ଚଳିତ ଋତୁରେ ଶୋଷ ହେଉଛି ମରାଠୱାଡାର ସବୁଠାରୁ ବଡ ଫସଲ। ଆଖୁ କଥା ଭୁଲିଯାଆନ୍ତୁ। ମଣିଷ ଏବଂ ଶିଳ୍ପର ଶୋଷ ଅନ୍ୟ ସବୁକିଛିକୁ ଗିଳି ପକାଉଛି। ଯେଉଁମାନେ ଏହାକୁ ଅମଳ କରୁଛନ୍ତି, ସେମାନେ ଏ ଅଞ୍ଚଳରେ ପ୍ରତିଦିନ ଦଶ ନିୟୁତ ଟଙ୍କା ପାଉଛନ୍ତି। ରାସ୍ତାରେ ଦେଖାଯାଉଥିବା ଭ୍ୟାନରେ ଲଦା ହୋଇ ଶୁଖି ଯାଇଥିବା ଆଖୁ ସବୁ ଗୋଶାଳାକୁ ଖାଦ୍ୟ ଭାବେ ବ୍ୟବହାର ହେବା ପାଇଁ ଯାଉଛି। ସମାନ ରାସ୍ତା ଦେଇ ସହର, ଗାଁ ଓ ଉଦ୍ୟୋଗ ସବୁକୁ ଲାଭ ପାଇଁ ଅଗଣିତ ଟ୍ୟାଙ୍କର ଯାଉଛନ୍ତି। ଏ ଅଞ୍ଚଳରେ ପାଣି ବଜାର ହିଁ ସବୁଠାରୁ ବଡ ଜିନିଷ। ଟ୍ୟାଙ୍କର ଗୁଡିକ ହେଉଛି ତାର ସଙ୍କେତ।
ସେଗୁଡିକ ମଧ୍ୟରୁ ପ୍ରତିଦିନ ହଜାର ହଜାର ଟ୍ୟାଙ୍କର ପାଣି ସଂଗ୍ରହ, ପରିବହନ ଓ ବିକ୍ରି କରି ମରାଠୱଡା ଦେଇ ଅତିକ୍ରମ କରୁଛନ୍ତି। ସେ ସବୁ ମଧ୍ୟରୁ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଟ୍ୟାଙ୍କର ସଂଖ୍ୟା ଖୁବ୍ କମ୍ ଏବଂ ସେଥିରୁ କେତେକ ବି କେବଳ କାଗଜ କଲମରେ ରହିଛି। ଦ୍ରୁତ ଗତିରେ ବଢୁଥିବା ପାଣି ବଜାର ପଛରେ ଘରୋଇ ଭାବେ ପରିଚାଳିତ ଟ୍ୟାଙ୍କର ଗୁଡିକ ହିଁ ରହିଛି।
ବିଧାୟକ ଏବଂ କର୍ପୋରେଟରରୁ କଣ୍ଟ୍ରାକ୍ଟର ହୋଇଥିବା ଏବଂ କଣ୍ଟ୍ରାକ୍ଟରରୁ କର୍ପୋରେଟର ହୋଇଥିବା ଏବଂ ବିଧାୟକମାନଙ୍କର ରହିଛି ଟ୍ୟାଙ୍କର ଅର୍ଥନୀତି ପଛରେ ପ୍ରମୁଖ ଭୂମିକା। ପ୍ରଶାସକମାନେ ମଧ୍ୟ। ଅଧିକାଂଶ ସିଧାସଳଖ ନିଜ ନାଁରେ ଟ୍ୟାଙ୍କର ରଖିଛନ୍ତି ବା ବେନାମି ଚଳାଉଛନ୍ତି।
ତେବେ ଗୋଟିଏ ଟ୍ୟାଙ୍କର କଣ ? ପ୍ରକୃତରେ କେବଳ ବଡ ଡ୍ରମ୍ ଉପରେ ଅଳ୍ପ ଷ୍ଟିଲ୍ ପ୍ଲେଟ୍ ଘୋଡା ହୋଇଥିବ। ଗୋଟିଏ ୧୦,୦୦୦ ଲିଟର ବିଶିଷ୍ଟ ପାଣି ଟ୍ୟାଙ୍କରରେ ୫ ଫୁଟ୍ ଓ ୧୮ ଫୁଟର ତିନିଟି ସିଟ୍ ଥାଏ, ଏଥିରୁ ପ୍ରତ୍ୟେକର ଓଜନ ୧୯୮ କିଲୋଗ୍ରାମ। ଘୋଡା ହୋଇଥିବା ଡ୍ରମ୍ ଗୁଡିକ ଏକା ସାଙ୍ଗରେ ୱେଲଡିଂ ହୋଇଥାଏ। ଏଗୁଡିକ ଟ୍ରକ୍, ଲରି ଏବଂ ଅନ୍ୟ ବଡ ବାହନରେ ବିଭିନ୍ନ ଢଙ୍ଗରେ ଲଦା ହୋଇ ବୁହା ହୋଇପାରେ। ଛୋଟ ବାହନ ଗୁଡିକ କମ୍ କ୍ଷମତା ବିଶିଷ୍ଟ ସିଲିଣ୍ଡର ଗୁଡିକ ପରିବହନ କରନ୍ତି। ଗୋଟିଏ ୫,୦୦୦ ଲିଟର ବିଶିଷ୍ଟ କଣ୍ଟେନର ଗୋଟିଏ ବଡ ଭ୍ୟାନର ଟ୍ରେଲରରେ ଯାଇପାରେ। ତେବେ ଛୋଟ ଟ୍ରାକ୍ଟର, ଖୋଲା ଅଟୋ ରିକ୍ସା ଏବଂ ବଳଦ ଗାଡିରେ ୧,୦୦୦ ଏବଂ ୫୦୦ ଲିଟର ବିଶିଷ୍ଟ ଡ୍ରମ୍ ପରିବହନ ହୋଇଥାଏ।
ପାଣି ସଙ୍କଟ ଅଧିକ ହେବା ଯୋଗୁଁ, ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହ ଶହ ନିର୍ମାଣ ହେଉଛି। ଜଲନା ଜିଲ୍ଲାର ଜଲନା ସହରରେ, ପ୍ରାୟ ୧,୨୦୦ ଟ୍ୟାଙ୍କର, ଟ୍ରକ୍, ଟ୍ରାକ୍ଟର ଏବଂ ଅଟୋ ରିକ୍ସା ବିଭିନ୍ନ ଆକାରର ଟ୍ୟାଙ୍କର ନେଇ ଘୁରି ବୁଲନ୍ତି। ସେମାନେ ପାଣି ଉତ୍ସ ଏବଂ ଏଥିପାଇଁ ଆତୁର ହେଉଥିବା ଲୋକଙ୍କ ପାଖକୁ ଯିବା ଆସିବା କରନ୍ତି। ଡ୍ରାଇଭରମାନେ ଗ୍ରାହକଙ୍କ ସହ ଫୋନ୍ ଯୋଗେ ମୂଲଚାଲ କରନ୍ତି। ତେବେ ଏଥିରୁ ଅଧିକ ପରିମାଣର ପାଣି ଶିଳ୍ପ ସଂସ୍ଥା ଗୁଡିକୁ ଯାଏ ଯେଉଁମାନେ ବିପୁଳ ପରିମାଣର କିଣନ୍ତି। ମରାଠୀ ଦୈନିକ ଲୋକସତ୍ତାର ଲକ୍ଷଣ ରାଉତ କହନ୍ତି, “ଟ୍ୟାଙ୍କର ମାଲିକ ମାନେ ପ୍ରତିଦିନ ୬ ନିୟୁତରୁ ୭.୫ ନିୟୁତ ଟଙ୍କା ମଧ୍ୟରେ କାରବାର କରନ୍ତି। ଏହା ହେଉଛି ଏହି ଗୋଟିଏ ସହରରେ କେବଳ ଗୋଟିଏ କ୍ଷେତ୍ର ପାଣି ବଜାରର ଆକଳନ।” ରାଉତ ଏବଂ ତାଙ୍କ ସହକର୍ମୀ ରିପୋର୍ଟର ମାନେ ଏହି ଅଞ୍ଚଳର ପାଣି ବ୍ୟବସାୟ ଉପରେ ବର୍ଷ ବର୍ଷ ଧରି ନଜର ରଖିଛନ୍ତି।
କଣ୍ଟେନରର ଆକାରରେ ଫରକ ଥାଏ। ରାଉତ କହିଲେ, କିନ୍ତୁ ଏହି ସହରରେ, ସେଗୁଡିକର ହାରାହାରି କ୍ଷମତା ପ୍ରାୟ ୫,୦୦୦ ଲିଟର ହୋଇଥାଏ। ଏହି ୧,୨୦୦ ମଧ୍ୟରୁ ପ୍ରତ୍ୟେକ ଦିନକୁ ଅତି କମରେ ତିନି ଟ୍ରିପ୍ କରନ୍ତି। ଏଣୁ ସେମାନେ ମିଶି ଦିନକୁ ପ୍ରାୟ ୧୮ ନିୟୁତ ଲିଟର ପାଣି ପରିବହନ କରନ୍ତି। ପ୍ରତି ହଜାରେ ଲିଟରକୁ ୩୫୦ ଟଙ୍କା ହିସାବରେ ଏହା ଦିନକୁ ୬ ନିୟୁତ ଟଙ୍କାରୁ ଅଧିକ। ଏହି ବ୍ୟୟ ଘରୋଇ ବା ଗଚ୍ଛିତ ରଖିବା ବା ଶିଳ୍ପ କେଉଁ ଉଦେ୍ଧଶ୍ୟରେ ବ୍ୟବହୃତ ହେବ ତା ଉପରେ ନିର୍ଭର କରି ବଢିପାରେ।
ଅଭାବ ଟ୍ୟାଙ୍କର ଅର୍ଥନୀତିକୁ ଚଳାଉଛି। ଟ୍ୟାଙ୍କର ଗୁଡିକ ତିଆରି ହେଉଛି, ମରାମତି ହେଉଛି, ଭଡା ଦିଆଯାଉଛି, ବିକ୍ରି ଏବଂ କିଣା ଯାଉଛି। ଜଲନା ଯିବା ରାସ୍ତାରେ ଆମେ ରାହୁରି ନାମକ ଏମିତି ଏକ ବ୍ୟସ୍ତ ବହୁଳ ସ୍ଥାନ ଦେଖିଲୁ ଯାହା ପଡୋଶୀ ଅହମ୍ମଦନଗର ଜିଲ୍ଲାରେ ଅବସ୍ଥିତ। ଏଠାରେ ଗୋଟିଏ ୧୦,୦୦୦ ଲିଟର ବିଶିଷ୍ଟ ଟ୍ୟାଙ୍କର ନିର୍ମାଣ କରିବାକୁ ଆନୁମାନିକ ୩୦,୦୦୦ ଟଙ୍କା ଖର୍ଚ୍ଚ ହୁଏ। ଏହା ତାର ଦ୍ୱିଗୁଣ ମୂଲ୍ୟରେ ବିକ୍ରି ହୁଏ। ଗୋଟିଏ ଛୋଟ ଶିଳ୍ପାଞ୍ଚଳ, ରାହୁରି ଫ୍ୟାକ୍ଟ୍ରିରେ ଆମେ ଟ୍ୟାଙ୍କର କୌଶଳ ଉପରେ ଗୋଟିଏ କ୍ରାସ୍ କୋର୍ସ ବି କଲୁ। ନିର୍ମାଣ କେନ୍ଦ୍ରର ମାଲିକ ଶ୍ରୀକାନ୍ତ ମେଲାୱାନେ ଆମକୁ ବୁଝାଇଲେ, “ପ୍ରତ୍ୟେକ ୫ ଫୁଟରେ ୧୮ ଫୁଟ ଲମ୍ବର ଏମଏସ୍ ପ୍ଲେଟ୍ ୩.୫ ମିମି ମୋଟେଇ(୧୦ ଗଜ କୁହାଯାଏ) ”। ସେ ରୋଲିଂ ମେସିନ୍ ଦେଖାଇଲେ, ଯାହା ଉପରେ ପ୍ରତି ପ୍ଲେଟକୁ ହାତରେ ରୋଲ୍ କରାଯାଏ।



