ଦୀର୍ଘଶ୍ୱାସ ଛାଡ଼ି ଡଲି ବାଦା କୁହନ୍ତି, ‘‘ସକାଳୁ ଏହା ତୃତୀୟ ଥର ମୋ ଗଧ ପାହାଡ଼ ଉପରକୁ ପାଣି ବୋହିଲାଣି’’। “ସେ ହାଲିଆ ହୋଇଯାଉଛି ଏବଂ ଆମ ପାଖରେ ତାକୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ ମଧ୍ୟ ନାହିଁ।’’
ଯେତେବେଳେ ମୁଁ ୫୩ବର୍ଷ ବୟସ୍କା ଡଲି ବାଦାଙ୍କ ଘରେ ପହଞ୍ଚିଲି, ସେ ଗଧଟିକୁ ବଳକା ହରଡ଼ଡାଲି ଏବଂ ଘାସ ଖୁଆଉଥିଲେ। ତାଙ୍କ ସ୍ୱାମୀ ବାଦାଜୀ ଆକାଶକୁ ଚାହିଁଥିଲେ- ଏହା ଜୁନ୍ର ମଝି ସମୟ ଥିଲା। ସେ ବାଗ୍ରି ରାଜସ୍ଥାନୀ ଭାଷାରେ କହିଲେ, ‘‘ମୁଁ ଭାବୁଛି ବର୍ଷା ହେବ’’, ମୌସୁମୀ ସମୟରେ ପାଣି ଖୁବ୍ ମଇଳା ହୋଇଯାଏ ଏବଂ ମୋ ସ୍ତ୍ରୀକୁ ଆମ ଗଧ ସହ ବର୍ଷାରେ ମଇଳା ପାଣି ଆଣିବାକୁ ଯିବାକୁ ହୁଏ ।
ରାଜସ୍ଥାନ ଉଦୟପୁର ଜିଲ୍ଲାର ରିଷଭଦେଓ ତହସିଲର ପ୍ରାୟ ୧,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ପାଚା ପଦଲା, ଯାହାକି ଉଦୟପୁର ସହରଠାରୁ ପ୍ରାୟ ୭୦କିଲୋମିଟର ଦୂରରେ ଅଛି। ଏଠି ମଣିଷ ଏବଂ ଜୀବଜନ୍ତୁ ଗୋଟିଏ ବର୍ଷାଦିନିଆ ଝରଣାରୁ ପାଣି ପିଅନ୍ତି। ଯେତେବେଳେ ସେଗୁଡ଼ିକ ଶୁଖିଯାଏ ଲୋକମାନେ ଭୂଇଁରେ ଗାତ ଖୋଳନ୍ତି ପାଣି ଉଠାଇବା ପାଇଁ। ଯେତେବେଳେ ବର୍ଷାହୁଏ ସେତେବେଳେ ଏହି ବଡ଼ ବଡ଼ ଗାତ ସବୁ ବର୍ଜ୍ୟ ସାମଗ୍ରୀରେ ଭରିଯାଏ। ପଦଲାର ଲୋକମାନେ ସଫା ପାଣି ଆସିବା ଆଶାରେ ଆଉ କିଛି ଗାତ ଖୋଳନ୍ତି ଏବଂ ଅନେକ ପରିବାର ପାହାଡ଼ ଉପରକୁ ପିଇବା ପାଣି ନେବା ପାଇଁ ସେମାନଙ୍କର ପୋଷା ଗଧମାନଙ୍କ ଉପଯୋଗ କରନ୍ତି- ଅନ୍ୟ ଗାଁ’ର ଲୋକମାନେ ପଦଲାକୁ ଗଧ ପାଣି ବୋହୁଥିବା ଗାଁ ଭାବରେ ସୂଚିତ କରନ୍ତି।
ଗଧମାନେ ବୋହୁଥିବା ପାଣି ଅନ୍ୟ ଘରୋଇ କାମ ପାଇଁ ବ୍ୟବହାର କରାଯାଏ। ଯଦିଓ ଅଧିକାଂଶ ସମୟରେ ମହିଳାମାନେ ସେହି ଗାତ କିମ୍ବା ଝରଣା ନିକଟକୁ ବାସନ ଓ କପଡ଼ା ସଫା କରିବାକୁ ନେବାକୁ ଚେଷ୍ଟା କରନ୍ତି। ଏଠାରେ ଲୋକମାନେ କୁହନ୍ତି ଗଧ ହେଉଛି ଏକ ନିବେଶ ଯାହା ବର୍ଷବର୍ଷ ଧରି ସବୁମାସରେ ବିନା କ୍ଳାନ୍ତିରେ ପାହାଡ଼ ଉପରକୁ ପାଣି ବୁହେ ।






