ଟ୍ରେନ୍ ଦାଦର ଷ୍ଟେସନ୍ ପାଖାପାଖି ହୋଇଗଲେ ତୁଳସୀ ଭଗତ ପୁରୁଣା ଶାଢ଼ିରେ ବନ୍ଧା ହୋଇଥିବା ଦୁଇଟି ବଡ଼ ପତ୍ର ଗଣ୍ଠିଲି ସହ ପ୍ରସ୍ତୁତ ହୋଇଯାନ୍ତି, ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଗୋଟିକ ପରେ ଗୋଟିଏ କରି ସେ ଗଣ୍ଠିଲି ଦୁଇଟିକୁ ପ୍ଲାଟଫର୍ମକୁ ପକାଇ ଦିଅନ୍ତି। ଗୋଟିଏ ଗଣ୍ଠିଲିର ଓଜନ ପ୍ରାୟ ୩୫ କିଲୋ ଲେଖାଏଁ ହୋଇଥାଏ। ସେ କହନ୍ତି, ‘ଯଦି ଟ୍ରେନ୍ ରହିବା ପୂର୍ବରୁ ଆମେ ବୋଝକୁ ନ ପକାଇ ଦେବୁ, ତା’ ହେଲେ ଏତେ ଅଧିକ ଓଜନ ବୋହି ଓହ୍ଲାଇବା ଆମ ପକ୍ଷେ ଅସମ୍ଭବ ହୋଇପଡ଼ିବ କାରଣ ଅନେକ ଲୋକ ଟ୍ରେନରେ ଚଢ଼ିବା ପାଇଁ ଅପେକ୍ଷା କରିଥାନ୍ତି। ’
ତା’ ପରେ ଟ୍ରେନରୁ ଓହ୍ଲାଇ ତୁଳସୀ ପ୍ଲାଟଫର୍ମରେ ପଡ଼ିଥିବା ତାଙ୍କର ପତ୍ର ଗଣ୍ଠିଲି ନିକଟକୁ ଆସନ୍ତି। ଗୋଟିଏ ଗଣ୍ଠିଲି ମୁଣ୍ଡରେ ରଖି ସେ ଗହଳି ଆଡେ଼ଇ ଷ୍ଟେସନ ବାହାରେ ରାସ୍ତା କଡ଼ରେ ଥିବା ଫୁଲ ବଜାର ଆଡକୁ ଯାଆନ୍ତି। ସେଠାରେ, ତାଙ୍କର ନିୟମିତ ସ୍ଥାନରେ ପତ୍ରଗଣ୍ଠିଲି ରଖନ୍ତି। ତା’ ପରେ ପୁଣି ଥରେ ପ୍ଲାଟଫର୍ମକୁ ଯାଆନ୍ତି ଏବଂ ଦ୍ୱିତୀୟ ଗଣ୍ଠିଲି ନେଇ ଫେରନ୍ତି। ‘ଥରକେ ମୁଁ ମୋ ମୁଣ୍ଡରେ କେବଳ ଗୋଟିଏ ବୋଝ ବୋହିପାରେ’, ସେ କହନ୍ତି। ଦୁଇଟି ଯାକ ଗଣ୍ଠିଲି ଷ୍ଟେସନ୍ରୁ ଫୁଲ ବଜାରକୁ ଆଣିବା ପାଇଁ ତାଙ୍କୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଯାଏ।
କିନ୍ତୁ ଏହା ହେଉଛି ତୁଳସୀଙ୍କ ଦୈନନ୍ଦିନ କାମର ଏକ ଛୋଟ ଅଂଶ। ସେ ଏମିତି ପ୍ରାୟ ୩୨ ଘଣ୍ଟା ଧରି କାମ କରନ୍ତି। ଏହି ସମୟରେ ସେ ଅତି କମରେ ୭୦ କିଲୋ ଓଜନ ବୋହି ପ୍ରାୟ ୨୦୦ କିମି ଯାତ୍ରା କରନ୍ତି ଏବଂ ୩୨ ଘଣ୍ଟାର ପରିଶ୍ରମ ପରେ ୪୦୦ ଟଙ୍କା ରୋଜଗାର କରନ୍ତି।









