ଫାତିମା ବିବିଙ୍କ ନବଜାତ ଶିଶୁର ମୃତ୍ୟୁ ପରେ ହିଁ ସେ ଗୋଷ୍ଠୀ ପ୍ରସୂତି କେନ୍ଦ୍ରକୁ ତାଙ୍କର ପଞ୍ଚମ ପ୍ରସବ ପାଇଁ ଆସିଲେ । ତାଙ୍କର ସବୁ ଶିଶୁ- ତିନିଟି ଝିଅ ଓ ଗୋଟିଏ ପୁଅ, ଘରେ ଜନ୍ମ ନେଇଥିଲେ । ତାଙ୍କ ମାଆ ଜାମିଲା କହନ୍ତି, “ପୁଅଟି ଅକ୍ସିଜେନ୍ ଅଭାବରୁ ମରିଗଲା । “ତେଣୁ ଆମେ ଏଥର ହାସପାତାଳକୁ ଆସିଲୁ ।”
ସେମାନଙ୍କ ଗାଁ ରାମପୁରରୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାୟେମାରି ଗାଁ ପର୍ଯ୍ୟନ୍ତ ମାତ୍ର ୩୦ ମିନିଟ୍ର ବାଟ ଯିବା ପାଇଁ ତାଙ୍କ ପରିବାର ୭୦୦ ଟଙ୍କାରେ ଗୋଟିଏ ଭ୍ୟାନ୍ ଭଡ଼ାରେ ନେଲେ । ଫାତିମା କହନ୍ତି, “ଗାଁର ଗରିବ ମହିଳାମାନେ ଡଙ୍ଗାରେ ହାସପାତାଳ ଯାଏ ଯାଆନ୍ତି’’। “ଜୁଆର ଥିବା ବେଳେ ଏହା ଖୁବ୍ ବିପଜ୍ଜନକ। ଜୁଆର ଯୋଗୁଁ ଗତ ବର୍ଷ ଅତ୍ୟଧିକ ବୋଝେଇ ହୋଇଥିବା ଏକ ଡଙ୍ଗା କଥଖଲି ନିକଟରେ ବୁଡ଼ି ଯାଇଥିଲା। କେତେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ ।”
ଫାତିମାଙ୍କ ସଂଘର୍ଷ ହିଁ ସୁନ୍ଦରବନର ଗର୍ଭବତୀ ମହିଳାମାନେ ବାରମ୍ବାର ସମ୍ମୁଖୀନ ହେଉଥିବା ଦୁଃଖକଷ୍ଟକୁ ବୟାନ କରେ । ଏବଂ ସବୁ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏହା ହିଁ ସତ । ଏହି ସବୁ ଦ୍ଵୀପରେ ରହୁଥିବା ଅଧିକାଂଶ ଲୋକଙ୍କ ପାଇଁ ଡାକ୍ତରୀ ସହାୟତା ପାଇବା ଏକ କଷ୍ଟଦାୟକ ଅଭିଯାନ ।
ସୁନ୍ଦରବନ ଅଞ୍ଚଳ ସାରା ଅଳ୍ପ କେତେକ ଚିକିତ୍ସା ଉପ-କେନ୍ଦ୍ର ରହିଛି । ଏହା ହିଁ ସରକାରଙ୍କ ପ୍ରାଥମିକ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ସହ ଏଠାକାର ଲୋକଙ୍କ ପାଇଁ ପ୍ରଥମ ଯୋଗାଯୋଗ ସ୍ଥଳ। ପ୍ରତିଟି ଉପକେନ୍ଦ୍ର ୫୦୦୦ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ପଶ୍ଚିମ ଶ୍ରୀପତିନଗର ଏବଂ ପୂର୍ବ ଶ୍ରୀପତିନଗର ଗାଁର ଲୋକସଂଖ୍ୟା ପ୍ରାୟ ୯୫୦୦ (୨୦୧୧ ଜନଗଣନା ଅନୁସାରେ)। ଏହା ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଥିବାରୁ ୧୦,୦୦୦ରୁ ଅଧିକ ଲୋକ, ସେମାନଙ୍କ ସ୍ଵାସ୍ଥ୍ୟସେବା ଆବଶ୍ୟକତା ପୂରଣ ନିମନ୍ତେ, ପର୍ଯ୍ୟାପ୍ତ ଡାକ୍ତରୀ ଉପକରଣ ନ ଥିବା ଦୁଇଟି ଉପ-କେନ୍ଦ୍ର ଏବଂ କେତେକ ଆତ୍ମଘୋଷିତ ସ୍ଥାନୀୟ ‘ଡାକ୍ତର’ଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରନ୍ତି ।
ଏହା ହିଁ ସୁନ୍ଦରବନ ଅଞ୍ଚଳର ଦୂରବର୍ତ୍ତୀ ଭାଗରେ ଥିବା ପଶ୍ଚିମ ଶ୍ରୀପତିନଗର ଭଳି ଗାଁଗୁଡ଼ିକର ଲୋକମାନଙ୍କୁ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରଗୁଡ଼ିକର ସେବା ଉପରେ ନିର୍ଭର କରିବାକୁ ବାଧ୍ୟ କରେ । ଏଥିରୁ କେତେକ କେନ୍ଦ୍ର ଏଠାକାର ପାଣିରେ ଯାତାୟାତ କରୁଥିବା ଡଙ୍ଗାରେ ଚାଲେ । ଆମେ ଯାଇଥିବା ଦିନ, ଅଳ୍ପ କେଇ ଜଣ ଅସୁସ୍ଥ ଏବଂ ରୋଗାକ୍ରାନ୍ତ ଲୋକ ଗୋଟିଏ ଖାଲି କୋଠରି ବାହାରେ ରୁଣ୍ଡ ହୋଇଥିଲେ । ସେହି କୋଠରି ହିଁ ଗୋଟିଏ ଦିନ ପାଇଁ ଚିକିତ୍ସା କେନ୍ଦ୍ରର ରୂପ ନେବ । ଦୁଇ ଘଣ୍ଟାର ଯାତ୍ରା ପରେ ଶିବୁଆ ନଦୀ ଆରପଟରୁ ଆସି ଠିକ୍ ସେହି ସମୟରେ ଗୋଟିଏ ଡାକ୍ତରୀ ଦଳ ପହଞ୍ଚିଲେ । ଆଜି ମଙ୍ଗଳବାର, ଡାକ୍ତରୀ ଦଳ ଏହି ଗାଁକୁ ଆସିବା ପାଇଁ ନିର୍ଦ୍ଧାରିତ ବାର।








