୨୦୧୧ରେ ମୁଁ ସେମାନଙ୍କୁ କହିଥିଲି, ଆପଣଙ୍କର ବିଶ୍ୱବିଦ୍ୟାଳୟ, ଅତିକମ୍‌ରେ ଆଂଶିକ ଭାବେ, ଏପରି ଏକ ଗାଁର ଜମିରେ ରହିଛି ଯାହାର ବାସିନ୍ଦାମାନଙ୍କୁ ବାରମ୍ବାର ସ୍ଥାନାନ୍ତରିତ ହେବାକୁ ପଡ଼ିଛି, ଯାହାକି ଏକ ରେକର୍ଡତୁଲ୍ୟ ହେବ। ତେବେ ଆପଣମାନଙ୍କର ଏଥିରେ କୌଣସି ଭୁଲ ନାହିଁ କିମ୍ବା ଆପଣମାନେ ଏଥିପାଇଁ ଦାୟୀ ନୁହନ୍ତି। ତେବେ ଆପଣମାନେ ଏହାକୁ ସମ୍ମାନ ଦେବା ଉଚିତ୍।

ଏଥିପ୍ରତି ସେମାନଙ୍କ ମନରେ ସମବେଦନା ମଧ୍ୟ ଜାଗ୍ରତ ହୋଇଥିଲା- ଯଦିଓ ସେମାନେ ଏହା ଶୁଣି ସାମାନ୍ୟ ମାନସିକ ଆଘାତ ପାଇଥିଲେ- ସେମାନେ ଥିଲେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନୁସନ୍ଧିତ୍ସୁ ଏବଂ ଏକାଗ୍ର ଛାତ୍ରଛାତ୍ରୀ। ସେମାନେ ମୁଖ୍ୟତଃ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ଆସିଥିଲେ। ଆଉ ଚିକାପାରର କାହାଣୀ ସେମାନଙ୍କୁ ମାନସିକ ଭାବେ ଆଘାତ ଦେଇଥିଲା। ଏକଚାଟିଆ ଭାବେ ଏ ଗାଁକୁ ତିନି ଥର ବିସ୍ଥାପନ କରାଯାଇଥିଲା। ପ୍ରତ୍ୟେକ ଥର କେବଳ ‘ବିକାଶ’ ନାଁରେ।

ମୋର ୧୯୯୩ ମସିହାର ଶେଷ ଭାଗ ଏବଂ ୧୯୯୪ ମସିହାର ଆରମ୍ଭ ସମୟ କଥା ମନେ ପଡ଼ିଲା, ଏହି ସମୟରେ ଜଣେ ଗଦବା ଆଦିବାସୀ ମହିଳା ମୁକ୍ତା କଦମ (ଉପରେ ଶୀର୍ଷକ ଫଟୋରେ ନିଜ ନାତି ସହ), ମୋତେ କହିଥିଲେ ଯେ ସେମାନଙ୍କୁ ୧୯୬୦ର ଏକ ଅଶାନ୍ତ ମୌସୁମୀ ରାତ୍ରିରେ ଉଚ୍ଛେଦ କରାଯାଇଥିଲା। ମୁଣ୍ଡରେ ଆସବାବପତ୍ର ବୋହି, ଅନ୍ଧକାର ଜଙ୍ଗଲ ରାସ୍ତା ଏବଂ ଅବିଶ୍ରାନ୍ତ ବର୍ଷାରେ ସେ ଓ ତାଙ୍କର ପାଞ୍ଚ ଜଣ ପିଲାମାନେ ଗାଁ ଛାଡ଼ି ଚାଲିଯାଇଥିଲେ। “କୁଆଡ଼େ ଯିବାକୁ ହେବ ଆମେ ଜାଣିନଥିଲୁ କାରଣ ସାହେବ ଲୋକମାନେ ଆମକୁ ଯିବା କହିଥିଲେ। ତାହା ଅତ୍ୟନ୍ତ ଭୟାବହ ସ୍ଥିତି ଥିଲା।”

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ)ର ଏମଆଇଜି ଫାଇଟର ପ୍ରକଳ୍ପ ପାଇଁ ସେମାନଙ୍କୁ ଗାଁ ଛାଡ଼ିବାକୁ ପଡ଼ିଥିଲା। ଏ ପ୍ରକଳ୍ପ ଓଡ଼ିଶାରେ କେବେ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। କିନ୍ତୁ ସେ ଜମି ସେମାନଙ୍କୁ କେବେ ବି ଫେରାଇ ଦିଆଯାଇନଥିଲା। କ୍ଷତିପୂରଣ? ଚିକାପାରର ବିସ୍ଥାପିତମାନଙ୍କ ପାଇଁ ବହୁ ଦଶନ୍ଧି ଧରି ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିଥିବା ଜଣେ ଦଳିତ ଓ ସାମାଜିକ କର୍ମୀ ଜ୍ୟୋତିର୍ମୟ ଖରା କୁହନ୍ତି, “ମୋ ପରିବାର ପାଖରେ ୬୦ ଏକର ଜମି ଥିଲା। ଏହାର ଅନେକ ବର୍ଷ ପରେ ଆମେ ୧୫,୦୦୦ ଟଙ୍କା କ୍ଷତିପୂରଣ ମୋଟ (ପାଇଲୁ)। ବିସ୍ଥାପିତମାନେ ପୁଣିଥରେ ସେମାନଙ୍କର ଗ୍ରାମ ପ୍ରତିଷ୍ଠା କରିଥିଲେ, ତାହା ପୁଣି ସରକାରଙ୍କ ଜମିରେ ନୁହେଁ ବରଂ ନିଜ ଜମିରେ। ଅତୀତର ସ୍ମୃତିରେ ସେମାନେ ଏହାକୁ ‘ଚିକାପାର’ ନାଁ ଦେଇଥିଲେ।

The residents of Chikapar were displaced thrice, and each time tried to rebuild their lives. Adivasis made up 7 per cent of India's population in that period, but accounted for more than 40 per cent of displaced persons on all projects
PHOTO • P. Sainath
The residents of Chikapar were displaced thrice, and each time tried to rebuild their lives. Adivasis made up 7 per cent of India's population in that period, but accounted for more than 40 per cent of displaced persons on all projects
PHOTO • P. Sainath

ଚିକାପାର ବାସିନ୍ଦାମାନଙ୍କୁ ତିନି ଥର ବିସ୍ଥାପିତ ହେବାକୁ ପଡ଼ିଛି ଏବଂ ପ୍ରତ୍ୟେକ ଥର ସେମାନେ ନିଜ ଜୀବନକୁ ପୁଣିଥରେ ଗଢ଼ିବାକୁ ଚେଷ୍ଟା କରିଛନ୍ତି। ସେ ସମୟରେ ଭାରତର ଜନସଂଖ୍ୟାରେ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଥିଲେ, କିନ୍ତୁ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଲୋକଙ୍କୁ ସମସ୍ତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ପଡ଼ିଥିଲା

ଚିକାପାରର ଗଦବା, ପରଜା ଏବଂ ଡମ (ଏକ ଦଳିତ ସମୁଦାୟ)ମାନେ ଗରିବ ନୁହନ୍ତି। ସେମାନଙ୍କର ବହୁ ପରିମାଣର ଜମି ଏବଂ ଗୃହପାଳିତ ପଶୁ ଥାଆନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଏବଂ କିଛି ଦଳିତ ରହିଛନ୍ତି। ଯେଉଁମାନଙ୍କୁ ବିସ୍ଥାପନ ପାଇଁ ସେତେବେଳେ ମୋହରା ସଜା ଯାଇଥିଲା। ବିକାଶ ପାଇଁ ଆଦିବାସୀମାନଙ୍କୁ ସବୁଠୁ ଅଧିକ ବିସ୍ଥାପନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭାରତରେ ୧୯୫୧ରୁ ୧୯୯୦ ମଧ୍ୟରେ ଅଢ଼େଇ କୋଟି ଲୋକଙ୍କୁ ବିଭିନ୍ନ ‘ପ୍ରକଳ୍ପ’ ପାଇଁ ବିସ୍ଥାପିତ ହେବାକୁ ପଡ଼ିଛି। (୯୦ ଦଶକର ଡ୍ରାଫ୍ଟ ଜାତୀୟ ନୀତିରେ ଏହା ଦର୍ଶାଯାଇଛି ଯେ ସେମାନଙ୍କ ମଧ୍ୟରୁ ପାଖାପାଖି ୭୫ ପ୍ରତିଶତ “ବର୍ତ୍ତମାନ ସୁଦ୍ଧା ଥଇଥାନ ଅପେକ୍ଷାରେ ରହିଛନ୍ତି।”)

ସେ ସମୟରେ ଭାରତର ଜନସଂଖ୍ୟାରେ ୭ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଥିଲେ, କିନ୍ତୁ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଲୋକଙ୍କୁ ସମସ୍ତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ପଡ଼ିଥିଲା। ମୁକ୍ତା କଦମଙ୍କ ଭଳି ଚିକାପାରର ଅନ୍ୟ ବାସିନ୍ଦାମାନଙ୍କ ଭାଗ୍ୟରେ ଆହୁରି ଦୁଃଖ ଦେଖିବାର ଥିଲା। ୧୯୮୭ରେ, ସେମାନଙ୍କୁ ଚିକାପାର-୨ରୁ ବହିଷ୍କୃତ କରି ଦିଆଗଲା-ଏଥର ନୌସେନା ଯୁଦ୍ଧ ସାମଗ୍ରୀ ଡିପୋ ଏବଂ ଅପର କୋଲାବ ପ୍ରକଳ୍ପ ପାଇଁ। ଏଥର, ମୁକ୍ତା ମୋତେ କହିଲେ, “ମୁଁ ମୋ ନାତିନାତୁଣୀମାନଙ୍କୁ ନେଇ ଗାଁ ଛାଡ଼ିଲି।” ସେମାନେ ଆଉ ଏକ ସ୍ଥାନରେ ରହିଲେ ଯାହାକୁ ଆପଣ ଚିକାପାର-୩ କହିପାରିବେ।

୧୯୯୪ରେ ମୁଁ ଯେତେବେଳେ ସେଠାକୁ ଗଲି ଓ ରହିଥିଲି, ସେମାନଙ୍କୁ ତୃତୀୟ ଥର ପାଇଁ ଉଚ୍ଛେଦ କରିବା ଲାଗି ନୋଟିସ ମିଳିଥିଲା, ସମ୍ଭବତଃ ଏକ ପୋଲଟ୍ରି ଫାର୍ମ ପାଇଁ କିମ୍ବା ହୁଏତ’ ଏକ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ ଡିପୋ ଲାଗି। ବାସ୍ତବରେ, ବିକାଶ ପାଇଁ ଚିକାପାରକୁ ବାରମ୍ବାର ବିସ୍ଥାପନର ସମସ୍ୟା ଭୋଗିବାକୁ ପଡ଼ିଛି। ଏହା ବୋଧହୁଏ ବିଶ୍ୱର ଏକମାତ୍ର ଗ୍ରାମ ଯାହା ସ୍ଥଳସେନା, ବାୟୁସେନା ଏବଂ ନୌସେନାର ମୁକାବିଲା କରିଛି -ଆଉ ହାରିଯାଇଛି।

ମୁଖ୍ୟତଃ, ଜମି ଏଚଏଏଲ ପାଇଁ ନିଆଯାଇଥିଲା କିନ୍ତୁ ବିଧିବଦ୍ଧ ଭାବେ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ କେବେ ବ୍ୟବହାର କରାଯାଇନଥିଲା। କିନ୍ତୁ ଏହାର କିଛି ଭାଗ ଏବଂ ସେମାନେ ବିସ୍ଥାପିତ କରିଥିବା ଭିନ୍ନ ଭିନ୍ନ ସ୍ଥାନକୁ ବିଭିନ୍ନ ଉଦ୍ଦେଶ୍ୟ ଲାଗି ଅନ୍ୟମାନଙ୍କୁ ଦିଆଗଲା-କିନ୍ତୁ ମୂଳ ମାଲିକମାନଙ୍କୁ ମିଳିଲା ନାହିଁ। ୨୦୧୧ରେ ମୁଁ ଜାଣିବାକୁ ପାଇଥିଲି, ଏଥିରୁ କିଛି ଭାଗ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଇଥିଲା। ଜ୍ୟୋତିର୍ମୟ ଖରା ନ୍ୟାୟ ପାଇଁ ନିଜର ସଂଘର୍ଷ ଜାରି ରଖିଛନ୍ତି –ବିସ୍ଥାପିତମାନଙ୍କ ପରିବାର କିଛି ଲୋକଙ୍କୁ ଅତିକମ୍‌ରେ ଏଚଏଏଲରେ ନିଯୁକ୍ତି ଦେବାକୁ ସେ ଉଦ୍ୟମ କରୁଛନ୍ତି।

ଏ ଷ୍ଟୋରୀର ଅଧିକ ବିସ୍ତୃତ ସଂସ୍କରଣ, ଦୁଇଟି ଭାଗରେ, ମୋର ପୁସ୍ତକ ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ, ବଟ୍ ଏଣ୍ଡସ୍ ଆଟ୍ ୧୯୯୫ରେ ପ୍ରକାଶିତ ହୋଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

पी. साईनाथ पीपल्स अर्काईव्ह ऑफ रुरल इंडिया - पारीचे संस्थापक संपादक आहेत. गेली अनेक दशकं त्यांनी ग्रामीण वार्ताहर म्हणून काम केलं आहे. 'एव्हरीबडी लव्ज अ गुड ड्राउट' (दुष्काळ आवडे सर्वांना) आणि 'द लास्ट हीरोजः फूट सोल्जर्स ऑफ इंडियन फ्रीडम' (अखेरचे शिलेदार: भारतीय स्वातंत्र्यलढ्याचं पायदळ) ही दोन लोकप्रिय पुस्तकं त्यांनी लिहिली आहेत.

यांचे इतर लिखाण साइनाथ पी.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE