ଦୁଇବର୍ଷ ତଳେ ପିଡିପକା ଗ୍ରାମ ଛାଡ଼ିବାକୁ ବାଧ୍ୟ ହୋଇଥିବା ଉପଲା ପ୍ରବୀଣ କୁମାର ବର୍ତ୍ତମାନ ମଧ୍ୟ ଘରଟିଏ ପାଇଁ ଅପେକ୍ଷା କରିଛନ୍ତି । ଯେଉଁ ଘର ପାଇଁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏ ମଧ୍ୟରେ ସେ ଅନେକ ସ୍ଥାନ ବଦଳାଇ ସାରିଲେଣି- ପ୍ରଥମେ ଗୋଟିଏ ସ୍କୁଲ ଘର, ଏହାପରେ ଭଡ଼ାଘର, ତା’ପରେ ପିତାମାତାଙ୍କ ଘର ଏବଂ ଏବେ ଗୋଟିଏ ତମ୍ବୁ ତଳେ ।
ସେ କୁହନ୍ତି, “ପ୍ରଥମ ଦୁଇମାସ- ମେ’ ଓ ଜୁନ୍- ଆମେ ହୁକୁମପେଟାର ଜିଲ୍ଲା ପରିଷଦ ହାଇସ୍କୁଲରେ ରହିଲୁ । ସ୍କୁଲ ଖୋଲିଲା ପରେ ଆମେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେଲୁ ।”
ପିଡିପକା ଗ୍ରାମର ଯେଉଁ ୩୦ଟି ପରିବାରକୁ ହୁକୁମପେଟାରେ ଗୋଟିଏ ଲେଖାଏଁ ଘର ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଗୋପାଳପୁରମ୍ ମଣ୍ଡଳର ହୁକୁମପେଟା ପିଡିପକା ଗାଁରୁ ୩୦ କିଲୋମିଟର ଦୂରରେ । ଏ ମଧ୍ୟରୁ ୨୪ଟି ପରିବାର ଘର ପାଇଲେ । ଏହି ଘର ଖୁବ୍ ଛୋଟ ଏବଂ ମାନ ମଧ୍ୟ ଖୁବ୍ ଖରାପ । ଅନ୍ୟ ୬ଟି ପରିବାର ଏ ପର୍ଯ୍ୟନ୍ତ ଘର ପାଇଁ ଅପେକ୍ଷା କରିଛନ୍ତି । ଉପରୋକ୍ତ ୩୦ଟି ଯାକ ପରିବାର ଦଳିତ ମାଲା ସମୂହର । ୨୦୧୬ ଗ୍ରୀଷ୍ମଋତୁର ପଶ୍ଚିମ ଗୋଦାବରୀ ଜିଲ୍ଲାର ପୋଲାଭରମ୍ ମଣ୍ଡଳର ପିଡିପକା ଗ୍ରାମରୁ ସମୁଦାୟ ୪୨୦ଟି ପରିବାର ବିସ୍ଥାପିତ ହୋଇଥିଲେ ।
ପିଡିପକା ଗ୍ରାମର ଯେଉଁ ୬ଟି ପରିବାର ବିସ୍ଥାପିତ ହୋଇ ଘର ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କ ମଧ୍ୟରେ ନବବିବାହିତ ଦମ୍ପତି ମଧ୍ୟ ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ପିଡିପକାରେ ପିତାମାତାଙ୍କ ସହ ରହୁଥିଲେ । ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୁନର୍ବାସ ଆଇନ (ଏଲ୍ ଆର୍ ଆର୍ ଏ), ୨୦୧୩ ଅନୁଯାୟୀ ପ୍ରତ୍ୟେକ ବିବାହିତ ପ୍ରାପ୍ତ ବୟସ୍କ (ପ୍ରକଳ୍ପ ପ୍ରଭାବିତ ଗ୍ରାମରେ ବାସ କରୁଥିବା)ଙ୍କୁ ଏକ ଅଲଗା ପରିବାର ଭାବରେ ବିବେଚନା କରାଯାଇ ଗୋଟିଏ ଲେଖାଏ ଘର ଏବଂ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ୨୩ ବର୍ଷ ବୟସ୍କ ପ୍ରବୀଣ ଓ ୨୨ବର୍ଷ ବୟସ୍କା ଅନୀତା ବିବାହିତ, ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ବୟସ ପାଖାପାଖି ୩ ଓ ୧ ।








