‘‘ମୁଁ ତିଆରି କରୁଥିବା ପ୍ରତ୍ୟେକ ଝୋପଡ଼ି ଅତିକମ୍ରେ ୭୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।’’
ବିଷ୍ଣୁ ଭୋସଲେଙ୍କର ଏକ ବିରଳ ଦକ୍ଷତା ରହିଛି – ସେ କୋହ୍ଲାପୁର ଜିଲ୍ଲା ଜାମ୍ଭଳି ଗ୍ରାମରେ ରହୁଥିବା ଜଣେ ଝୋପଡ଼ି (ପାରମ୍ପରିକ କୁଡ଼ିଆ) ନିର୍ମାତା।
୬୮ ବର୍ଷ ବୟସ୍କ ବିଷ୍ଣୁ ଭୋସଲେ ତାଙ୍କ ପିତା ସ୍ୱର୍ଗତ ଗୁଣ୍ଡୁଙ୍କଠାରୁ କାଠ ଫ୍ରେମ ଓ ନଡ଼ାର କୁଡ଼ିଆ ତିଆରି କରିବାର କୌଶଳ ଶିକ୍ଷା ଲାଭ କରିଥିଲେ। ସେ ୧୦ରୁ ଅଧିକ ଝୋପଡ଼ି ତିଆରି କରିଛନ୍ତି ଏବଂ ପ୍ରାୟ ସେତିକି ସଂଖ୍ୟକ ଝୋପଡ଼ି ତିଆରିରେ ସହାୟତା କରିଛନ୍ତି। ‘‘ଆମେ (ସାଧାରଣତଃ) ଖରାଦିନେ ଏସବୁ ତିଆରି କରିଥିଲୁ କାରଣ ସେତେବେଳେ ଚାଷ ଜମିରେ ଆମ ପାଇଁ କାମ ନଥିଲା,’’ ସେ ପୂର୍ବ କଥା ମନେ ପକାଇ କହିଥାନ୍ତି ଏବଂ ସେ ଆହୁରି କୁହନ୍ତି ଯେ, ‘‘ପୂର୍ବରୁ ଗୋଟିଏ ଝୋପଡ଼ି ତିଆରି କରିବାକୁ ନେଇ ଲୋକମାନେ ବେଶ୍ ଉତ୍ସାହିତ ରହୁଥିଲେ।’’
୬୦ ଦଶକ କଥା ମନେ ପକାଇ ବିଷ୍ଣୁ କୁହନ୍ତି ଯେ, ସେତେବେଳେ ଜାମ୍ଭଳିରେ ଏପରି ୧୦୦ରୁ ଅଧିକ ଝୋପଡ଼ି ଥିଲା। ସେ କୁହନ୍ତି ଯେ ବନ୍ଧୁମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ ଏବଂ ଆଖପାଖ ଅଞ୍ଚଳରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଉପଯୋଗ କରାଯାଉଥିଲା। ‘‘ଝୋପଡ଼ି ତିଆରି କରିବା ଲାଗି ଆମେ ଗୋଟିଏ ଟଙ୍କା ସୁଦ୍ଧା ଖର୍ଚ୍ଚ କରିନଥିଲୁ। କାରଣ ସେତିକି ଖର୍ଚ୍ଚ କରିବାର କ୍ଷମତା କାହାରି ପାଖରେ ନଥିଲା,’’ ସେ କହିଥାନ୍ତି ଏବଂ ଆହୁରି କୁହନ୍ତି ଯେ, ‘‘ଲୋକମାନେ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସେମାନଙ୍କ ପାଖରେ ସଠିକ ସାହିତ୍ୟ (ସାମଗ୍ରୀ) ଉପଲବ୍ଧ ଥିଲେ ଯାଇ ସେମାନେ କୁଡ଼ିଆ ତିଆରି କରିବା ଆରମ୍ଭ କରୁଥିଲେ।’’
୨୦୧୧ ଜନଗଣନା ଅନୁଯାୟୀ ୪,୯୬୩ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ କାଠ ଓ ନଡ଼ା ଘର ବଦଳରେ ବିଗତ ଶତାବ୍ଦୀର ଶେଷ ଭାଗ ଆଡ଼କୁ ଇଟା, ସିମେଣ୍ଟ ଏବଂ ଟିଣ ଘର ତିଆରି ହେବା ଆରମ୍ଭ ହେଲା। ସ୍ଥାନୀୟ କୁମ୍ଭାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଖପରୀ କୋଉଲୁ (ଛାତ ଟାଇଲ) ବା କୁମ୍ଭାରୀ କୋଉଲୁ ଏବଂ ମେସିନରେ ତିଆରି ତଥା ଅଧିକ ମଜବୁତ ଓ ସ୍ଥାୟିତ୍ୱ ରହିଥିବା ବାଙ୍ଗାଲୋର କୋଉଲୁ ଆସିବା ପରେ ପ୍ରଥମେ ଝୋପଡ଼ିର ଅସ୍ତିତ୍ୱ ଉପରେ ପ୍ରଭାବ ପଡ଼ିଥିଲା।
ଝୋପଡ଼ିର ନଡ଼ା ପାଇଁ ଆବଶ୍ୟକ ହେଉଥିବା ଶ୍ରମ ତୁଳନାରେ ଟାଇଲ ପାଇଁ କମ୍ ରକ୍ଷଣାବେକ୍ଷଣ ଦରକାର ହେଉଥିଲା, ଏବଂ ଏଗୁଡ଼ିକୁ ସହଜରେ ଓ ଶୀଘ୍ର ଖଞ୍ଜିବାକୁ ସୁବିଧା ହେଉଥିଲା। ଶେଷରେ, ସିମେଣ୍ଟ ଓ ଇଟାରେ ପକ୍କା ଘର ତିଆରି ହେବା ଆରମ୍ଭ ହେବା ପରେ ଝୋପଡ଼ି ତିଆରି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ଏବଂ ଏହା ଭାଗ୍ୟ ଅନ୍ଧାରକୁ ଚାଲିଗଲା। ଜାମ୍ଭଳିର ଲୋକମାନେ ସେମାନଙ୍କର ଝୋପଡ଼ିକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ ଏବଂ ଆଜି ଏଥିମଧ୍ୟରୁ ମାତ୍ର ଅଳ୍ପ କେତୋଟି ଗାଁରେ ରହିଛି।
‘‘ଗାଁରେ ଏବେ ଝୋପଡ଼ି ଟିଏ ଦେଖିବାକୁ ମିଳିବା ବିରଳ। କିଛି ବର୍ଷ ମଧ୍ୟରେ, ଆମେ ସବୁ ପାରମ୍ପରିକ ଘର ହରାଇବୁ କାରଣ କେହି ସେଗୁଡ଼ିକର ରକ୍ଷଣାବେକ୍ଷଣ କରୁନାହାନ୍ତି,’’ ବିଷ୍ଣୁ କୁହନ୍ତି।





























