‘‘ମୁଁ ବାଜି ମାରୁଛି, ତମେ ଏଠି କେବଳ ଗାଈ, ଗଧ ଆଉ କିଛି ବୁଲା କୁକୁରଙ୍କୁ ଭେଟିବ,’’ ୬୨ ବର୍ଷୀୟ ଟିସେରିଙ୍ଗ ଅଙ୍ଗଚୁକ୍ ସ୍ମିତ ହସିଲେ। ମୁଁ ତାଙ୍କୁ ଡିସେମ୍ବର ୨୦୧୬ ସ୍ନିମୋ ଗାଁରେ ଭେଟିଥିଲି। ଜମ୍ମୁ କାଶ୍ମୀର ଲଦାଖର ଲେହ ଟାଉନଠାରୁ ସ୍ନିମୋ ପ୍ରାୟ ୩୫ କିଲୋମିଟର ଦୂର।
ପ୍ରାୟ ୧,୧୦୦ ଲୋକ ସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ଏହି ଛୋଟ ଗାଁର ଅଧିକାଂଶ ଘର ଶୀତ ଦିନ ପାଇଁ ବନ୍ଦ ଥିଲା। ବିଯୁକ୍ତ ୧୩ ଡିଗ୍ରୀ ତଳକୁ ତାପମାତ୍ରା ଖସି ଆସୁଥିବାରୁ ଲୋକେ ଚଣ୍ଡିଗଡ, ଜମ୍ମୁ, ଦିଲ୍ଲୀ କିମ୍ବା ଏପରିକି ଲେହର ଉଷ୍ମ ଅଞ୍ଚଳକୁ ପରିବାର ଲୋକଙ୍କୁ ଧରି ପଳାଇଯିବାକୁ ପସନ୍ଦ କରନ୍ତି। ଟିସେରିଙ୍ଗ କହିଲେ, ‘‘ମୋ ଭଳି କିଛି ଲୋକ ଗାଈଗୋରୁଙ୍କ ସହ ରହି ଯାଇଛନ୍ତି।’’ ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ଛୁଆ ବାହାରେ ରହୁଥିବା ବେଳେ ଗୃହପାଳିତ ପଶୁ - ମୁଖ୍ୟତଃ ଗାଈ ଏବଂ ଡିଜୋସ (ଏକ ପ୍ରକାର ହାଇବ୍ରିଡ ପ୍ରଜାତିର ଗାଈ ଏବଂ ଚମରି ଗାଈ)ଙ୍କୁ ଧରି ସେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହୁଛନ୍ତି।










