ତନୁବାଈ ଗୋଭିଲକରଙ୍କ କାମରେ ଭୁଲ ସୁଧାରିବାର କୌଣସି ସୁଯୋଗ ହିଁ ନାହିଁ । ଅତି କଷ୍ଟରେ ହାତରେ ସେ ନିଖୁଣ ଭାବେ ଏହି କାମ କରିଥାନ୍ତି । କେବେ କୌଣସି ଭୁଲ ହୋଇଗଲେ- ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ପଡ଼ିଥାଏ। ଏହାର ଅର୍ଥ ହେଉଛି ପାଖାପାଖି ୯୭,୮୦୦ ଷ୍ଟିଚ୍ ଖୋଲି ପୁଣିଥରେ ସିଲେଇ କରିବାକୁ ପଡ଼ିଥାଏ।
ପ୍ରାୟ ୭୪ ବର୍ଷ ବୟସ୍କ ତନୁବାଇ ବେଶ ଦୁର୍ବଳ ହୋଇପଡ଼ିଥିବା ନିଜ କାରିଗରୀର ନିଖୁଣତା ବିଷୟରେ କୁହନ୍ତି ଯେ, ‘‘ଯଦି ତୁମେ ଗୋଟିଏ ଭୁଲ କରିବ, ତା’ହେଲେ ୱାକଲ (ରେଜେଇ) ତିଆରି ସମ୍ପୂର୍ଣ୍ଣ ବିଗିଡ଼ିଯିବ''। ଏହା ସତ୍ତ୍ୱେ, ସେ ଏମିତି ଜଣେ ହେଲେ ମହିଳାଙ୍କୁ ଜାଣନ୍ତି ନାହିଁ, ଯାହାଙ୍କୁ କେବେ ୱାକଲ ସିଲେଇ ଖୋଲିବାକୁ ପଡ଼ିଛି। ସେ ହସି ହସି କହିଥାନ୍ତି ଯେ ‘‘ଏକଦା ଶିକଲ କି ଚୁକ୍ ହୋତ ନାହୀ’’ (ଥରେ ଆପଣ ଏହି କଳା ଶିଖିଗଲେ ଆପଣ କୌଣସି ଭୁଲ କରିବେ ନାହିଁ।)।’’
ସେ ପାରମ୍ପରିକ ଭାବେ କେବେବି ଏହି କଳାର ସୂକ୍ଷ୍ମତାକୁ ଶିଖିନାହାନ୍ତି, ବରଂ ପେଟର ଆବଶ୍ୟକତା ତାଙ୍କୁ ଛୁଞ୍ଚି ଓ ସୂତା ଉଠାଇବା ପାଇଁ ବାଧ୍ୟ କରିଛି। ଷାଠିଏ ଦଶକର ନିଜ ପୁରୁଣା କଥାକୁ ସ୍ମରଣ କରି ସେ କୁହନ୍ତି, ‘‘ପୋଟାନେ ଶିକୱଲ ମଲା ( ଦାରିଦ୍ର୍ୟ ମୋତେ ଏହି କଳା ଶିଖାଇଦେଲା)।’’ ସେତେବେଳେ ସେ ୧୫ ବର୍ଷର ବିବାହିତା ଥିଲେ ।
ତନୁବାଇଙ୍କୁ ଲୋକମାନେ ସ୍ନେହରେ ଆଜୀ (ଜେଜେମା’) ବୋଲି ଡାକନ୍ତି । ସେ କୁହନ୍ତି, ‘‘ଯେଉଁ ବୟସରେ ମୋ ହାତରେ କଲମ ଓ ପେନ୍ସିଲ୍ ରହିବା କଥା, ସେହି ବୟସରେ ମୁଁ ଛୁଞ୍ଚି ଓ ଖୁରୁପି ଧରିଲି । କିନ୍ତୁ ଯଦି ମୁଁ ସ୍କୁଲ ଯାଇଥାନ୍ତି, ତା’ହେଲେ କ’ଣ ଏ କଳା ଶିଖିପାରିଥାନ୍ତି ବୋଲି ଆପଣଙ୍କୁ ଲାଗୁଛି କି?’’





















