ଯେତେବେଳେ ଭୱଁରି ଦେବୀଙ୍କର ୧୩ ବର୍ଷର ଝିଅକୁ ବାଜରା କ୍ଷେତରେ ଉଚ୍ଚ ଜାତିର ଜଣେ ଯୁବକ ବଳାକ୍ରାର କରିଥିବା କଥା ଜଣାପଡ଼ିଲା, ସେ ଏକ ଲାଠି ଧରି ନିଜେ ବଳାକ୍ରାରୀ ପଛରେ ଦଉଡ଼ିଲେ। ପୁଲିସ ଏବଂ କୋର୍ଟ ଉପରେ ତାଙ୍କର ବିଶ୍ୱାସ ନଥିଲା। ଏପରିକି ତାଙ୍କୁ ରାମପୁରାର ପ୍ରଭାବଶାଳୀ ଉଚ୍ଚ ଜାତିର ଅହିରୋନମାନଙ୍କ ଦ୍ୱାରା ଅଭିଯୋଗ କରିବାରୁ ଅଟକାଗଲା। ସେ କହନ୍ତି, ‘ଗାଁର ଜାତି ପଞ୍ଚାୟତ ମୋତେ ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଥିଲା। ତା’ ବଦଳରେ ସେମାନେ ମୋତେ ଏବଂ ମୋ ପରିବାରକୁ ରାମପୁରାରୁ ବାହାର କରିଦେଲେ।’ ସେହି ବଳାତ୍କାର ଘଟଣାର ପ୍ରାୟ ଏକ ଦଶନ୍ଧି ପରେ ଆଜମୀର ଜିଲ୍ଲା ସ୍ଥିତ ଏହି ଗାଁର କାହାରିକୁ ବି ଦଣ୍ଡବିଧାନ କରାଯାଇନାହିଁ।
ରାଜସ୍ଥାନରେ ଏହା କିଛି ଅଧିକ ଅର୍ଥ ରଖେନାହିଁ। ହାରାହାରି ଭାବେ ଦେଖିବାକୁ ଗଲେ ଏଠାରେ ପ୍ରତି ୬୦ ଘଣ୍ଟାରେ ଜଣେ ଦଳିତ ମହିଳା ବଳାତ୍କାରର ଶିକାର ହୋଇଥାନ୍ତି।
ଅନୁସୂଚୀତ ଜାତି/ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ଜାତୀୟ ଆୟୋଗର ରିପୋର୍ଟ ଉପରେ ଆଧାରିତ ତଥ୍ୟରୁ ଜଣାପଡେ଼ ଯେ ୧୯୯୧-୧୯୯୬ ମଧ୍ୟରେ ଅନୁସୂଚିତ ଜାତିର ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବାର ପ୍ରାୟ ୯୦୦ଟି ଘଟଣା ପୁଲିସ ନିକଟରେ ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ବର୍ଷକୁ ପ୍ରାୟ ୧୫୦ଟି ବା ପ୍ରତି ୬୦ ଘଣ୍ଟାରେ ଗୋଟିଏ ଘଟଣା ଘଟିଥିଲା। ( କିଛି ମାସର ରାଷ୍ଟ୍ରପତି ଶାସନକୁ ଛାଡ଼ିଦେଲେ ରାଜ୍ୟ ଏହି ସମୟ ମଧ୍ୟରେ ସଂପୂର୍ଣ୍ଣ ଭାବେ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣରେ ଥିଲା। ) ଏହି ସଂଖ୍ୟା ପ୍ରକୃତ ସତ୍ୟକୁ ବୟାନ କରୁନାହିଁ। ଏହି ରାଜ୍ୟରେ ଏଭଳି ଅପରାଧ ସଂପର୍କରେ ରିପୋର୍ଟ କରିବାର ମାତ୍ରା ବୋଧହୁଏ ଦେଶରେ ସବୁଠୁ ଖରାପ।
ଢୋଲପୁର ଜିଲ୍ଳାର ନାକସୋଡା ଗାଁରେ ସବୁଠୁ ଅଧିକ ନିର୍ମମ ଅତ୍ୟାଚାରର ଶିକାର ହୋଇଥିବା ଜଣେ ପୀଡ଼ିତ ଗାଁ ଛାଡ଼ି ପଳାଇଛନ୍ତି। ଏପ୍ରିଲ ୧୯୯୮ ମସିହାରେ ରାମେଶ୍ୱର ଯାତବ ନାମକ ଜଣେ ଦଳିତ ଜଣେ ଉଚ୍ଚଜାତିର ଗୁଜ୍ଜର ଲୋକଙ୍କୁ ଦେଇଥିବା ୧୫୦ ଟଙ୍କାର ଋଣ ଫେରସ୍ତ ମାଗିଲେ। ଏପରି କରି ସେ ସମସ୍ୟାକୁ ଡାକୁଥିଲେ। ତାଙ୍କର ଏଭଳି ଗର୍ବକୁ ଦେଖି କିଛି ଗୁଜ୍ଜର ମିଶି ତାଙ୍କ ନାକରେ କଣା କରି ଝୋଟରେ ତିଆରି ଗୋଟିଏ ମିଟର ଲମ୍ବା ଏବଂ ୨ ମିଲିମିଟର ମୋଟା ଏକ ଦଉଡ଼ି ପୂରାଇଦେଲେ। ସେମାନେ ତାଙ୍କୁ ସେହି ଦଉଡି ଧରି ଗାଁ ସାରା ବୁଲାଇଲେ।
ଏହି ଘଟଣା ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚିତ ହେବା ସହ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ବିଦେଶରେ ଉଭୟ ସମ୍ବାଦପତ୍ର ଓ ଟେଲିଭିଜନରେ ମଧ୍ୟ ବହୁଳ ଭାବେ ପ୍ରସାରିତ ହୋଇଥିଲା। କିନ୍ତୁ ନ୍ୟାୟ ପ୍ରଦାନ ପାଇଁ ଏ ସବୁ ପ୍ରଚାରର କୌଣସି ପ୍ରଭାବ ନ ଥିଲା। ଏଥିରେ ଗାଁ ଭିତରେ ଆତଙ୍କ ଏବଂ ତୃଣମୂଳ ସ୍ତରରେ ଏକ ସ୍ଥାଣୁ ପ୍ରଶାସନକୁ ଦେଖାଯାଉଥିଲା। ଏବଂ କିଛି ଦିନ ଭିତରେ ଗଣମାଧ୍ୟମ ମଧ୍ୟ ଏ ମାମଲାରେ ଆଗ୍ରହ ଦେଖାଇଲା ନାହିଁ। ମାନବାଧିକାର ସଂଗଠନ ଗୁଡିକର ବ୍ୟବହାର ବି ସମାନ ଥିଲା। ପୀଡିତ ଗଣମାଧ୍ୟମର ପରବର୍ତୀ ପ୍ରଭାବକୁ ମଧ୍ୟ ସାମ୍ନା କଲେ। କୋର୍ଟରେ ରାମେଶ୍ୱର ସମ୍ପୂର୍ଣ ଭାବେ ବୟାନ ବଦଳାଇଦେଲେ। ହଁ ଅତ୍ୟାଚାର ହୋଇଥିଲା, କିନ୍ତୁ ଅଭିଯୋଗରେ ଦର୍ଶାଯାଇଥିବା ଛଅ ଜଣ ଲୋକ ଏମିତି କରିନଥିଲେ। ସେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଲେ ନାହିଁ।
ଯେଉଁ ବରିଷ୍ଠ ଅଧିକାରୀ ତାଙ୍କର କ୍ଷତ ବାବଦରେ ରେକର୍ଡ କରିଥିଲେ, ଏବେ ସେ ସେ କଥା ଭୁଲିଯାଇଥିବା କହିଲେ। ହଁ ରାମେଶ୍ୱର କ୍ଷତାକ୍ତ ଅବସ୍ଥାରେ ତାଙ୍କ ପାଖକୁ ଆସିଥିଲେ। ତେବେ କେମିତି ପୀଡିତ ଏମିତି ଗଭୀର ଭାବେ କ୍ଷତାକ୍ତ ହେଲା ସେ ବାବଦରେ ତାଙ୍କୁ କହିଥିଲେ କି ନାହିଁ ତାହା ତାଙ୍କର ମନେ ନାହିଁ।






