୨୦୦୫ ଜୁନ୍ରେ ଓଡ଼ିଶା ସରକାର ଦକ୍ଷିଣ କୋରିଆର ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀ ପୋସ୍କୋ ସହିତ ସେ ପର୍ଯ୍ୟନ୍ତ ଦେଶର ସର୍ବବୃହତ୍ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଚୁକ୍ତିରେ ସ୍ଵାକ୍ଷର କଲେ। ଖଣିଜ ସଂପଦରେ ଭରପୂର ଏହି ରାଜ୍ୟର ପାରାଦୀପ ନିକଟରେ ୧୨ ଶହ କୋଟି ଡଲାର (ପ୍ରାୟ ୬୫, ୮୫୬ କୋଟି ଟଙ୍କା) ବିନିଯୋଗରେ ପ୍ରକଳ୍ପ ସ୍ଥାପନ ପାଇଁ ଚୁକ୍ତି ସଂପାଦିତ ହେଲା। ଏହି ପ୍ରକଳ୍ପ ସ୍ଥାପନ ପାଇଁ ୨,୯୫୮ ଏକର ଜଙ୍ଗଲ ଜମି ସମେତ ୪,୦୦୪ ଏକର ଜମିଚିହ୍ନିତ ହେଲା ଏବଂ ଚାଷୀ ଓ ମତ୍ସ୍ୟଜୀବୀମାନେ ବସବାସ କରୁଥିବା ଆଠଟି ଗାଁର ଲୋକେ ଜୀବିକା ହରାଇବା ଆଶଙ୍କା ଉପୁଜିଲା । ଇସ୍ପାତ କାରଖାନା ସହିତ ଏକ ନିଜସ୍ଵ ବନ୍ଦର, ବିଦ୍ୟୁତ୍ଉତ୍ପାଦନକେନ୍ଦ୍ର ଏବଂ ଏକ କ୍ଷୁଦ୍ର ସହର ସ୍ଥାପନ ପ୍ରସ୍ତାବ ରହିଥିଲା ।
ପାଖାପାଖି ଆଠ ବର୍ଷ ହେଲାଣି, ପ୍ରକଳ୍ପ ପ୍ରସ୍ତାବ ଯୋଗୁଁ ସରକାରୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୋଜନାବଦ୍ଧ ସଂଘର୍ଷ ଲାଗି ରହିଛି ଏବଂ ଏହି ପ୍ରସଙ୍ଗକୁ ନେଇ ଗୋଷ୍ଠୀ ବିଭାଜନ ମଧ୍ୟ ସଂଘଟିତ ହୋଇଛି ।
ବିରୋଧର କେନ୍ଦ୍ରବିନ୍ଦୁରେ ରହିଛି ଢିଙ୍କିଆ ଗାଁ ପ୍ରସ୍ତାବିତ ଶିଳ୍ପ ଦ୍ଵାରା ସେମାନଙ୍କର ଲାଭଦାୟକ ପାନବରଜ, ଧାନଜମି, ସାମାଜିକ ବନଭୂମି ଏବଂ ଭିଟାମାଟି ଅକ୍ତିଆର ଉଦ୍ୟମକୁ ପ୍ରତିହତ କରିବା ଲାଗି ଅବିରତ ଅହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।
ଗାଁ ଲୋକେ ଅଡ଼ି ବସିଛନ୍ତି, ଗାଁ ଚାରିଆଡ଼େ ବାଡ଼ ବାନ୍ଧିଛନ୍ତି, ପ୍ରକଳ୍ପର ମାତ୍ରାଧିକ ଉଲ୍ଲଂଘନ ବିରୋଧରେ ଅଦାଲତରେ ଆବେଦନ କରିଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ ଦିଗରେ ଆକୁଳ ନିବେଦନ କରିଛନ୍ତି ।
ପଡ଼ୋଶୀ ଗାଁଗୁଡ଼ିକରେ ସରକାରୀ କର୍ତ୍ତୃପକ୍ଷ ଉଗ୍ର ପୋଲିସ ବଳ ପ୍ରୟୋଗ କରି ପାନବରଜ ନଷ୍ଟ କରିଛନ୍ତି ଏବଂ ତୁହାକୁ ତୁହା ପୋଲିସ କାର୍ଯ୍ୟାନୁଷ୍ଠାନ ବଳରେ ଜମି ଅକ୍ତିଆର କରିଛନ୍ତି । ଏଥିରେ ରହିଛି, କିଛି ସପ୍ତାହ ତଳର ନିର୍ଦ୍ଦିଷ୍ଟ ଏକ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ । ବିଗତ ବର୍ଷଗୁଡ଼ିକରେ, ବିରୋଧକୁ ଦମନ କରିବା ଏବଂ ଗାଁ ଲୋକଙ୍କୁ ବନ୍ଦୀ କରିବା ପାଇଁ,ସେମାନେ ପ୍ରାୟ ୨୦୦ ଫୌଜଦାରି ମାମଲା ଦାୟର କରିଛନ୍ତି । ଯେଉଁଥିରେ କି ଶହ ଶହ ଗାଁ ଲୋକଙ୍କ ବିରୋଧରେ ଦେଶଦ୍ରୋହ ଏବଂ ଅଶ୍ଳୀଳ ପ୍ରଦର୍ଶନ ଅଭିଯୋଗ ରହିଛି ।
କିନ୍ତୁ ଢିଙ୍କିଆ ଗାଁର ଲୋକେ, ବିଶେଷତଃ ଗାଁର ମହିଳାମାନେ, କହନ୍ତି ଯେ, ସେମାନଙ୍କ ବିଦ୍ରୋହ ମରଣାନ୍ତକ ରୂପ ନେଲେ ବି ସେମାନେ ଏଥିରୁ ଓହରିଯିବେ ନାହିଁ ।







