ନିଜ ବାପାଙ୍କର ମୃତ୍ୟୁ ବାର୍ଷକୀ ପାଇଁ, ଥିରୁ ମୁର୍ତ୍ତୀ ଏକ ଅସାଧାରଣ ଭେଟ ଦିଅନ୍ତି: ଦଶ ପ୍ରକାରର ସାବୁନ, ବିଭିନ୍ନ ପ୍ରକାରର ନଡିଆ ତେଲ ଏବଂ ତାଙ୍କର ତାରକା ପ୍ରଡକ୍ଟ: ହଳଦୀ ଗୁଣ୍ଡ। ଏହା ବ୍ୟତୀତ ଏକ ଲାଲ କଦଳୀ ଫେଣା, ଫୁଲ, ନଡିଆ, ଏବଂ ଜଳନ୍ତା କର୍ପୂର, ସୁନ୍ଦରମୁର୍ତ୍ତୀଙ୍କର ଫୁଲମାଳରେ ସଜ୍ଜିତ ଫଟୋ ସମ୍ମୁଖରେ ରଖାଯାଇଛି।
ସେ ଏକ ଫେସ୍ବୁକ ପୋଷ୍ଟରେ ପଚାରନ୍ତି,"ଆପ୍ପାଙ୍କ ପାଇଁ ଆଉ କ’ଣ ଭଲ ଶ୍ରଦ୍ଧାଞ୍ଜଳି ହୋଇପାରେ?" ତାଙ୍କର ବାପା ମଞ୍ଜଲ(ହଳଦୀ) ଚାଷ କରିବା ବନ୍ଦ କରିଦେଇଥିଲେ। ଥିରୁ ଏହି ଚାଷ କରିବା ଆରମ୍ଭ କରିଥିଲେ ଯେତେବେଳେକି ସମସ୍ତେ ତାଙ୍କୁ ବାରଣ କରିଥିଲେ। ସେ ହସିକରି କୁହନ୍ତି,"ସେମାନେ ମୋତେ ମଲ୍ଲୀ (ମାଳତି) ଚାଷ କରିବା ପାଇଁ କହିଲେ, କାରଣ ଫୁଲ ଦୈନିକ ରୋଜଗାର ଦିଏ। ଯେତେବେଳେ ମୁଁ ମଞ୍ଜଲ ଚାଷ କଲି ସେମାନେ ମୋତେ ଉପହାସ କଲେ"। ଥିରୁ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କଲେ। ତାଙ୍କର କାହାଣୀ ହେଉଛି ବିରଳ: ଏକ ହଳଦୀ ବିଜୟ।
ତାମିଲନାଡୁ ଇରୋଡ ଜିଲ୍ଲାର ଭବାନିସାଗର ବ୍ଲକର ଉପ୍ପୁପଲ୍ଲମ ହାମଲେଟରେ ନିଜ ବଡ ଭାଇଙ୍କ ସହ ଯୌଥ ମାଲିକାନାରେ ଥିବା ୧୨ ଏକର ଜମିରେ ୪୩ ବର୍ଷୀୟ ଥିରୁ ମୁର୍ତ୍ତୀ ଚାଷ କରନ୍ତି। ସେ ତିନୋଟି ଫସଲ ଚାଷ କରନ୍ତି- ହଳଦୀ, କଦଳୀ ଏବଂ ନଡିଆ। କିନ୍ତୁ ସେ ସେଗୁଡ଼ିକୁ ହୋଲସେଲରେ ବିକ୍ରୟ କରନ୍ତି ନାହିଁ। ସେ କୁହନ୍ତି ଏହା ମୂଲ୍ୟହୀନ ହେବ ଯେତେବେଳେ ତାଙ୍କର ଦର ଉପରେ ନିୟନ୍ତ୍ରଣ ରହିବ ନାହିଁ। ବଡ ବ୍ୟବସାୟୀମାନେ, କର୍ପୋରେଟମାନେ ଓ ସରକାର ସ୍ଥାନୀୟ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଦରଗୁଡ଼ିକ ସ୍ଥିର କରନ୍ତି।
ସମୃଦ୍ଧଶୀଳ ହଳଦୀ ବଜାରରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦେଶ। ୨୦୧୯ମସିହାରେ ରପ୍ତାନୀ $୧୯୦ମିଲିୟନ ପହଚିଁଥିଲା- ଯାହାକି ବିଶ୍ୱ ବାଣିଜ୍ୟର ୬୨.୬୨ ପ୍ରତିଶତ ଥିଲା। ଧରିନେବା: ଭାରତ ମଧ୍ୟ ଆମଦାନିକାରୀ-ଦ୍ୱିତୀୟ ସର୍ବବୃହତ୍, ୧୧.୩ ପ୍ରତିଶତରେ। ଗତ ବର୍ଷେ ହେଲାଣି ଆମଦାନୀରେ ଏହି ବ୍ୟାପକ ବୃଦ୍ଧି ଭାରତୀୟ ହଳଦୀ ଚାଷୀଙ୍କର ସ୍ୱାର୍ଥକୁ କ୍ଷତି ପହଁଚାଉଛି।
ଘରୋଇ ବଜାରଗୁଡ଼ିକ- ଇରୋଡ଼ର ମଣ୍ଡିଗୁଡ଼ିକ-ସେମାନଙ୍କୁ ସଂକୁଚିତ କରିସାରିଲେଣି। ବଡ ବ୍ୟବସାୟୀମାନେ ଓ କ୍ରେତାମାନେ ମୂଲ୍ୟ ସ୍ଥିର କରନ୍ତି। ଜୈବ ଉତ୍ପାଦ ପାଇଁ କୌଣସି ପସନ୍ଦଯୋଗ୍ୟ ମୂଲ୍ୟ ନାହିଁ ଏହା ସହିତ ଏକ ବର୍ଷର ମାନ୍ଦା ଅବସ୍ଥା ପରେ ଏ ବର୍ଷ ବହୁତ ଭଲ ଅମଳ ହୋଇଛି। ୨୦୧୧ ମସିହାରେ ଏହି ଫସଲ କ୍ୱିଣ୍ଟାଲ୍ ସର୍ବାଧିକ ପିଛା ୧୭,୦୦୦ଟଙ୍କା ରୋଜଗାର ଦେଇଥିଲା। ତା ପର ବର୍ଷ ଏହା ସେହି ମୂଲ୍ୟର ଏକ ଚର୍ତୁଥାଂଶକୁ ଖସିଆସିଲା। ୨୦୨୧ରେ ହାରାହାରି ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୭,୦୦୦ଟଙ୍କା ଥିଲା।
କୌଶଳ, ଅଧ୍ୟବସାୟ ଏବଂ ଏକ ସୋସିଆଲ୍ ମିଡିଆ ଆକାଉଣ୍ଟ ସହାୟତାରେ ଥିରୁ ଏକ ସରଳ ସମାଧାନ ପାଇଲେ: ମୂଲ୍ୟ ଯୋଗ। ତାଙ୍କର ପ୍ରୟାସର ନକଲ ସର୍ବତ୍ର କରିହେବ ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ସଫଳତା ଥିଲା। ସେ ବୁଝାଇ କୁହନ୍ତି,"ବଗିଚା ନିକଟରେ ପ୍ରତି ନଡ଼ିଆ ୧୦ଟଙ୍କାରେ ବିକ୍ରି ହୋଇଥାଏ, ମୋତେ ଏଥିରୁ ତିନିଗୁଣା ଅଧିକ ମୂଲ୍ୟ ମିଳୁଛି କାରଣ ମୁଁ ଏଥିରୁ ତେଲ ବାହାର କରୁଛି ଏବଂ ସେଥିରୁ ସାବୁନ୍ ତିଆରି କରୁଛି। ହଳଦୀର ମଧ୍ୟ ସେହି ସମାନ କାହାଣୀ"। "ମୁଁ ତାହା ୧.୫ ଏକର ଜମିରେ ଚାଷ କରେ। ଯଦି ମୁଁ ୩୦୦୦ କିଲୋ ମଣ୍ଡିରେ ବିକ୍ରି କରିବି, ପ୍ରତି ଜୈବହଳଦୀ କିଲୋ ପିଛା ମୁଁ ପାଖାପାଖି ୫୦ଟଙ୍କା କ୍ଷତି ସହିବି।"



























