମୟରେ ନିଜ ପରିବାରକୁ କିପରି ଖାଇବା ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ ସେନେଇ ଚିନ୍ତିତ ଅଛନ୍ତି । “ମୋର ସ୍ୱାମୀ କାମ କରି ସପ୍ତାହରେ ଥରେ ପଇସା ପାଉଥିଲେ । ସେହି ସମୟରେ ଆମେ ଖାଦ୍ୟ ସାମଗ୍ରୀ କିଣିବାକୁ ଯାଉଥିଲୁ । ଗତ ଦୁଇ ସପ୍ତାହ ହେବ କାହାକୁ ମଧ୍ୟ ପଇସା ମିଳିନି ଓ ଆମେ କିଛି ରାସନ୍ ମଧ୍ୟ କିଣି ପାରିନାହୁଁ,’’ ବୋଲି ୩୭ ବର୍ଷ ବୟସ୍କ ଗୃହିଣୀଙ୍କ ସହିତ ୧୦ଦିନ ପୂର୍ବେ ଯେତେବେଳେ ବେଙ୍ଗାଲୁରୁ ସହର ସଟ୍ଡାଉନ୍ ହୋଇଥିବା ବେଳେ ଦେଖା ହୋଇଥିଲା, ସେତେବେଳେ ସେ ମତେ କହିଥିଲେ । ତାଙ୍କର ସ୍ୱାମୀ ଜଣେ କମର୍ସିଆଲ୍ ପେଣ୍ଟର । ସେ ସପ୍ତାହକୁ ପ୍ରାୟ ୩,୫୦୦ଟଙ୍କା ରୋଜଗାର କରୁଥିଲେ କିନ୍ତୁ ମାର୍ଚ୍ଚ ୨୫ରେ ତାଲାବନ୍ଦ ଆରମ୍ଭ ହେବା ପରଠାରୁ ସେ ଆଉ କିଛି କାମ ପାଇନାହାନ୍ତି ।
ଏହି ଦମ୍ପତି, ଯାହାର ତିନିଟି ସନ୍ତାନ ଅଛନ୍ତି, ପ୍ରାୟ ୧୦ବର୍ଷ ପୂର୍ବେ କାମ ଅନ୍ୱେଷଣରେ ଏଠାକୁ ଆସିଥିଲେ । ସେମାନେ କର୍ଣ୍ଣାଟକର ବିଜୟପୁରାର (ପୂର୍ବର ବିଜାପୁର) ତଳିକୋଟା ଜିଲ୍ଲାର (ସ୍ଥାନୀୟ ଭାଷାରେ ତାଲିକୋଟ ବୋଲି କୁହାଯାଏ) ସହରରୁ ଆସିଥିଲେ । ଏହି ପରିବାର ନିଜର ଆବଶ୍ୟକତା ପୂରଣ କରିବା ପାଇଁ ମକ୍ତୁମ୍ବେଙ୍କ ସ୍ୱାମୀ ମୌଳାସବ ଡୋଡାମଣି ପ୍ରତି ରବିବାରେ ପାଉଥିବା ପାରିଶ୍ରମିକ ଉପରେ ନିର୍ଭର କରିଥାଏ । “ଆମେ ସପ୍ତାହରେ ଗୋଟିଏ ଥର ଖାଦ୍ୟ ସାମଗ୍ରୀ କିଣିଥାଉ – ପାଞ୍ଚ କେଜି ଚାଉଳ, ଏକ କେଜି ତେଲ, ଡାଲ୍ ଓ ଅନ୍ୟାନ୍ୟ – ଓ ଏତିକିରେ ଚଳିବାକୁ ଚେଷ୍ଟା କରୁ। ତାହା ଏବେ ବନ୍ଦ ହୋଇଯାଇଛି । ଆମକୁ କୁଆଡେ ମଧ୍ୟ ଯିବାକୁ ଅନୁମତି ନାହିଁ । ଆମେ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଚାହୁଁଛୁ।’’
ଏପ୍ରିଲ ୪ରେ ଯେତେବେଳେ ଆମର ଦେଖା ହୋଇଥିଲା, ସେତେବେଳେ ଉତ୍ତର ବେଙ୍ଗାଲୁରୁର ପ୍ରବାସୀ ଦିନ ମଜୁରିଆ ବାସ କରୁଥିବା ଏହି କଲୋନୀର ନିବାସୀ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ରିଲିଫ୍ ପ୍ୟାକେଜ୍ ଅଧିନରେ ସରକାରଙ୍କ ଦ୍ୱାରା ସବ୍ସିଡି ମୂଲ୍ୟରେ ଦିଆ ଯାଉଥିବା ଖାଦ୍ୟଶସ୍ୟ ପାଇବା ପାଇଁ ଯୋଗ୍ୟ ନୁହନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ରାସନ୍ କାର୍ଡ ନାହିଁ । କିଛି ଲୋକଙ୍କ ପାଖରେ ଅଛି କିନ୍ତୁ ଏଥିରେ ସେମାନଙ୍କ ଗ୍ରାମରେ ଥିବା ସେମାନଙ୍କ ଘରର ଠିକଣା ପଞ୍ଜିକୃତ ହୋଇଛି ବୋଲି ଉତ୍ତର କର୍ଣ୍ଣାଟକର ରାଇଚୁର ମୂଳ ନିବାସୀ ମାଣିକ୍ୟାମ୍ମା, ୩୦, କୁହନ୍ତି । “ସେହି କାର୍ଡଗୁଡିକ ବେଙ୍ଗାଲୁରୁରେ କାମ କରୁନାହିଁ,” ବୋଲି ସେ କହିଲେ ।
“କୌଣସି କାମଧନ୍ଦା ନଥିବାରୁ ଆମକୁ ସଂଘର୍ଷ କରିବାକୁ ପଡୁଛି । ଆମକୁ ବହୁତଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆମର ପିଲାମାନେ ଅଛନ୍ତି. ଆମକୁ ଭଡା ଦେବାକୁ ପଡୁଛି, ଆମେ ସେସସବୁ କିଭଳି କରିପାରିବୁ?” ବୋଲି ସେ ପଚାରନ୍ତି । ତାଲାବନ୍ଦ ପୂର୍ବରୁ ମଣିକ୍ୟାମ୍ମା ଓ ତାଙ୍କ ସ୍ୱାମୀ ହେମନ୍ତ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ; ସେମାନେ ପ୍ରାୟ ସାତ ବର୍ଷ ପୂର୍ବେ ବେଙ୍ଗାଲୁରୁ ଆସିଥିଲେ ଓ ତାଙ୍କର ଚାରିଟି ସନ୍ତାନ ଅଛନ୍ତି ।
ଲକ୍ଷ୍ମୀ ଏନ୍. ୨୭ ମଧ୍ୟ ରାଇଚୁର୍ର, ସେ ମଣିକ୍ୟମ୍ମା ଯେତେବେଳେ ଆସିଥିଲେ ପ୍ରାୟ ସେହି ସମୟରେ ଆସିଥିଲେ । ସେ ତାଲାବନ୍ଦ ଆରମ୍ଭ ହେବା ପର୍ଯ୍ୟନ୍ତ ଉତ୍ତର ବେଙ୍ଗାଲୁରୁର ବିଭିନ୍ନ ନିର୍ମାଣ ସ୍ଥଳିଗୁଡିକରେ କାମ କରୁଥିଲେ । “ଆମେ ସିମେଣ୍ଟ ତିଆରି କରୁ ଓ ପଥର ଭାଙ୍ଗୁ । ଏହି କାମ ପାଇଁ ଆମକୁ ଦିନକୁ ୩୦୦ଟଙ୍କା ମଜୁରି ମିଳେ,” ବୋଲି ସେ ମତେ କହିଲେ । ସେ ରାସେନ୍ହାଲ୍ଲିରେ ଗୋଟିଏ ବଖରା ବିଶିଷ୍ଟ ଅସ୍ଥାୟୀ ଘର, ଯେଉଁଠାରେ ସେ ଏକଲା ରୁହନ୍ତି, ସେଥିପାଇଁ ୫୦୦ଟଙ୍କା ଭଡା ଦିଅନ୍ତି।


