‘‘ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ଲାଗି ରାଜି କରାଇବା ମଧ୍ୟ ଏକ ଆହ୍ୱାନ।’’
ପ୍ରଧାନ ଶିକ୍ଷକ ଶିବଜୀ ସିଂ ଯାଦବଙ୍କ ଏହି ଉକ୍ତି ତାଙ୍କ ୩୪ ବର୍ଷର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥାଏ। ଯାଦବଙ୍କୁ ତାଙ୍କର ଛାତ୍ରଛାତ୍ରୀମାନେ ‘ମାଷ୍ଟରଜୀ’ ବୋଲି ସମ୍ବୋଧନ କରିଥାନ୍ତି। ସେ ଡାବଲି ସାପୋରିରେ ଏକମାତ୍ର ବିଦ୍ୟାଳୟ ଚଳାଉଛନ୍ତି। ଆସାମର ମାଜୋଲି ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀର ଏହି ଦ୍ୱୀପରେ ବସବାସ କରୁଥିବା ୬୩ଟି ପରିବାରର ଅଧିକାଂଶ ପିଲାମାନେ ଏ ବିଦ୍ୟାଳୟକୁ ଆସିଥାନ୍ତି।
ଧୋନେଖୋନା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଥିବା ଏକମାତ୍ର ଶ୍ରେଣୀଗୃହର ଡେସ୍କରେ ବସି ଶିବଜୀ ନିଜ ଚାରିପାଖକୁ ଦେଖିଥାନ୍ତି ଓ ନିଜ ପିଲାମାନଙ୍କୁ ଚାହିଁ ହସୁ ଥାଆନ୍ତି। ୪୧ଟି ଉଜ୍ଜ୍ୱଳ ମୁଖମଣ୍ଡଳ ତାଙ୍କ ଆଡ଼କୁ ଚାହିଁଥାନ୍ତି। ସମସ୍ତଙ୍କ ବୟସ ୬ରୁ ୧୨ ବର୍ଷ ମଧ୍ୟରେ ଏବଂ ସେମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ‘‘ଛୋଟ ପିଲାଙ୍କୁ ପଢ଼ାଇବା, ପାଠ ବୁଝାଇବା – ତାହା ହିଁ ହେଉଛି ବାସ୍ତବ ଆହ୍ୱାନ,’’ ସେ କୁହନ୍ତି। ଆହୁରି ସେ କହିଥାନ୍ତି, ‘‘ଅନ୍ୟଥା ସେମାନେ ଦୌଡ଼ି ପଳାଇଯାଆନ୍ତି!’’
ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଅଧିକ ସମୀକ୍ଷା କରିବା ପୂର୍ବରୁ, ଟିକିଏ ରହିଯାଇ ସେ ତାଙ୍କ ବିଦ୍ୟାଳୟର କିଛି ବଡ଼ ଛାତ୍ରଛାତ୍ରୀଙ୍କୁ ଡାକନ୍ତି। ସେମାନଙ୍କୁ ସେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଅହମୀୟା ଏବଂ ଇଂରାଜୀର କାହାଣୀ ପୁସ୍ତକ ପ୍ୟାକେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ସେ ଜାଣିଛନ୍ତି ଯେ, ନୂଆ ପୁସ୍ତକର ଉତ୍ସାହ ତାଙ୍କ ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ରଖିବ ଏବଂ ସେ ଆମ ସହିତ କଥା ହେବାର ସୁଯୋଗ ପାଇବେ।
‘‘ସରକାର ମହାବିଦ୍ୟାଳୟର ପ୍ରାଧ୍ୟାପକମାନଙ୍କୁ ଯେତିକି ପାରିଶ୍ରମିକ ଦେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ମଧ୍ୟ ସେତିକି ମିଳିବା ଉଚିତ୍; ଆମେ ହିଁ ପାଠର ମୂଳଦୁଆ ପ୍ରତିଷ୍ଠା କରିଥାଉ,’’ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସେ କୁହନ୍ତି। କିନ୍ତୁ, ସେ କୁହନ୍ତି ଯେ, ମାତାପିତା ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି। ସେମାନଙ୍କ ଧାରଣା ହେଉଛି କେବଳ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଅଧିକ ଜରୁରି। ଏହି ଭ୍ରାନ୍ତଧାରଣା ଦୂର କରିବା ଲାଗି ସେ କଠିନ ପରିଶ୍ରମ କରିଥାନ୍ତି।

















