ସିକନ୍ଦର ଗୁଲାମ ନବୀ ଶେଖ୍ କହିଲେ, “ଭାରତର ରାଷ୍ଟ୍ରପତି ମଧ୍ୟ ଖାଇବାକୁ ଖାଦ୍ୟ ଆବଶ୍ୟକ କରନ୍ତି । ତୁମ ପାଖରେ କେତେ ଟଙ୍କା ଅଛି ତାହା କିଛି ମାନେ ରଖେନା । ତୁମେ ଟଙ୍କାକୁ ଖାଇପାରିବ ନାହିଁ। ତୁମକୁ ଖାଦ୍ୟର ଆବଶ୍ୟକତା ରହିଛି ।’’ ସେ ପଚାରିଲେ, “ତୁମକୁ କିଏ ଖାଇବା ଦେଉଛି?’’
୩୬ ବର୍ଷୀୟ ଶେଖ୍ ଡୋମ୍ବିଭିଲିର ଜଣେ ଅଟୋରିକ୍ସା ଡ୍ରାଇଭର । ଭାରତର ଚାଷୀମାନଙ୍କ ପାଇଁ ସହରୀ ଲୋକଙ୍କ ସମର୍ଥନ ହାସଲ କରିବାକୁ ଏକ ପିଟିସନ୍ ଅଭିଯାନରେ ରବିବାର ନଭେମ୍ବର ୨୫, ୨୦୧୮ରେ ସେ କଲ୍ୟାଣ-ଡୋମ୍ବିଭିଲି ଟ୍ୱିନ ସିଟିଜ୍ର (ସେଣ୍ଟ୍ରାଲ ମୁମ୍ବାଇରେ ଥିବା ଦାଦର ଠାରୁ ପ୍ରାୟ ୪୫ କିମି ଦୂର) ନିଜର ସହକର୍ମୀମାନଙ୍କ ସହିତ ସାମିଲ ହେଲେ ।
ଡ୍ରାଇଭରମାନେ ଡୋମ୍ବିଭିଲି (ପୂର୍ବ) ଷ୍ଟେସନ୍ ବାହାରେ ରାମନଗର ରିକ୍ସା ଷ୍ଟାଣ୍ଡରେ ସକାଳ ୧୦ଟାରୁ ୨ଟା ଯାଏ ଏକତ୍ରିତ ହେଲେ ଏବଂ ମୁଖ୍ୟ ରିକ୍ସା ଷ୍ଟାଣ୍ଡରେ ଅପରାହ୍ନ ୪ଟାରୁ ୯ଟା ପର୍ଯ୍ୟନ୍ତ ଏକତ୍ରିତ ହେଲେ । ୭-୮ ଜଣ ରିକ୍ସା ଡ୍ରାଇଭରମାନଙ୍କର ଏକ ଟିମ୍, ସେମାନଙ୍କର ବନ୍ଧୁ ଏବଂ ସଂଘ କର୍ମକର୍ତ୍ତାମାନେ ମାଟିରେ ‘ନେସନ୍ ଫର ଫାର୍ମସ’ ହୋର୍ଡିଂ ଲଗାଇଲେ ଯେଉଁଥିରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରାଯାଇଥିଲା । ଅନ୍ୟମାନେ ପାମ୍ପଲେଟ, ପିଟିସନ୍ର ହିନ୍ଦୀ, ଇଂରାଜୀ ଏବଂ ମରାଠୀ କପି ଧରି ଏକ ଟେବୁଲରେ ବସିଥିଲେ। ପିଟିସନ୍ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ବେଳେ ଦେଶର ଜାରି ରହିଥିବା କୃଷକଙ୍କ ସମସ୍ୟା ଏବଂ ତା ସହ ଅନ୍ୟ ଶ୍ରମିକ ଦଳଗୁଡ଼ିକର ବର୍ଧିଷ୍ଣୁ ସମସ୍ୟା ସଂପର୍କରେ ଚର୍ଚ୍ଚା ପାଇଁ ସେଥିରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରାଯାଇଥିଲା ।
ଡୋମ୍ବିଭିଲି ଷ୍ଟେସନ୍ ମୁମ୍ବାଇ ସୁବୁରବନ୍ ରେଲୱେ ନେଟୱର୍କର ସେଣ୍ଟ୍ରାଲ ଲାଇନ୍ରେ ରହିଛି । ପ୍ରତିଦିନ ଷ୍ଟେସନ୍ରେ ହଜାର ହଜାର ଯାତ୍ରୀ ତରବର ହୋଇ ଯିବାଆସିବା କରିଥାନ୍ତି, ସେମାନେ ମୁମ୍ବାଇ ମହାନଗରୀର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଧରିଥାନ୍ତି । ସୁବରବନ ଷ୍ଟେସନ୍ ପରି ଡୋମ୍ବିଭିଲି ଇଷ୍ଟ ଷ୍ଟେସନ୍ ବାହାରେ ମଧ୍ୟ କପଡ଼ା, ଗହଣା, ଷ୍ଟେସନାରୀ ଏବଂ ଅନ୍ୟ ଜିନିଷପତ୍ର ବିକ୍ରି ହେଉଥିବା ଦୋକାନ ରହିଛି । ସେଠାରେ ବ୍ୟାଙ୍କ, ଏଟିଏମ୍, ପ୍ରିଣ୍ଟିଂ ସେବା ଉପଲବ୍ଧ । ପଥଚାରୀମାନଙ୍କ ପାଇଁ ଥିବା ରାସ୍ତାରେ ବୁଲାବିକାଳୀମାନେ ମୋବାଇଲ ଫୋନ୍ କଭର, ଫଳ, ପନିପରିବା ଏବଂ ଅନ୍ୟ ବହୁ ଜିନିଷ ବିକ୍ରି କରୁଛନ୍ତି । ସେଠାରେ ଚା’ ଦୋକାନ ଓ କୋଚିଂ କ୍ଲାସ ରହିଛି ।
ଏଠାରେ କୋଳାହଳ ଏବଂ ଭିଡ଼ ମଧ୍ୟରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଆପଣଙ୍କୁ ସେହିଭଳି କିଛି କହିବାକୁ ହେବ।








