ଦନ୍ତାହାତୀର ପଦଚିହ୍ନକୁ ଅନୁସରଣ କରି ଆମେ ପାହାଡ଼ିଆ ସ୍ଥାନ ଓ ଚାଷ ଜମିରେ ବୁଲୁଛୁ।
ଆମେ ସେଥିମଧ୍ୟରୁ କେତେଗୁଡ଼ିଏ ଦେଖିଲୁ, ସେଗୁଡ଼ିକ ଖାଇବା ଥାଳିଠାରୁ ବଡ଼ ଥିଲା, କାଦୁଆ ମାଟିରେ ଗଭୀର ଗର୍ତ୍ତ ସୃଷ୍ଟି କରିଥିଲା । ପୁରୁଣାଗୁଡ଼ିକ ଧୀରେ ଧୀରେ ଫାଟିବାରେ ଲାଗିଥିଲା। ଆହୁରି କିଛି ସେହି ପ୍ରାଣୀ ବିଷୟରେ ସଙ୍କେତ ଦେଉଥିଲା: ସାମାନ୍ୟ ଶାନ୍ତ, ଏକ ଭଲ ଭୋଜନ, ବହୁ ପରିମାଣରେ ଗୋବର। ଆହୁରି କିଛି ଜିନିଷ ଦଳି ମକଚି ହୋଇପଡ଼ିଥିଲା : ଗ୍ରାନାଇଟ୍ ଖୁଣ୍ଟ, ତାର ବାଡ଼, ଗଛ ଓ ଗେଟ୍....
ହାତୀ ଛାଡ଼ି ଯାଇଥିବା ସବୁ ଚିହ୍ନର ଫଟୋ ନେବାକୁ ଆମେ ଅଟକିଗଲୁ । ମୁଁ ମୋ ସମ୍ପାଦକଙ୍କ ପାଖକୁ ପଦଚିହ୍ନର କେତୋଟି ଫଟୋ ପଠାଇଲି । ‘‘ସେଠାରେ ଏକ ହାତୀ ଅଛି କି?’’ ସେ ଆଶାବ୍ୟକ୍ତ କଲେ । ତାଙ୍କର ଆଶା ଧୂଳିସାତ୍ ହୋଇଯାଉ ବୋଲି ମୁଁ ପ୍ରାର୍ଥନା କଲି ।
କାରଣ, କ୍ରିଷ୍ଣାଗିରି ଜିଲ୍ଲାର ଗଙ୍ଗାନାହଲ୍ଲୀ ପଡ଼ାରେ, ହାତୀମାନେ କଦଳୀ ଖାଇ ଆପଣଙ୍କ ମୁଣ୍ଡରେ ଆଶୀର୍ବାଦ ଅଜାଡ଼ି ଦେବାର ସମ୍ଭାବନା କମ୍ ଥାଏ । କେବଳ ମନ୍ଦିରର ହାତୀମାନେ ଏପରି କରିଥାନ୍ତି । ମାତ୍ର ଏଠାରେ ଆମେ ସେମାନଙ୍କ ଜଙ୍ଗଲୀ ପ୍ରଜାତି ବିଷୟରେ କହୁଛୁ । ସେମାନେ ସାଧାରଣତଃ ଭୋକିଲା ଥାଆନ୍ତି ।
ଡିସେମ୍ବର ୨୦୨୧ରେ ମୁଁ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲାକୁ ରାଗୀ ଚାଷୀମାନଙ୍କୁ ଭେଟିବା ଲାଗି ଯାଇଥିବା ସମୟରେ ଅପ୍ରତ୍ୟାଶିତ ଭାବେ ହାତୀ ଚଳାଚଳ ପଥ ଦେଇ ମୋତେ ଯିବାକୁ ହୋଇଥିଲା । କୃଷି ଅର୍ଥବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ମୁଁ ଭାବିଥିଲି । ନିଶ୍ଚିତ ଭାବେ, ସେମିତି କିଛି ହେଲା । କିନ୍ତୁ ଅଧିକାଂଶ କ୍ଷେତ୍ରରେ, ଗୋଟିଏରୁ ଆଉ ଗୋଟିଏ କ୍ଷେତରେ, ମୁଁ ଶୁଣିବାକୁ ପାଇଲି ଯେ, ସେମାନେ କେବଳ ନିଜ ଘରେ ଉପଯୋଗ କରିବା ବ୍ୟତୀତ, ଯଥେଷ୍ଟ ପରିମାଣର ରାଗୀ (ମାଣ୍ଡିଆ) ଅମଳ କରିନପାରିବାର ମୂଳ କାରଣ ହେଉଛି – ହାତୀ । କମ୍ ବିକ୍ରି ମୂଲ୍ୟ (କିଲୋପ୍ରତି ୩୫ରୁ ୩୭ ଟଙ୍କା ପରିବର୍ତ୍ତେ ୨୫ରୁ ୨୭ ଟଙ୍କା ମଧ୍ୟରେ), ଜଳବାୟୁ ପରିବର୍ତ୍ତନ, ଅଦିନିଆ ପ୍ରବଳ ବର୍ଷା ଆଦି ସମସ୍ୟା ଭିତରେ ଚାଷୀମାନେ ସଂଘର୍ଷ କରୁଛନ୍ତି । ତା’ ଉପରେ ହାତୀପଲଙ୍କ ଶୁଣ୍ଢ ଓ ଦାନ୍ତରେ ନଷ୍ଟ ହୋଇଯାଉଥିବା ମାଣ୍ଡିଆ ଫସଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି ।
‘‘ହାତୀମାନେ ବେଶ୍ ପ୍ରତିଭାସମ୍ପନ୍ନ । ତାର ରଶି ଏବଂ କ୍ରସ ତାର ବାଡ଼କୁ କେମିତି ଧରି ଭାଙ୍ଗିବାକୁ ହୁଏ ସେମାନେ ଜାଣି ନେଇଛନ୍ତି । ବିଦ୍ୟୁତ ତାରବାଡ଼କୁ ସର୍ଟ ସର୍କିଟ୍ କରିବାକୁ ହେଲେ ଗଛକୁ କିଭଳି ବ୍ୟବହାର କରିବାକୁ ହେବ ତାହା ମଧ୍ୟ ସେମାନେ ଜାଣନ୍ତି,’’ ଏହା କୁହନ୍ତି ଆନନ୍ଦରାମୁ ରେଡ୍ଡୀ । ‘‘ସେମାନେ ସବୁବେଳେ ଦଳବଦ୍ଧ ହୋଇ ଆସିବାକୁ ଚାହିଁଥାନ୍ତି,’’ ସେ କୁହନ୍ତି । ଡେଙ୍କାନିକୋଟ୍ଟେଇ ତାଲୁକ ଅନ୍ତର୍ଗତ ଭଦ୍ରା ପଲୟମର ଚାଷୀ ଆନନ୍ଦରାମୁଙ୍କୁ ସମସ୍ତେ ‘ଆନନ୍ଦ’ ବୋଲି ଡାକନ୍ତି । ସେ ଆମକୁ ମେଲାଗିରି ସଂରକ୍ଷିତ ଜଙ୍ଗଲରେ ସୀମାରେ ନେଇ ଯାଇଥିଲେ । ଏହା ଉତ୍ତର କାବେରୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଏକ ଅଂଶବିଶେଷ ।


















