ଶିଭିନ୍ଦାନେ ଗ୍ରାମରେ ଏପ୍ରିଲ୍ ମାସର ଏକ ଶୀତୁଆ ରାତି, ସମୟ ୨ଘଣ୍ଟା । ପଶ୍ଚିମ ମହାରାଷ୍ଟ୍ରର ପୁନେ ଜିଲ୍ଲାର ସିରୁର୍ ତାଲୁକା ଅନ୍ତର୍ଗତ ଏକ ଗ୍ରାମର ମନ୍ଦିର ଆରପାଖରେ ଥିବା ଉନ୍ମୁକ୍ତ ପଡିଆ ଉଜ୍ଜ୍ୱଳ, ରଙ୍ଗବେରଙ୍ଗ ଆଲୋକରେ ଏକ ବଲିଉଡ୍ ନମ୍ବର୍ର ତାଳେତାଳେ ନାଚୁଥିବା ମହିଳାଙ୍କ ସହିତ ଚଳଚଞ୍ଚଳ ହୋଇଉଠିଛି । କିନ୍ତୁ ଲଲ୍ଲନ୍ ପାସ୍ୱାନ୍ ଓ ତାଙ୍କର ସହକର୍ମୀମାନେ ସେମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରୁନାହାନ୍ତି । ସେମାନେ ପ୍ରଶଂସା ଧ୍ୱନି କରୁଥିବା ଦର୍ଶକ ଓ ଡାକବାଜି ଯନ୍ତ୍ରର ଗର୍ଜନଠାରୁ ଦୂରରେ ଟିକିଏ ଶୋଇବା ପାଇଁ ନୀରବ ତଥା ମନ୍ଥର ଗତିରେ ଚାଲିଚାଲି ନିଜ ପାଇଁ ଏକ ସ୍ଥାନ ଖୋଜି ବୁଲୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ଫୋନ୍ରେ ଫିଲ୍ମ ଦେଖି ନିଜ ସମୟ ଅତିବାହିତ କରୁଛନ୍ତି ।
"ଏହି କାମ ଅତି କ୍ଲାନ୍ତିକର । ଆମେ ରାତିସାରା ଅନିଦ୍ରା ରହୁ, ମାଲିକଙ୍କ ଇଚ୍ଛା ଯେ ଆମେ ସବୁବେଳେ କାମ କରୁଥିବୁ,” ଲାଲ୍ଲନ୍ ପାଶ୍ୱାନ୍ କୁହନ୍ତି । ପ୍ରାୟ ୧୯ ବର୍ଷର ଲଲ୍ଲନ (ଶୀର୍ଷରେ ଥିବା କଭର୍ ଫଟୋରେ), ୧୩ବର୍ଷ ବୟସରୁ ‘ମଙ୍ଗଳ ବଂଶୋଦେ ଓ ନିତିନ୍ କୁମାର୍ ତାମସା ମଣ୍ଡଳୀ’ ସହିତ ସେଯେତେବେଳେ ୧୩ ବର୍ଷର ଥିଲେ, ସେତେବେଳୁ କାମ କରିଆସୁଛନ୍ତି । ସେ ୩୦ଜଣିଆ ଶ୍ରମିକ ଦଳର ସଦସ୍ୟଙ୍କମାନଙ୍କ ମଧ୍ୟରୁ ଜଣେ - ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ସମ୍ପ୍ରଦାୟର, ସେମାନଙ୍କ ବୟସ ୧୫ – ୪୫ ବର୍ଷ ମଧ୍ୟରେ- ଉତ୍ତର ପ୍ରଦେଶର ଲକ୍ଷ୍ନୌ ଜିଲ୍ଲାର ମାଲ୍ ବ୍ଲକ୍ ଅନ୍ତର୍ଗତ ମଲିହାବାଦ୍ର ବାସିନ୍ଦା । ଏହି ଦଳରେ ଥିବା ପୁରୁଷମାନେ ପରସ୍ପର ସହିତ ସମ୍ବନ୍ଧିତ ବା ସେମାନେ ନିଜ ଅଞ୍ଚଳରେ ଗୋଟିଏ ସାମାଜିକ ନେଟ୍ୱର୍କର ଅଂଶବିଶେଷ।
ତାମ୍ସା ଦଳ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ବୁଲୁଥିବାରୁ ସେମାନେ କାର୍ଯ୍ୟକ୍ରମ କରିବା ପାଇଁ ମଞ୍ଚ ଓ ଟେଣ୍ଟ ତିଆରି ନିର୍ମାଣ କରନ୍ତି । ଏବଂ ମଇ ଓ ସେପ୍ଟେମ୍ବର୍ ମାସ ମଧ୍ୟରେ, ଆଠ ମାସର ଏହି ତାମ୍ସା ଋତୁରେ – ମହାରାଷ୍ଟ୍ରର ଏକ ଲୋକ ନୃତ୍ୟ ଯାହା ପ୍ରତିଦିନ ବିଭିନ୍ନ ଗ୍ରାମରେ ଖୋଲାମଞ୍ଚରେ କରାଯାଏ, ସେମାନେ ଏହି କାମ ପ୍ରାୟ ୨୧୦ଥର କରିଥାନ୍ତି । ଏହା ହେଉଛି ଗୀତ ଓ ନାଚ, ବ୍ୟଙ୍ଗ ନାଟକ ଓ ଏକ ଲମ୍ବା ନାଟକ ଥିବା ମନୋରଞ୍ଜନଭରା ପ୍ୟାକେଜ୍ । ଏହି ଦଳରେ କଳାକାର, ଶ୍ରମିକ, ଡ୍ରାଇଭର୍, ୱାଇର୍ମ୍ୟାନ୍, ମ୍ୟାନେଜର୍ ଓ ରୋଷେୟାମାନେ ରହିଥାନ୍ତି ।










