ପାଖ ଗ୍ରାମର ମହିଳାମାନେ ହିଁ ସେମାନଙ୍କ ସମ୍ପ୍ରଦାୟର ପ୍ରିୟ ନେତାଙ୍କୁ ଯୁଦ୍ଧଭୂମିରେ ପାଇଥିଲେ । ସେମାନେ ସେମାନଙ୍କ ପରିବାରର ଲୋକମାନଙ୍କୁ ଖୋଜିବାକୁ ସେଠାକୁ ଆସିଥିଲେ । ବଦଳରେ ସେମାନେ ଗମ୍ଭୀର ଭାବେ ଆଘାତ ପ୍ରାପ୍ତ ଓ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ସେମାନଙ୍କ ସମ୍ପ୍ରଦାୟର ନେତା ଉମାଇଦୁରାଇଙ୍କୁ ପାଇଥିଲେ, ଯିଏ ସେତେବେଳ ପର୍ଯ୍ୟନ୍ତ ଜୀବିତ ଥିଲେ । ସେମାନେ ତାଙ୍କୁ ସଯତ୍ନ ସେଠାରୁ ଉଠାଇ ଆଣିଲେ ଓ ତିନି ମାଇଲ୍ ଦୂରରେ ଅବସ୍ଥିତ ତାଙ୍କ ଗ୍ରାମକୁ ନେଇଗଲେ ।
ଠିକ୍ ଏହା ପରେ ସୈନିକମାନେ ସେଠାରେ ଦେଖାଗଲେ, ଯେଉଁମାନେ ‘ୱାଣ୍ଟେଡ୍’ ଉମାଇଦୁରାଇଙ୍କ ସନ୍ଧାନରେ ସେଠାକୁ ଆସିଥିଲେ । କାଳ ବିଳମ୍ବ ନକରି ମହିଳାମାନେ ତାଙ୍କୁ ଏକ ଧଳା କପଡାରେ ଘୋଡାଇ ଦେଇ ବିଳାପ କରିବାକୁ ଲାଗିଲେ, ଜୋର୍ରେ ଚିତ୍କାର କରି ବାହୁନି ବାହୁନି କାନ୍ଦିଲେ ଓ ବସନ୍ତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେମାନଙ୍କୁ କହିଲେ । ଏହା ଶୁଣି ସୈନ୍ୟ ବାହିନୀ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ସେଠାରୁ ଦୌଡି ପଳାଇଲେ, ଯେତେବେଳେ କି ଉମାଦୁରାଇଙ୍କ ସମେତ ସେଠାରେ ଥିବା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା ।
ଏହା ଏକ ମହାନ କାହାଣୀ ଓ ଏକ ସତ୍ୟ ଘଟଣା । ପ୍ରାୟ ୨୦୦ ବର୍ଷ ପୂର୍ବେ ତାମିଲନାଡୁରେ ଏହା ଘଟିଥିଲା । ୧୯ଶହ ଶତାବ୍ଦୀର ଆରମ୍ଭ କାଳରେ ବ୍ରିଟିଶମାନଙ୍କ ଦ୍ୱାରା ଲିଖିତ ଯୁଦ୍ଧ ବିବରଣୀରେ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି । ଆଉ ଏବେ ବିଖ୍ୟାତ ଲେଖକ ଚୋ ଧର୍ମନଙ୍କ ଦ୍ୱାରା ତାଙ୍କର ଉଚ୍ଚକୋଟୀର ସୁନ୍ଦର ତାମିଲରେ ଏହାକୁ ବର୍ଣ୍ଣନା କରାଯାଇଛି ଯାହା ଏହାକୁ ଆହୁରି ସମୃଦ୍ଧ କରିଛି । କୋଭିଡ୍- ୧୯ ଜନିତ ବର୍ତ୍ତମାନର ଅନୁଭୂତି, ଭୟ ଓ ଆତଙ୍କ ପରିପ୍ରେକ୍ଷୀରେ ଏହାକୁ ସ୍ଥାନିତ କରିବା ଦ୍ୱାରା ବର୍ତ୍ତମାନ ସମୟର ଭୟାବହତା ଓ ଏହାର ପ୍ରଭାବ ଅଧିକ ଦର୍ଶାଯାଇଛି । ଆଉ ଏହା ଆମକୁ ଆମ ଗ୍ରାମଗୁଡିକ କିଭଳି ଭାବେ ଶହ ଶହ ବର୍ଷ ଧରି ବିଭିନ୍ନ ଭୂତାଣୁ, ପ୍ଲେଗ୍ ଓ ମହାମାରୀର ମୁକାବିଲା କରି ଆସିଛନ୍ତି ତାହାର ଏକ ଅମୂଲ୍ୟ ମୁଖ ପ୍ରଚାରିତ ଇତିହାସ ବିଷୟରେ ଧାରଣା ଦେଉଛି ।
“ଉମାଇଦୁରାଇ ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀରାପାଣ୍ଡିଆ କଟ୍ଟାବୋମ୍ମାନଙ୍କ ଭାଇ ଥିଲେ, ଯିଏ ପଞ୍ଚାଳମ୍କୁରୁଚି [ଦକ୍ଷିଣ ତାମିଲନାଡୁ଼]ର ପୋଲିଗର୍ [ମୁଖିଆ] ମଧ୍ୟ ଥିଲେ,” ବୋଲି ଧର୍ମନ୍ କୁହନ୍ତି । “ମୁକ ଓ ବଧିର ଉମାଦୁରାଇ ଉମି [ସ୍ଥାନୀୟ ଭାଷାରେ] ଓ ଡମ୍ବି [ ବ୍ରିଟିଶ୍ଙ୍କ ଦ୍ୱାରା] ନାମରେ ମଧ୍ୟ ପରିଚିତ । ତାଙ୍କ ସମ୍ପ୍ରଦାୟର ଲୋକମାନେ ତାଙ୍କର ପୂଜା କରୁଥିଲେ ଓ ଇଷ୍ଟ ଇଣ୍ଡିଆ କମ୍ପାନି ତାଙ୍କୁ ଚାରିଆଡେ ଖୋଜୁଥିଲେ, ଯେଉଁମାନେ ଏହି ‘କୁଖ୍ୟାତ ଓ ପ୍ରସିଦ୍ଧ ନେତାଙ୍କୁ ଧ୍ୱଂସ କରିବାକୁ ଚାହୁଁଥିଲେ । “ଆପଣ ଏହି ସବୁ ବିଷୟରେ କଲୋନେଲ ଜେମ୍ସ ୱେଲ୍ସଙ୍କ ପୁସ୍ତକ ମିଲିଟାରୀ ରେମିନିସେନ୍ସ,” ରେ ପଢିପାରିବେ ବୋଲି ଧର୍ମନ୍ କୁହନ୍ତି ।
ପଞ୍ଚାଳମ୍କୁରୁଚିର ଐତିହାସିକ ଯୁଦ୍ଧ ୧୭୯୯ରେ ତାମିଲନାଡୁର ଥୋଥୁକୁଡି ଜିଲ୍ଲା ଅନ୍ତର୍ଗତ କୋଭିଲପଟ୍ଟି ଟାଉନ୍ରେ ଅବସ୍ଥିତ ଧର୍ମନ୍ଙ୍କ ଘର ଠାରୁ ପ୍ରାୟ ୫୦କିଲୋମିଟର ଦୂରରେ ହୋଇଥିଲା । ବ୍ରିଟିଶ କଲୋନେଲ୍ ୱେଲ୍ସ ଯିଏ ତାଙ୍କ ବିବରଣୀରେ ଉମାଇଦୁରାଇଙ୍କ ମହିଳା ରକ୍ଷାକର୍ତ୍ତାମାନଙ୍କୁ “ଘୃଣ୍ୟ ଓ ପ୍ରତୀୟମାନ ହେଉଥିବା ଅଳ୍ପ ବୁଦ୍ଧି ସମ୍ପନ୍ନ ଜନ୍ତୁ’ ବୋଲି ବର୍ଣ୍ଣନା କରିଥିବା ବେଳେ “ଧର୍ମନ୍ କିନ୍ତୁ ଗ୍ରାମବାସୀଙ୍କର ଏହି ଦେଶୀୟ ଜ୍ଞାନ ଓ ଉମାଇଦୁରାଇଙ୍କୁ ଯେଉଁମାନେ ଯୁଦ୍ଧଭୂମିରୁ ଘରକୁ ନେଇଯାଇଥିଲେ ସେମାନଙ୍କ ପରାକ୍ରମର ଶତ ପ୍ରଶଂସା କରନ୍ତି । ଧର୍ମନ୍ ପଚାରନ୍ତି ଯେ, “ମତେ କୁହ,’’ “ତାଙ୍କୁ ପୋଲିସ୍ ଚାରିଆଡେ ଖୋଜୁଛି, ପୋଲିସ୍ ସେମାନଙ୍କୁ ମଧ୍ୟ ଅନୁଧାବନ କରିପାରେ ତଥା ସେମାନଙ୍କ ଘର ନଷ୍ଟ କରାଯାଇ ପାରିବ,” ଏସବୁ ଜାଣି ମଧ୍ୟ କ’ଣ ଏହି ସାହାସୀ ମହିଳାମାନେ ଏପରି କରିନାହାନ୍ତି କି’’?







