“ପୋଲିସ ଆମକୁ ଘର ଭିତରେ ରହିବାକୁ କହିଥିଲା । ତେଜରାତି କି ଆଉ କିଛି ଅତ୍ୟାବଶ୍ୟକ ଜିନିଷ ପାଇଁ ଯେତେବେଳେ ବି ଘରୁ ବାହାରକୁ ଗୋଡ଼ କାଢ଼ିଲୁ, ପୋଲିସ ଆମକୁ ମାଡ଼ ମାରି ଆମ ବସାଘରକୁ ପଠାଇ ଦେଉଥିଲା । ଏମିତି କି ରାତିରେ ପରିସ୍ରା କରିବାକୁ ବାହାରିଲା ବେଳକୁ ବି ସେମାନେ ସେଠାରେ ଥିଲେ, ଆମ ଉପରେ ଝାମ୍ପି ପଡ଼ିବାକୁ ଅପେକ୍ଷା କରିଥିଲେ ।” ମୁମ୍ବାଇରେ କୋଭିଡ୍-୧୯ କାରଣରୁ ଜାରି ଲକ୍ଡାଉନ୍ର ପ୍ରଥମ କେଇ ଦିନର କଥା ମନେ ପକାଇ ଏହା କହନ୍ତି ଡୋଲାରାମ ।
ମାର୍ଚ୍ଚ ୨୫ ତାରିଖ ସକାଳେ ଲକ୍ଡାଉନ୍ ସଂପର୍କରେ ଶୁଣିବା ପରେ ଡୋଲାରାମ ଓ ତାଙ୍କ ସାଥୀ ଶ୍ରମିକମାନେ ମଲାଡ଼ସ୍ଥିତ କାର୍ଯ୍ୟସ୍ଥଳରୁ ବୋରିଭାଲିରେ ଥିବା ସେମାନଙ୍କ ବସାଘରକୁ ଫେରି ଆସିଥିଲେ । ଛଅ ଦିନ ପାଇଁ ସେମାନେ ସେଇ ସଂକୀର୍ଣ୍ଣ କୋଠରିରେ ରହିଲେ, ଯେଉଁ କୋଠରିରେ ଜଣ ପିଛା ମାସକୁ ୧,୦୦୦ ଟଙ୍କା ଭଡ଼ା ଦେଇ ସେମାନେ ୧୫ ଜଣ ରହୁଥିଲେ । ଆଶା କରୁଥିଲେ, ଖୁବ୍ ଶୀଘ୍ର ସ୍ଥିତି ବଦଳିଯିବ । ଦେଖୁ ଦେଖୁ ସେମାନଙ୍କର ଖାଦ୍ୟ ସରିଯିବାରେ ଲାଗିଲା । ତେଣୁ ୩୭ ବର୍ଷୀୟ ଡୋଲାରାମ ଏବଂ ଅନ୍ୟମାନେ ରାଜସ୍ଥାନର ବିଭିନ୍ନ ଗାଁରେ ଥିବା ନିଜ ନିଜ ଘରକୁ ଫେରିଯିବାକୁ ସ୍ଥିର କଲେ ।
ଫୋନ୍ରେ ଆମ ସହ କଥାବାର୍ତ୍ତା କରି ଡୋଲାରାମ କହନ୍ତି, “ମୁମ୍ବାଇରେ କିଛି କାମ ନଥିଲା । ହୋଲି ପରେ ଆମେ (ଆମ ଗାଁରୁ) ଫେରି ଆସିଥିବାରୁ ଆମ ପାଖରେବେଶୀ ଟଙ୍କା ବି ନଥିଲା । ତେଣୁ ମୁମ୍ବାଇ ସହରରେ ରହିବାର କିଛି କାରଣ ନଥିଲା ।”ସହର ଛାଡ଼ିବା ପୂର୍ବରୁ ତାଙ୍କ ପାଞ୍ଚ ବର୍ଷର ପୁଅ ରୋଗରେ ପଡ଼ିଛି ବୋଲି ସେ ଖବର ପାଇଥିଲେ । ତାଙ୍କ ସ୍ତ୍ରୀ, ସୁନ୍ଦର, ଏବଂ ଅନ୍ୟ ସଂପର୍କୀୟମାନେ ପିଲାଟିକୁ ହାସପାତାଳ ନେଇଥିଲେ, ତା’ପରେ ଭୋପା ବା ସ୍ଥାନୀୟ ପାରମ୍ପରିକ ଚିକିତ୍ସକଙ୍କ ପାଖକୁ ନେଇଥିଲେ, କିନ୍ତୁ ତା’ର ଅବସ୍ଥା ସୁଧୁରି ନଥିଲା ।
ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଥିବା ତାଙ୍କ ଗାଁ ବରୋଲିୟାରେ ହୋଲି ପର୍ବ (ମାର୍ଚ୍ଚ ୯-୧୦) ପାଳନର କିଛି ଦିନ ପରେ ଡୋଲାରାମ ମୁମ୍ବାଇକୁ ଫେରିଥିଲେ । ଜୀବିକା ଅର୍ଜନ ପାଇଁ ସେ ବର୍ଷକରେ ୮-୯ ମାସ ତାଙ୍କ ଗାଁଠାରୁ ଦୂରରେ, ସାଲୁମ୍ବର ବ୍ଲକ୍ରେ ରହନ୍ତି । ରାଜସ୍ଥାନର ବିଭିନ୍ନ ସହରକୁ କିମ୍ବା ସୁଦୂର ଗୋଆ, ପୁଣେ ଏବଂ ଗୁଜରାଟକୁ ଯାଇ ଗତ ୧୫ ବର୍ଷ ହେଲା ସେ ବିଭିନ୍ନ ନିର୍ମାଣ ସ୍ଥଳରେ ରାଜମିସ୍ତ୍ରୀ ରୂପେ କାମ କରିଆସୁଛନ୍ତି । ଦୁଇ ବର୍ଷ ହେଲା ସେ ମୁମ୍ବାଇକୁ ଆସୁଛନ୍ତି । ଏବେ ନିକଟରେ ସେ ମାର୍ବଲ୍ ପାଲିସ କାମ କରି ମାସକୁ ୧୨,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସେଥିରୁ ୭,୦୦୦-୮,୦୦୦ ଟଙ୍କା ଘରକୁ ପଠାଉଥିଲେ । ବର୍ଷକୁ ଦୁଇ ଥର, ହୋଲି ସମୟରେ ଏବଂ ଅକ୍ଟୋବର-ନଭେମ୍ବର ମାସରେ, ସେ ଘରକୁ ଯାଆନ୍ତି ଏବଂ ପ୍ରତି ଥର୧୫ରୁ ୩୦ ଦିନ ଯାଏ ରହନ୍ତି ।
ନିକଟରେ ମୁମ୍ବାଇରୁ ବରୋଲିୟା ଗାଁ ଯାଏ ତାଙ୍କର ଯାତ୍ରା, କେବଳ ଯେଭିନ୍ନ ସମୟର ଥିଲା ତାହା ନୁହେଁ, ବରଂ କଷ୍ଟକର ମଧ୍ୟ ଥିଲା। ଲକ୍ଡାଉନ୍ ଆରମ୍ଭ ହେବାର ଛଅ ଦିନ ପରେ ମାର୍ଚ୍ଚ ୩୧ ତାରିଖ ଦିନ ସେ ଓ ଅନ୍ୟମାନେ ମୁମ୍ବାଇରୁ ବାହାରିଲେ । ସେ କହନ୍ତି, “ରାଜସ୍ଥାନରେ ଆମ ଗାଁକୁ ଯିବା ପାଇଁ ଆମେ ଉଣେଇଶ ଜଣ ୨୦,୦୦୦ ଟଙ୍କାରେ ଗୋଟିଏ ଟ୍ୟାକ୍ସି ଭଡ଼ାରେ ନେଲୁ । କିନ୍ତୁ, ପୋଲିସ ଆମକୁ ମହାରାଷ୍ଟ୍ର ସୀମାରୁ ଫେରାଇ ଦେଲା ଏବଂ ମୁମ୍ବାଇରେ ବନ୍ଦ କରି ରଖିଦେଲା ।”







