ଏକ ଶୀତୁଆ ସକାଳରେ ମୁନସିଆରି ତହସିଲର ଜୈତି ଗାଁରେ ଥିବା ନିଜ ଘରର ଛାତ ଉପରେ ବସି ଝୁଡି ବୁଣୁଥିଲେ ନୈନରାମ ବାଜେଲା, ତାଙ୍କ ପଛରେ ଥିଲା ଲୁଗା ଶୁଖାଯାଉଥିବା ତାର, ମୁଣ୍ଡ ଉପରେ ବାଦଲ ଭାସୁଥିଲା ଏବଂ ଅଦୂରରେ ଥିଲା ପଞ୍ଚଚୂଳୀ ପାହାଡ। ସେ ହିମାଳୟ ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାର ବାଉଁଶ ରିଙ୍ଗଲକୁ ପତଳା ପାତିଆ କରିବାକୁ ବଙ୍କା ଛୁରୀରେ କାଟୁଥିଲେ। ପାହାଡି ଭାଷାରେ ସେ ତାକୁ ବରାଂଶ ବୋଲି କହୁଥିଲେ। ଭୀଷଣ ଥଣ୍ଡା ସତ୍ୱେ ସେ କୌଣସି ଗ୍ଲୋଭସ୍ ବା ମୋଜା ପିନ୍ଧି ନଥିଲେ। ତାଙ୍କ ଦେହରେ ଥଣ୍ଡା ପବନ ପଶି ଯାଉଥିଲା। କିନ୍ତୁ ତାଙ୍କ କାମ ଜାରି ରଖିଥିଲେ ନୈନରାମ।
କ୍ୟାମେରା ବା ମୋ ଆଡକୁ ନ ଚାହିଁ ସେ କହିଲେ, ଗତକାଲି ମୁଁ ଏହି ବାଉଁଶ ଜଙ୍ଗଲରୁ ସଂଗ୍ରହ କରିଥିଲି। ଏହି ପାତିଆ ସବୁ ଦୁଇଟି ଝୁଡି କରିବାକୁ ଯଥେଷ୍ଟ। ୧୨ ବର୍ଷ ବୟସରୁ ନୈନରାମ ବାଉଁଶ ସାମଗ୍ରୀ ତିଆରି କରିଆସୁଛନ୍ତି। ସେ ତାଙ୍କ ବାପାଙ୍କଠାରୁ ଏହି କଳା ଶିଖିଥିଲେ। କମ୍ ଆୟ ହେଉଥିବା ଯୋଗୁଁ ତାଙ୍କ ବାପା ତାଙ୍କୁ ଏହି କାମ କରିବାକୁ ଅନୁମତି ଦେବାକୁ ଦ୍ୱିଧାବୋଧ କରୁଥିଲେ। ତେଣୁ ସେ କହନ୍ତି, ପିଲାଦିନରୁ ମୁଁ ଲୋକଙ୍କ ଜମିରୁ ରିଙ୍ଗଲ ଚୋରି କରି ଝୁଡି, ଫୁଲଦାନୀ, ଡଷ୍ଟବିନ୍, ପେନଷ୍ଟାଣ୍ଡ ଏବଂ ଗରମ ରୁଟି ରଖିବା ପାଇଁ ପାତ୍ର ତିଆରି କରୁଥିଲି।
ଏବେ ନୈନରାମଙ୍କୁ ୫୪ ବର୍ଷ। ସେ କେବଳ ଛୁରୀ ଓ ହାତ ବ୍ୟବହାର କରି ବାଉଁଶରୁ ସବୁ ପ୍ରକାରର ସାମଗ୍ରୀ ତିଆରି କରିପାରନ୍ତି। ଝୁଡି ବୁଣୁ ବୁଣୁ ସେ କହିଲେ, ଏହା ମୋ ପାଇଁ କାଦୁଅ ଭଳି, ଏଥିରୁ ଆପଣ ସବୁକିଛି ତିଆରି କରିପାରିବେ। ଏହା ଜଣେ ଶ୍ରମିକର କାମ ନୁହେଁ, ଏହା ଏକ ଦକ୍ଷତା। ଏଥିପାଇଁ ଆପଣଙ୍କୁ ତାଲିମ ନେବାକୁ ପଡିବ, ଅନ୍ୟ କଳା ପରି ଏହା ମଧ୍ୟ ଧୈର୍ଯ୍ୟ ଆବଶ୍ୟକ କରେ।









