ତାଙ୍କର ଡାହାଣ ହାତରେ ଏକ ଖଣ୍ଡା, ତାଙ୍କର ବାମ ହାତରେ ଘୋଡ଼ାର ଏକ ଲଗାମ, ପ୍ରସିଦ୍ଧ ରାଣୀ ବେଲୁ ନାଚିୟାର ଚେନ୍ନାଇରେ ତାମିଲନାଡୁର ଗଣତନ୍ତ୍ରଦିବସ ପରେଡ୍ରେ ସବୁଠାରୁ ଅଧିକ ଫଟୋ ଉଠାଯାଇଥିବା-ଏବଂ ସବୁଠାରୁ ଅଧିକ ଆଲୋଚିତ ଐତିହାସିକ ଚରିତ୍ରଙ୍କ ମଧ୍ୟରୁ ଜଣେ ଥିଲେ। ସେ ଗୋଟିଏ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ ହୋଇଥିଲେ ଯେଉଁଥିରେ ଅନ୍ୟ ତାମିଲ ମହାତ୍ମା ଯେମିତିକି ଭି.ଓ. ଚିଦାମ୍ବରମ ପିଲ୍ଲାଇ, ସୁବ୍ରମଣିଆ ଭାରତୀ ଏବଂ ମାରୁଥୁ ଭ୍ରାତାମାନେ ସ୍ଥାନ ପାଇଥିଲେ ।
‘ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁ’କୁ ପ୍ରତିନିଧିତ୍ୱ କରୁଥିବା ଏହି ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ସରକାରଙ୍କ ‘ବିଶେଷଜ୍ଞ’ କମିଟି ଦ୍ୱାରା ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ ପାଇଁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଥିରେ ହସ୍ତକ୍ଷେପ କରିବାକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କରିଥିବା ନିବେଦନ ଉପରେ କୌଣସି ଧ୍ୟାନ ଦିଆଗଲା ନାହିଁ । ପରିଶେଷରେ, ଏହା ଚେନ୍ନାଇରେ ରାଜ୍ୟର ନିଜସ୍ୱ ଗଣତନ୍ତ୍ର ଦିବସ ପରେଡ୍ରେ ଏକ ବହୁଳ ଲୋକପ୍ରିୟ ଫ୍ଲୋଟ୍ ଭାବେ ଚାଲିଲା ।
କେନ୍ଦ୍ରର ‘ବିଶେଷଜ୍ଞ’ କମିଟି ଅନ୍ୟ କଥାଗୁଡ଼ିକ ଛଡ଼ା କହିଥିଲେ ଯେ କେତେକ ଚେହେରା ‘‘ଜାତୀୟ ଦର୍ଶକଙ୍କ ପାଇଁ ଅଜ୍ଞାତ’’ ଥିଲେ । ଅକ୍ଷୟା କ୍ରିଷ୍ଣମୂର୍ତ୍ତି ହୁଏତ ବହୁତ ଅସହମତ ହୋଇପାରନ୍ତି। ସେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି: ବେଲୁ ନାଚିୟାର, ଯିଏ ବ୍ରିଟିଶମାନଙ୍କ ସହିତ ଲଢ଼ିଥିଲେ ଏବଂ ୧୭୯୬ ମସିହାରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଶିବଗଙ୍ଗାଇ(ଏବେ ତାମିଲନାଡୁର ଏକ ଜିଲ୍ଲା)ରେ ଶାସନ କରୁଥିଲେ ।
ସେ କହନ୍ତି, “ମୋ ଜୀବନର ମୋଡ଼ ବଦଳିଗଲା ଯେତେବେଳେ ମୁଁ ଏକାଦଶ ଶ୍ରେଣୀରେ ପଢ଼ିବା ବେଳେ ମୋ ସ୍କୁଲରେ ନୃତ୍ୟ ନାଟିକାରେ ବେଲୁ ନାଚିୟାରଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲି।’’
ଅକ୍ଷୟା କହନ୍ତି, “କିନ୍ତୁ ଏହା କେବଳ ଅଭିନୟ ଏବଂ ନୃତ୍ୟ ନୁହେଁ। ସେ ଗୀତ ଏବଂ ସଂଗୀତ ମାଧ୍ୟମରେ ‘ବୀରାମଙ୍ଗାଇ’ର ଶକ୍ତି ଏବଂ ସାହସ ଅନୁଭବ କଲେ । ବୀରାମଙ୍ଗଇ ରାଣୀଙ୍କୁ କୁହାଯାଏ । ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅକ୍ଷୟା ମନେ ରଖିଛନ୍ତି ଯେ ସେ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଦିନ ଅସୁସ୍ଥ ଥିଲେ ଏବଂ ସେ ଅଭିନୟ କରିବାକୁ ସମର୍ଥ ହେବେ କି ନାହିଁ ତାହା ନିଶ୍ଚିତ ନ ଥିଲେ । କିନ୍ତୁ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।
ଯେତେବେଳେ ସେ ମଞ୍ଚରୁ ଓହ୍ଲାଇ ଆସିଲେ, ସେ ବେହୋସ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସାଲାଇନ୍ ଦିଆଯାଇଥିଲା । “ମୋ ହାତରେ ଏକ ଆଇଭି ଲାଇନ୍ ଲାଗିଥିବା ବେଳେ ମୁଁ ପୁରସ୍କାର ସଂଗ୍ରହ କରିଥିଲି - ଆମେ ଦ୍ୱିତୀୟ ହୋଇଥିଲୁ।” ସେହି ଘଟଣା ତାଙ୍କୁ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ କରିବାକୁ ଶିଖାଇଲା। ସେ “ଅଧିକ ସାହସୀ ହୋଇଗଲେ,” ବାଇକ୍ ଏବଂ କାର୍ ଚଳାଇବାକୁ ଶିଖିଲେ ।












