ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ସହିତ ସୂଚନା ବିନିମୟ ପାଇଁ ଜାନୁଆରୀ ମାସରେ ଆୟୋଜିତ ଏକ ସମାବେଶ ଜନ୍ମଭୂମି ସମୟରେ ଥୁମ୍ମାଲାର ସରକାରୀ ସ୍କୁଲରେ ସମବେତ ମଣ୍ଡଳ ଅଧିକାରୀଙ୍କୁ ମହମ୍ମଦ ପଚାରିଲେ , ‘ମୁଁ କ’ଣ ପାଇଁ ରାସନ୍ ଦୋକାନରୁ ମୋ ଚାଉଳ ପାଉନାହିଁ’?
ମହମ୍ମଦଙ୍କ ନାଁ ଥୁମ୍ମାଲା ଗାଁରେ ଥିବା ତାଙ୍କ ରାସନ କାର୍ଡରେ ନାହିଁ। କିନ୍ତୁ ତାଙ୍କ ଫଟୋ ତାଙ୍କ ଘରଠାରୁ ପ୍ରାୟ ୨୫୦ କିମି ଦୂରରେ ଥିବା କୁର୍ଣ୍ଣୁଲ ସହରରେ ଏକ ରାସନ୍ କାର୍ଡରେ ରହିଛି। ଅଧିକାରୀମାନେ ଉତ୍ତର ଦେଲେ, ‘କିଛି ନାଁ ଭାଇଜାଗ ଭଳି ସ୍ଥାନ (୮୦୦ କିମି ଦୂରରେ ଥିବା ବିଶାଖାପାଟଣା)ରେ ବି ଦେଖାଉଛି। ’
ଅକ୍ଟୋବର ୨୦୧୬ରୁ ଆଧାର ନମ୍ବରକୁ ରାସନ୍ କାର୍ଡରେ ସଂଯୋଗ କରିବା ପରେ ପଠାନ୍ ମହମ୍ମଦ ଅଲ୍ଲୀ ଖାନଙ୍କୁ ଆଉ ରାସନ୍ ମିଳୁନାହିଁ। ଆନ୍ଧ୍ରପ୍ରଦେଶ ସରକାର ରାସନ୍ କାର୍ଡ ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିଦେବା ପରେ ୫୨ ବର୍ଷୀୟ ଏହି ପରିବା ଦୋକାନୀ ତାଙ୍କର ରାସନ୍ କାର୍ଡ ଓ ଆଧାର ନଂକୁ ସଂଯୋଗ କରିଥିଲେ। କିଛି ସପ୍ତାହ ମଧ୍ୟରେ ଅନନ୍ତପୁର ଜିଲ୍ଲାର ଆମଦାଗୁର ମଣ୍ଡଳର ଥୁମ୍ମାଲା ଗାଁରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ରାସନ୍ ଆଉଟଲେଟରେ ତାଙ୍କର ସମସ୍ୟା ଆରମ୍ଭ ହେଲା।
ଅଲ୍ଲୀଙ୍କ ପରି ଜଣେ ବିପିଏଲ(ଗରିବୀ ସୀମାରେଖା ତଳେ ଥିବା)କାର୍ଡଧାରୀ ଯେତେବେଳେ ପିଡିଏସ ଆଉଟଲେଟ୍ କୁ ଯାଆନ୍ତି, ଦୋକାନୀ ତାଙ୍କୁ ପରିବାରର ରାସନ୍ କାର୍ଡ ନମ୍ବର ସଂପର୍କରେ ପ୍ରଶ୍ନ କରିଥାଏ ଏବଂ ସେହି ନମ୍ବରକୁ ଗୋଟେ ଛୋଟ ମେସିନ୍ରେ ଲେଖେ। ତା’ ପରେ ସେହି ମେସିନ୍ରେ କାର୍ଡଧାରୀଙ୍କ ପରିବାର ସଦସ୍ୟଙ୍କ ସଂପର୍କରେ ବିବରଣୀ ଆସିଯାଏ ଏବଂ ରାସନ୍ ଆଣିବାକୁ ଯାଇଥିବା ଲୋକ ନିଜର ଟିପଚିହ୍ନ ଦେଇ ତାକୁ ପ୍ରମାଣିତ କରନ୍ତି। ମେସିନ୍ରେ ଦେଖାଯାଉଥିବା ପରିବାର ସଦସ୍ୟଙ୍କ ମୁତାବକ ଡିଲର ଜଣକ ରାସନ୍ ଦେଇଥାନ୍ତି। କିନ୍ତୁ ଅଲ୍ଲୀଙ୍କ ନାଁ ତାଙ୍କ ପରିବାର ସଦସ୍ୟଙ୍କର ଅନଲାଇନ୍ ତାଲିକାରୁ କଟି ଯାଇଛି। ସେ କହନ୍ତି, ‘ ଅନେକ ଥର ମୁଁ ଯାଇଛି ଏବଂ ମୋ ନାଁ ସେଥିରେ ନାହିଁ। ’ ‘ ସେମାନେ ଆମ ନମ୍ବର ଲେଖିବା ପରେ ୫ଟି ନାଁ ଦେଖାଇବା କଥା। କିନ୍ତୁ ୪ଟି ନାଁ ଦେଖାଉଛି, ମୋର ନାଁ ନିଖୋଜ ଅଛି। ସେହି ତାଲିକାରେ ନାଁ ଦେଖାଇଲେ ହିଁ ଟିପଚିହ୍ନ କାମ କରିବ। ନ ହେଲେ କାମ କରିବ ନାହିଁ। ’










