ସରକାର ତୁମେ ଜବାବ ଦିଅ !
ହେ ସରକାର ! ଜବାବ ଦିଅ !
ଜବାବ ଦିଅ !
କାହିଁକି ସେ ଗର୍ଭବତୀ ନାରୀ ଫେରିଆସୁଛି
ହଜାର ହଜାର କିଲୋମିଟର ଚାଲି ଚାଲି
ପାଦ ପରେ ପାଦ ପକାଇ, ଖାଲି ପାଦରେ
ଗର୍ଭରେ ତା’ର ଛୁଆଟିକୁ ଧରି ?


Kalahandi, Odisha
|FRI, SEP 04, 2020
ଛନ୍ଦ ଆଉ ତର୍କ ସହିତ – ପ୍ରବାସୀଙ୍କ ପାଇଁ ରାପ୍ ଗୀତ
କଳାହାଣ୍ଡି ଜିଲ୍ଲାର ଦୁଲେଶ୍ଵର ତାଣ୍ଡି- ‘ରାପର ଦୁଲେ ରକର୍’- ଜଣେ ଟ୍ୟୁସନ ଶିକ୍ଷକ, ନିର୍ମାଣ ଶ୍ରମିକ ଏବଂ ସାମୟିକ ପ୍ରବାସୀ । ଲକ୍ଡାଉନ୍ ସମୟରେ ପ୍ରବାସୀମାନଙ୍କ ଦୁର୍ଦ୍ଦଶା ସଂପର୍କରେ ଏଇ ଗୀତ ମାଧ୍ୟମରେ ସେ ନିଜର ବ୍ୟଥାବ୍ୟକ୍ତ କରନ୍ତି
Author
Translator
ତାହା ହିଁ ଦୁଲେଶ୍ଵର ତାଣ୍ଡିଙ୍କ ଗୀତ । କାହିଁକି ଗୀତ ଲେଖିଲେ ଏବଂ ଗାଇଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହନ୍ତି, “ମୋ ରାପ୍ ଜରିଆରେ ମୁଁ ମୋର ବ୍ୟଥା ଓ କ୍ରୋଧ ବ୍ୟକ୍ତ କରିଛି” । ‘ସରକାର, ତୁଇ ଜବାବ ଦେ।’
କଥା ଆଗକୁ ବଢ଼ାଇ ସେ କହନ୍ତି, “ଭାରତରେ ଯେତେବେଳେ ଲକ୍ଡାଉନ ଜାରି ହେଲା, ଦେଶର ଦରିଦ୍ର ଲୋକମାନଙ୍କର ଦୁଃଖକଷ୍ଟ ଆରମ୍ଭ ହୋଇଗଲା । ଶ୍ରମିକମାନେ କାମ ହରାଇଲେ, ଘର ହରାଇଲେ ଏବଂ ଦିନ ପରେ ଦିନ ଉପାସରେ କାଟିଲେ । ହଜାର ହଜାର ଲୋକ ପ୍ରବଳ ଖରାତାତିରେ, ଖାଲି ପାଦରେ ଚାଲି ଚାଲି ନିଜ ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ । ଏମିତି ନୁହେଁ ଯେ ଏସବୁ ରୋକିବା ଦିଗରେ ଏବଂ ଗରିବମାନଙ୍କୁ ସହାୟତା ଦେବାରେ ସରକାର ସକ୍ଷମ ନୁହଁନ୍ତି । ହେଲେ ତା ବଦଳରେ ସେମାନେ ଭାରତର ଦରିଦ୍ରମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଲେ । ଏସବୁ ଦେଖି ମୁଁ ଦୁଃଖିତ ଏବଂ ବିସ୍ମିତ ହେଲି । ଆଉ ମୁଁ ଭାବୁଛି,ଏ ସଂପର୍କରେ ଆମେ ନିଶ୍ଚିତ ଭାବରେ ସରକାରଙ୍କୁ ପ୍ରଶ୍ନ ପଚାରିବା କଥା.. ।
ଏହି ଗୀତଟି କୋଶଳୀ (କିମ୍ବା ସମ୍ବଲପୁରୀ) ଭାଷାରେ ରଚିତ । ତାଙ୍କ ଶ୍ରୋତାମାନଙ୍କ ପାଖରେ ରାପର୍ ଦୁଲେ ରକର୍ ନାମରେ ଦୁଲେଶ୍ଵର ହିନ୍ଦୀ ଏବଂ ବଙ୍ଗାଳୀରେ ମଧ୍ୟ ଗୀତ ଗାଆନ୍ତି । କିନ୍ତୁ ମୁଖ୍ୟତଃ ତାଙ୍କର ଏହି କୋଶଳୀ ରାପ୍ ଗୀତ ଓଡ଼ିଶାର ଯୁବ ଶ୍ରୋତାମାନଙ୍କୁ ଆକୃଷ୍ଟ କରୁଛି ।
୨୭ ବର୍ଷୀୟ ଦୁଲେଶ୍ଵରଙ୍କ ଘର କଳାହାଣ୍ଡି ଜିଲ୍ଲାର ବୋର୍ଡା ଗାଁରେ । ତାଙ୍କ ଗାଁଠାରୁ ୪୫ କିଲୋମିଟର ଦୂର ଭବାନୀପାଟଣାର ସରକାରୀ କଲେଜରୁ ସେ ବିଏସ୍ସି ଡିଗ୍ରୀ ହାସଲ କରିଛନ୍ତି । ଦୁଲେଶ୍ଵରଙ୍କ ପରିବାର ଡୋମ ସଂପ୍ରଦାୟ ଅନ୍ତର୍ଭୁକ୍ତ, ଯାହାକି ଏକ ଅଧିସୂଚିତ ଜାତି । ତାଙ୍କ ଘରେ କେବଳ ତାଙ୍କ ମାଆ ପ୍ରମୀଳା ଓ ଦୁଲେଶ୍ଵର ଅଛନ୍ତି । ତାଙ୍କ ମାଆ ଜଣେ ଚାଷୀ ଏବଂ ଜାଳେଣି କାଠ ସଂଗ୍ରହକାରୀ ଏବଂ ବରିଷ୍ଠ ନାଗରିକ ଭତ୍ତା ବାବଦରେ ସେ ମାସକୁ ୫୦୦ ଟଙ୍କା ଲେଖାଏଁ ପାଆନ୍ତି । ଜଣେ ଚାଷୀ ଓ ସ୍ଥାନୀୟ ଥାନାରେ ସହକାରୀ ରୂପେ କାର୍ଯ୍ୟରତ ତାଙ୍କ ବାପା, ନୀଳମଣି ତାଣ୍ଡିଙ୍କର ପ୍ରାୟ ତିନି ବର୍ଷ ତଳେ ଦେହାନ୍ତ ହୋଇଯାଇଥିଲା।
ଭିଡ଼ିଓ ଦେଖନ୍ତୁ: ପ୍ରବାସୀଙ୍କ ପାଇଁ ରାପ୍- ସରକାର, ତୁଇ ଜବାବ ଦେ
‘ହୁଏତ ସରକାର କୌଣସି ସହାୟତା ଦେବାକୁ ଚାହୁଁନାହାନ୍ତି-ଗରିବଙ୍କୁ ଗରିବ ହୋଇ ରହିବାକୁ ଦିଅ, ନହେଲେ ସରକାରଙ୍କୁ କେହି ସମର୍ଥନ କରିବେନି’
ଦୁଲେଶ୍ଵର କହନ୍ତି, ତାଙ୍କ ପରିବାରର ଦୁଇ ଏକର ଜମି ଅଛି । ହେଲେ, ୫୦,୦୦୦ ଟଙ୍କା ପାଇଁ ଏହା ୨୦୧୪ ମସିହାରୁ ଗୋଟିଏ ବ୍ୟାଙ୍କରେ ବନ୍ଧା ପଡ଼ିଛି । ବିଶାଖାପାଟଣାରେ ତାଙ୍କ ମାଆଙ୍କର ଅସ୍ତ୍ରୋପଚାର ପାଇଁ ଏହି ଟଙ୍କା ଦରକାର ହୋଇଥିଲା । ଏବେ ସୁଧ ସହିତ ଏହି ଋଣ ପରିମାଣ ୧ ଲକ୍ଷରେ ପହଞ୍ଚିଛି ।
ସେ କହନ୍ତି, “ଜମି ବନ୍ଧା ପଡ଼ିଛି, ହେଲେ ଆମେ ଏଥିରେ ଧାନଚାଷ କରୁଛୁ । ଆମ ପାଖରେ ଗୋଟିଏ ବିପିଏଲ୍ (ଦାରିଦ୍ର୍ୟ ସୀମାରେଖା ତଳେ) କାର୍ଡ ଅଛି ।” କିଛି ରୋଜଗାର କରିବା ପାଇଁ ଦୁଲେଶ୍ଵର ବୋର୍ଡାରେ ଟ୍ୟୁସନ କରନ୍ତି ଏବଂ ଆଖପାଖର ଗୃହ ନିର୍ମାଣସ୍ଥଳରେ କାମ କରନ୍ତି ।
କଲେଜରେ ପଢୁଥିବା ସମୟରେ ସେ ରାପ୍ ଗୀତ ଗାଇବା ଆରମ୍ଭ କରିଥିଲେ । ସେ କହନ୍ତି, “କବିତା ଓ ଗଳ୍ପ ଲେଖା ପ୍ରତିଯୋଗିତାରେ ମୁଁ ଭାଗ ନେଉଥିଲି । ମୁଁ ଯାହା ଲେଖୁଥିଲି ସମସ୍ତେ ତାହାକୁ ପ୍ରଶଂସା କରୁଥିଲେ ଏବଂ ଲୋକେ କହୁଥିଲେ ଯେ ମୋର ଲେଖା ଖୁବ୍ ବାସ୍ତବବାଦୀ । ଏଥିରେ ଉତ୍ସାହିତ ହୋଇ ମୁଁ ଲେଖାଲେଖି ଜାରି ରଖିଲି । ପତ୍ରପତ୍ରିକାରେ ମୋର କବିତା ଏବଂ ଗଳ୍ପ ପ୍ରକାଶ ପାଇବା ସମୟରେ ମୁଁ ଖୁସି ହେଉଥିଲି । ମୁଁ ନାଟକରେ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଉଥିଲି । ଏବଂ ମୁଁ ରାପ୍ ଗୀତ ଗାଇବା ଆରମ୍ଭ କଲି ।”

Duleshwar Tandi
ନିଜେ ଦୁଲେଶ୍ଵର ବି ଜଣେ ପ୍ରବାସୀ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ସ୍ନାତକ ଡିଗ୍ରୀ ଲାଭ କରିବା ପରେ ୨୦୧୩ ମସିହାରେ ସେ ରାୟପୁର ଯାଇଥିଲେ। “ମୋର କେତେକ ବନ୍ଧୁ ସେଠାରେ କାମ କରୁଥିଲେ । ତେଣୁ ମୁଁ ବି ସେଠାକାର ରେସ୍ତୋରାଁରେ (ମାସକୁ ପ୍ରାୟ ୩,୦୦୦ ଟଙ୍କା ଦରମାରେ) ଟେବୁଲ ସଫାକାମ କଲି । ଆମକୁ ଖାଇବାକୁ ଏବଂ ରେସ୍ତୋରାଁ ବନ୍ଦ ହେବା ପରେ ରହିବାକୁ ମିଳିଯାଉଥିଲା । ତେଣୁ ମୋ ଭଳି ପ୍ରବାସୀଙ୍କ ପାଇଁ ଏହା ଭଲ ଥିଲା । କିଛି ଦିନ ପାଇଁ ମୁଁ ଖବରକାଗଜ ବି ବାଣ୍ଟିଥିଲି ।”
ସେ ଆହୁରି କହନ୍ତି, “ଅନ୍ୟାନ୍ୟ କାମ କଲା ସମୟରେ ବି ମୁଁ ରାପ୍ ଗୀତ ପ୍ରତି ମୋର ମୋହ ତ୍ୟାଗକରି ନଥିଲି । ଯେତେବେଳେ ବି ସମୟ ଓ ସୁଯୋଗ ମିଳୁଥିଲା, ମୁଁ ଅଭ୍ୟାସ କରୁଥିଲି । ମୁଁ ମୋ ଗୀତର ଭିଡିଓ ଅପ୍ଲୋଡ କରିବା ଆରମ୍ଭ କଲି ଏବଂ ଲୋକେ ସେଗୁଡ଼ିକୁ ଦେଖିବା ଆରମ୍ଭ କଲେ । ଦିନେ (୨୦୧୪ରେ) ମୁଁ ଚଣ୍ଡୀଗଡ଼ରୁ ଗୋଟିଏ ଫୋନ୍ କଲ ପାଇଲି ଏବଂ ଏଥିରେ ମୋତେ (ରାପ୍ ଗୀତ କାର୍ଯ୍ୟକ୍ରମରେ ଭାଗ ନେବାକୁ) ନିମନ୍ତ୍ରଣ କରାଯାଇଥିଲା। ମୋ ପାଇଁ ଏହା ଖୁବ୍ ନୂଆ ଅନୁଭୂତି ଥିଲା । ସେଠାରେ ଆମ ରାପର୍ମାନଙ୍କର ଗୋଟିଏ ଦଳ ଥିଲା, ଆମେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କଲୁ, ପ୍ରତିଯୋଗିତାରେ ଭାଗ ନେଲୁ-ଏବଂ ମୁଁ ବହୁତ କିଛି ଶିଖିଲି ।”
୨୦୧୫ରେ ତାଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ ଦୁଲେଶ୍ଵର ଭୁବନେଶ୍ଵର ଗଲେ । ସେ କହନ୍ତି, “ମୁଁ ବିଭିନ୍ନ ଷ୍ଟୁଡିଓ ଓ ଚ୍ୟାନେଲକୁ ଗଲି ଏବଂ ବହୁ ଲୋକଙ୍କୁ ଦେଖା କଲି- କିନ୍ତୁ ମୋତେ ପ୍ରତ୍ୟାଖ୍ୟାନ କରାଗଲା।” ୨୦୧୯ରେ ସେ ନିଜ ଗାଁକୁ ଫେରିଆସିଲେ । ସେଠାରେ ଏବେ ଲେଖାଲେଖି କରି ଏବଂ ରାପ୍ ଗୀତ ଗାଇ ସେ ତାଙ୍କ ଖାଲି ସମୟ କାଟନ୍ତି ।
ସେ କହନ୍ତି, “ଲକ୍ଡାଉନ୍ ଜାରି ହେବା ପରେ, ମୁଁ ଯେତେବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖିଲି ଏବଂ ନିଜେ ଜଣେ ପ୍ରବାସୀ ଶ୍ରମିକ ହୋଇଥିବାରୁ, ମୁଁ ଏହି ଗୀତ ଲେଖିଲି ଏବଂ ଗାଇଲି ଏବଂ ତାକୁ ଫେସ୍ବୁକ୍ରେ (ମେ ୨୧ ତାରିଖ ଦିନ) ପୋଷ୍ଟ କଲି । ସେଠାରେ ମୁଁ ଲୋକଙ୍କ ସହିତ ଲାଇଭ୍ ଚାଟ୍ ମଧ୍ୟ କରେ । ଅନେକ ଲୋକ ମୋର ଗୀତ ପସନ୍ଦ କଲେ ଏବଂ ମୋତେ ଆଉ ଅଧିକ ଗାଇବାକୁ କହିଲେ । ଓଡ଼ିଶା ବ୍ୟତୀତ ଛତିଶଗଡ଼, ପଶ୍ଚିମ ବଙ୍ଗ ଏବଂ ଅନ୍ୟ ରାଜ୍ୟର ଲୋକେ ବି ମୋ ସହିତ ସଂପର୍କ ସ୍ଥାପନ କଲେ।” ନିକଟରେ ଦୁଲେଶ୍ଵର ତାଙ୍କ ସଙ୍ଗୀତକୁ ୟୁଟୁବ୍ରେ ଅପ୍ଲୋଡ୍ କରିବା ଆରମ୍ଭ କରିଛନ୍ତି।
ସେ କହନ୍ତି, “ହୁଏତ ସରକାର କୌଣସି ସହାୟତା ଦେବାକୁ ଚାହୁଁନାହାନ୍ତି- ଗରିବଙ୍କୁ ଗରିବ ହୋଇ ରହିବାକୁ ଦିଅ, ନହେଲେ ସରକାରଙ୍କୁ କେହି ସମର୍ଥନ କରିବେନି” । “କିନ୍ତୁ ଆମକୁ କ୍ଷମତାଶାଳୀ ଲୋକଙ୍କ ବିରୋଧରେ ସ୍ଵର ଉଠାଇବାକୁ ପଡ଼ିବ । ଏ ହେଉଛି ଦାରିଦ୍ର୍ୟ ସଂପର୍କିତ କଥା, ଯାହାକି ଆମ ଜୀବନର ଏକ ଅଂଶ ।”
ନିକଟରେ, ତାଙ୍କ ସଙ୍ଗୀତ ରେକର୍ଡିଂ କରିବାକୁ ଆଗ୍ରହ ପ୍ରକାଶ କରି କେତେକ ସ୍ଥାନୀୟ ଷ୍ଟୁଡିଓ ଦୁଲେଶ୍ଵରଙ୍କୁ ଡାକିଛନ୍ତି । ସେ କହନ୍ତି, “ଲକ୍ଡାଉନ୍ ପରେ ଏହା ହେବ ବୋଲି ମୁଁ ଆଶା କରୁଛି ।”
ପ୍ରଚ୍ଛଦ ଫଟୋ:ଅଲେଖ ମଙ୍ଗରାଜ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଛନ୍ଦ-ଆଉ-ତର୍କ-ସହିତ---ପ୍ରବାସୀଙ୍କ-ପାଇଁ-ରାପ୍-ଗୀତ

