ସମୃଦ୍ଧି ଯୋଗୁଁ ଅଭିଭୂତ ହେବା ଅପେକ୍ଷାରେ ମହାରାଷ୍ଟ୍ରରେ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ ରୂପେ ତାଲିକାଭୁକ୍ତ କଟକରୀ ଆଦିବାସୀ ସଂପ୍ରଦାୟର ଜାନୁ ୱାଘେ ଓ ଅନ୍ୟ ୧୫ ଜଣ। ଖାଲି ଯାହା ସେମାନଙ୍କର କୌଣସି ସମୃଦ୍ଧି ହେବନାହିଁ। ରାଜ୍ୟ ସରକାରଙ୍କ ସମୃଦ୍ଧି ମହାମାର୍ଗ(‘ସମୃଦ୍ଧି ରାଜପଥ’) ଯୋଗୁଁ ଠାଣେ ଜିଲ୍ଲାରେ ଥିବା ସେମାନଙ୍କର କ୍ଷୁଦ୍ର ପଡ଼ାଗାଁଟି ଖୁବ୍ଶୀଘ୍ର ଧରାଶାୟୀ ହୋଇପାରେ ।
“ଏଇଟି ମୋ ଘର। ମୁଁ ଏଠି ମୋର ପୂରା ଜୀବନ କାଟିଛି । ମୋ ବାପା ଏବଂ ଜେଜେବାପା ଏଠି ରହିଥିଲେ । ଏବେ ସେମାନେ (ମହାରାଷ୍ଟ୍ର ସରକାର) ଆମକୁ ଛାଡ଼ି ପଳାଇବାକୁ କହୁଛନ୍ତି। ଆମକୁ କୌଣସି (ଲିଖିତ) ନୋଟିସ୍ବି ଦିଆଯାଇନାହିଁ ।” ଏହା କହନ୍ତି ୪୨ ବର୍ଷୀୟ ଜାନୁ । “ଏଠାରୁ ଆମେ କୁଆଡ଼େ ଯିବୁ ? କୋଉଠି ଆମର ଘର ଗଢ଼ିବୁ ?”
ଭିୱାଣ୍ଡି ତାଲୁକାର ଚିରାଡ଼ପାଡ଼ା ଗାଁରୁ ପ୍ରାୟ ଅଧା କିଲୋମିଟର ଦୂରରେ ତାଙ୍କ ଘର। ବାଉଁଶ ତିଆରି କାନ୍ଥ ଥିବା ଛୋଟିଆ କୋଠରିଟିଏ। ଆରପାଖରେ ରୋଷେଇ ପାଇଁ ମାଟି ଚୁଲି ଥିବା କିଛି ଜାଗା। ଗୋବରରେ ଲିପା ଚଟାଣ, କାଠ ଖମ୍ବ ଉପରେ ଭରା ଦେଇଥିବା ଝାଟିମାଟିର କାନ୍ଥ ।
ଦିନେ ଛଡ଼ା ଦିନେ ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏ ଜାନୁ ମାଛ ଧରନ୍ତି। ମାଛ ବିକିବା ଲାଗି ମୁଣ୍ଡରେ ୫-୬ କିଲୋ ଓଜନ ବୋହି, ଅଣଓସାରିଆ ଖାଲଢ଼ିପ ଭରା ରାସ୍ତାରେ ଛ’ କିଲୋମିଟର ଚାଲି ଚାଲି ପଡ଼ଘା ସହରର ବଜାରକୁ ଯାଆନ୍ତି ତାଙ୍କ ସ୍ତ୍ରୀ ବାସନ୍ତୀ। ଚାରିଜଣିଆ ପରିବାର ପାଇଁ ମାସକରେ ପ୍ରାୟ ୧୫ ଦିନ ସେମାନେ ଦିନକୁ ୪୦୦ ଟଙ୍କା ରୋଜଗାର କରନ୍ତି । ମଝିରେ ମଝିରେ କାମ ମିଳିଲେ, ଉଭୟ ଜାନୁ ଓ ବାସନ୍ତୀ ଚିରାଡ଼ପାଡ଼ା ଆଖପାଖ ଚାଷଜମିରେ ଦିନ ମଜୁରିଆ ଭାବେ କାମ କରନ୍ତି । କାକୁଡ଼ି, ବାଇଗଣ, ଲଙ୍କାମରିଚ ଏବଂ ଅନ୍ୟ ପନିପରିବା ତୋଳି ଦିନକୁ ୨୫୦ ଟଙ୍କା ରୋଜଗାର କରନ୍ତି ।










