“ଆମେ ବାହାରି ଯିବାକୁ ଚାହୁଁ ନ ଥିଲୁ । ପ୍ରଥମେ ଆମେ ସେମାନଙ୍କୁ ଅଣଦେଖା କଲୁ । ତା’ପରେ ଯେତେବେଳେ ବି ବନ ବିଭାଗ ଅଧିକାରୀମାନେ ଆସୁଥିଲେ, ଆମେ ଲୁଚି ଯାଉଥିଲୁ... ଏମିତି ଏମିତି ଆମେ ଅନେକ ଦିନ କାଟିଦେଲୁ ।” ପୁରୁଣା କଥା ମନେ ପକାଇ ଏହା କହନ୍ତି ବାବୁଲାଲ କୁଆନ୍ଧର, ଯିଏ କି ପୂର୍ବରୁ ତାଲଗାଓଁ ଗାଁରେ ରହୁଥିଲେ । “ମୁଁ ଭାବୁଛି, ପାଖାପାଖି ୨୦୦୮ରେ ଏହି ନିଷ୍ପତ୍ତି ନିଆଯାଇଥିଲା । ବନ ବିଭାଗ ଅଧିକାରୀମାନେ ଆମକୁ କହିଲେ ଯେ, ଜଙ୍ଗଲରେ ବାଘଙ୍କ ସଂଖ୍ୟା ବଢ଼ି ଯାଇଛି ଏବଂ ଆମକୁ ତୁରନ୍ତ ବାହାରି ଯିବାକୁ ପଡ଼ିବ ।”
ଚାରି ବର୍ଷ ଧରି ସ୍ଥାନ ଛାଡ଼ି ଯିବାକୁ ମନା କରିବା ପରେ, ୨୦୧୨ରେ ତାଲଗାଓଁର ଆଦିବାସୀମାନଙ୍କୁ ସେମାନଙ୍କ ପୈତୃକ ଗାଁ ଛାଡ଼ି ପ୍ରାୟ ୧୬ କିଲୋମିଟର ଦୂର ଶରତପୁରା ପଲ୍ଲୀରେ ବସବାସ କରିବାକୁ ବାଧ୍ୟ କରାଗଲା । ସ୍ଥାନୀୟ ଭାଷାରେ ତାରା-ଟେକ୍ କୁହାଯାଉଥିବା ଏହି ପଲ୍ଲୀଟି ପାନ୍ନା ଜିଲ୍ଲାର ଅମନଗଞ୍ଜ ତହସିଲ୍କୁ ଯାଇଥିବା ରାଜପଥ ନିକଟରେ ରହିଛି ।
୨୦୦୮-୨୦୦୯ରେ, ଯେତେବେଳେ ମଧ୍ୟ ପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସବୁ ବାଘ ଲୋପ ପାଇଗଲେ, ଗୁରୁତ୍ୱପୂର୍ଣ୍ଣ ବ୍ୟାଘ୍ର ନିବାସସ୍ଥଳୀରେ ବାଘମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବାକୁ ୧୨ଟି ଗାଁକୁ ସ୍ଥାନାନ୍ତର କରାଗଲା । ସେଥିରୁ ଗୋଟିଏ ହେଲା ତାଲଗାଓଁ । ୨୦୧୧ର ଏକ ରିପୋର୍ଟ ଅନୁସାରେ ସଂରକ୍ଷିତ ଅଞ୍ଚଳର କେନ୍ଦ୍ରସ୍ଥଳରେ ୧୬ଟି ଗାଁ ରହିଥିଲା (୧୧ଟି ପାନ୍ନା ଜିଲ୍ଲାରେ ଏବଂ ପାଞ୍ଚଟି ଛତରପୁର ଜିଲ୍ଲାରେ; ସେ ସମୟରେ ସ୍ଥାନାନ୍ତରିତ ହୋଇ ନଥିବା ଚାରିଟି ଗାଁର ବର୍ତ୍ତମାନ ସ୍ଥିତି ଯାଞ୍ଚ କରାଯାଇପାରିନାହିଁ) ।
୨୦୧୧ ଜନଗଣନାରେ, ସେତେବେଳେ ତାଲଗାଓଁରେ ୧୭୧ଟି ପରିବାର ରହୁଥିବା ରେକର୍ଡ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ ଗୋଣ୍ଡ ଆଦିବାସୀ ସଂପ୍ରଦାୟର । ସେମାନଙ୍କ ମଧ୍ୟରୁ ମାତ୍ର ୩୭ଟି ପରିବାର ଶରତପୁରାରେ ରହୁଛନ୍ତି । ଅନ୍ୟମାନେ ସତ୍ନା, କଟ୍ନି ଏବଂ ଅଜୟଗଡ଼ ଭଳି ସହରକୁ ଚାଲିଯାଇଛନ୍ତି ।
ସେ ଯାହା ହେଉନା କାହିଁକି, ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ଅନେକ ସରକାରୀ ମାପଦଣ୍ଡ ଏବଂ ଆଇନଗତ ବ୍ୟବସ୍ଥାକୁ ଅଣଦେଖା କରାଯାଇଛି। ପରିବେଶ ଓ ବନ ମନ୍ତ୍ରାଳୟ ତଦାରଖ କରୁଥିବା ପ୍ରୋଜେକ୍ଟ ଟାଇଗରର ଧାରା ୪.୯ ଅନୁସାରେ ସ୍ଥାନାନ୍ତରଣ ପ୍ୟାକେଜ୍ରେ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି: କ୍ଷତିପୂରଣ ରୂପେ ୧୦ ଲକ୍ଷ ଟଙ୍କା ଗ୍ରହଣ କରି ଗୋଟିଏ ପରିବାର ନିଜେ ନିଜର ସ୍ଥାନାନ୍ତର ଓ ବସବାସ ବ୍ୟବସ୍ଥା କରିବ, କିମ୍ବା ବନ ବିଭାଗ ଓ ଜିଲ୍ଲାପାଳ ଥଇଥାନ ପ୍ରକ୍ରିୟାର ଦାୟିତ୍ୱ ନିଶ୍ଚିତ ତୁଲାଇବେ ।










