ମଝି-ଅକ୍ଟୋବରର ଏକ ମଧ୍ୟାହ୍ନ। ମିଜୋରାମର ହିମୁଇଫାଙ୍ଗ ପର୍ବତ ଶିଖରରେ ଥିବା ଜଂଗଲରେ ବାଦଲ ଭେଦ କରି ସୂର୍ଯ୍ୟ କିରଣ ପଡ଼ିଥିଲା। ତଥାପି ଚିର ସବୁଜ ବୃକ୍ଷର ଘନ ଆସ୍ତରଣ ତଳେ ଜଂଗଲ ଥଣ୍ଡା ଆଉ ଅନ୍ଧାରୁଆ ଲାଗୁଥିଲା। ସାରା ଜଂଗଲରେ ନିରବତା ଛାଇ ଯାଇଥିଲା - କେବଳ ଚଢେଇମାନଙ୍କ କିଚିରିମିଚିର ଶବ୍ଦ ଏବଂ ଜଣେ କାଠ ଗୋଟାଳିଙ୍କ ଥ୍ୱାକ୍ ଥ୍ୱାକ୍ ଶବ୍ଦ ଶୁଣାଯାଉଥିଲା।
ସେ ତାଙ୍କ କାମରେ ବ୍ୟସ୍ତ ଥିଲେ। ତାଙ୍କ ପାଖରେ ପୁଳାଏ ଜାଳେଣିକାଠ ପଡ଼ିଥିଲା। ୬୫ ବର୍ଷୀୟା ଏହି ବୃଦ୍ଧାଙ୍କୁ ଲାଲଜୁଇଲାନି ବା ଜୁଇଲାନି ବୋଲି ଡାକନ୍ତି। ପାଖରେ ଥିବା ହୁମୁଇଫାଙ୍ଗ ଗାଁର ଏହି ବୃଦ୍ଧା ଜଣକ ଘର ପାଇଁ ଜାଳେଣି କାଠ ସଂଗ୍ରହ କରୁଥିଲେ। ତାଙ୍କ ପାଦ ପାଖରେ କୁରାଢିଟିଏ ପଡିଥିଲା। ଧାର ଖୁବ୍ ତୀକ୍ଷ୍ଣ ଥିଲା। ସହଜ ବ୍ୟବହାର ପାଇଁ ତାର ଗୋଟିଏ ମୁଣ୍ଡରେ କାଠର ଲମ୍ବା ବେଣ୍ଟ ଲାଗିଥିଲା। ଏହା ସାହାଯ୍ୟରେ ସେ ବାଟଲାଙ୍ଗକେନ୍ ଗଛର (କ୍ରଟନ୍ ଲିସୋଫିଲସ) କାଠ ଚିରନ୍ତି। ଗୋଟିଏ ଗଛକୁ ସେ ୩-୪ ଖଣ୍ଡ କରନ୍ତି ଏବଂ ପ୍ରତି ଖଣ୍ଡର ଲମ୍ବ ପ୍ରାୟ ଅଧଫୁଟ। ସେ ସଂଗ୍ରହ କରିଥିବା କାଠ ସଂପୂର୍ଣ୍ଣ ଶୁଖି ନଥିଲା। ଓଜନ ପାଖାପାଖି ୩୦ କିଲୋଗ୍ରାମ।
ସେ କାଠ ଧରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ହାତରେ ଗୋଟିଏ ଦାଓ (କୁରାଢୀ) ଥିଲା। ଖୁବ୍ ଧାରୁଆ ଏବଂ ସହଜରେ ଚଳାଯାଇପାରେ। ଲାଗୁଥିଲା ଦୀର୍ଘ ବର୍ଷ ଧରି ଏହାର ବ୍ୟବହାର ହେଉଛି ।










