ରାତି ୧୦:୩୦ ବେଳକୁ ଚିକନପଦାରେ ଜାଗରଣ ଆରମ୍ଭ ହୋଇଗଲା । ପଲ୍ଲୀ ଗାଁଟିର ଅନ୍ୟମାନେ ଶୋଇଥିବା ବେଳେ ସନଦ ପରିବାରରେ ଗୀତ ଓ ମନ୍ତ୍ର ଗୁଞ୍ଜରି ଉଠିଲା ।
ପ୍ଲାଷ୍ଟିକ୍ ବସ୍ତାରେ ତିଆରି ଏକ ଆସନ ଉପରେ ବସିଥିଲେ କାଲୁ ଜଙ୍ଗଲି । ଏହି ପୂଜା ଅନୁଷ୍ଠାନ କରିବା ଲାଗି ପଡ଼ୋଶୀ ପାଙ୍ଗରି ପଲ୍ଲୀରୁ ସେ ଆସିଥିଲେ । ଇଟା ଓ କାଦୁଅରେ ଗଢ଼ା ସାମନା ପଟ କୋଠରିରେ, ଚଟାଣରେ କିମ୍ବା ପ୍ଲାଷ୍ଟିକ୍ ଚଉକିରେ ବସିଥିଲେ କା ଠାକୁର ଆଦିବାସୀ ସଂପ୍ରଦାୟର ବହୁ ଅତିଥି । ସେମାନେ ଜାଗରଣରେ ଭାଗ ନେବାକୁ ଆସିଥିଲେ, ଯାହା କି ଭକ୍ତି ଗୀତ ଗାଇ ବାଣୀ ଦେବୀଙ୍କ ଉଦ୍ଦେଶ୍ୟରେ ସାରା ରାତି ପ୍ରାର୍ଥନା କରିବାର ଏକ କାର୍ଯ୍ୟକ୍ରମ।
ପୂଜାରେ ପୌରୋହିତ୍ୟ କରୁଥିଲେ ୫୦ ବର୍ଷ ବୟସ୍କ କାଲୁ। ପୂଜା ପାଇଁ କୋଠରି ମଝିରେ ଥିବା ସାମଗ୍ରୀ ଭିତରେ ଥିଲା ଚାଉଳ, ତମ୍ବା ପାତ୍ର ଉପରେ ନାଲି କନା (ସ୍ଥାନୀୟ ଭାଷାରେ ଅର୍ମାଲ) ଢଙ୍କା ହୋଇଥିବା ଏକ ନଡ଼ିଆ ଏବଂ କେତେକ ଧୂପକାଠି।
କାଲୁଙ୍କ ସହ ଆସିଥିବା ଚିକନପଦାର ଜଣେ ପାରମ୍ପରିକ ଚିକିତ୍ସକ ବା ଭଗତ, ଜୈତ୍ୟ ଦୀଘା କହନ୍ତି, “ରୋଗୀ ଶରୀରରେଭଗତଙ୍କ ଔଷଧ କାମ କରିବା ଆରମ୍ଭ କଲେ ଖରାପ ନଜରକୁ ଦୂରେଇ ରଖିବା ପାଇଁ ଶେଷ ପର୍ଯ୍ୟାୟରେ ଏହି ପୂଜା ଅନୁଷ୍ଠାନ କରାଯାଏ ।”












