୨୦ ବର୍ଷ ବୟସ ପର୍ଯ୍ୟନ୍ତ ଅଙ୍ଗଦ ସାଲୁଙ୍ଖେ ଆଶାବାଦୀ ଥିଲେ। ପରେ ଆଶାରୁ ଉତ୍କଣ୍ଠା ବଢିଥିଲା। କିଛି ବର୍ଷ ପରେ ନିରାଶା ଏବଂ ଉଦାସପଣ ତାଙ୍କୁ ମାଡ଼ି ବସିଥିଲା। ଶେଷରେ ବିଫଳତା ସ୍ୱୀକାର କରିବା ସହ ନିଯୁକ୍ତି ଆଶା ଛାଡିଦେଲେ।
୨୦୦୩ରେ ଅଙ୍ଗଦଙ୍କୁ ୧୮ ବର୍ଷର ହୋଇଥିଲା। ବେଦ୍ ଜିଲ୍ଲାର ତାଙ୍କ ଗାଁ ନାଗପୁର ଛାଡି କଲେଜ ପଢିବା ପାଇଁ ବେଦ୍ ସହରକୁ ଗଲେ। ତାଙ୍କ ଘରଠାରୁ ବେଦ ସହର ୧୪ କିଲୋମିଟର ଦୂର। ସେ କହନ୍ତି, “ମୋତେ ପାଠ ପଢାଇବାକୁ ବାପା ମାଆ ଗାଁ ମହାଜନଠାରୁ ଟଙ୍କା କରଜ ଆଣିଥିଲେ ଏବଂ ପରିଶୋଧ କରିବାକୁ ଅଧିକ ସମୟ ପରିଶ୍ରମ କରୁଥିଲେ। ସେଠାରେ ଘରଭଡ଼ା, କଲେଜ ଫି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ତିନ ବର୍ଷରେ ନିହାତି କମ୍ରେ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବ।”
ବିଏ ପଢା ଶେଷ ହେବା ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ୍ କମିଶନ (ଏମପିଏସସି) ପରୀକ୍ଷା ପାଇଁ ପ୍ରସ୍ତୁତି କଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ରାଜ୍ୟ ସରକାରଙ୍କ ଅଧିନରେ ପ୍ରାଶାସନିକ ସେବା କ୍ଷେତ୍ରରେ ଉପଜିଲ୍ଲାପାଳ, ଉପ ଆରକ୍ଷୀ ଅଧିକ୍ଷକ, ବିକ୍ରୀ କର ନିରୀକ୍ଷକ ଭଳି ପଦବୀରେ ନିଯୁକ୍ତି ମିଳିଥାନ୍ତା। କିନ୍ତୁ ପଦବୀ ସଂଖ୍ୟାଠାରୁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବହୁ ଗୁଣରେ ଅଧିକ। ଏମପିଏସସି ଅଧ୍ୟକ୍ଷ ଭି.ଏନ୍ ମୋରେ କହନ୍ତି, “ପ୍ରତିବର୍ଷ ୧୨-୧୪ ଲକ୍ଷ ପ୍ରାର୍ଥୀ ଏମ୍ପିଏସ୍ସି ପରୀକ୍ଷା ଦିଅନ୍ତି। କିନ୍ତୁ ପଦବୀ ସଂଖ୍ୟା ମାତ୍ର ୪,୦୦୦-୪,୫୦୦ ଭିତରେ ସୀମିତ। କେବଳ ପ୍ରାଶାସନିକ ସେବା ପାଇଁ ୨-୨.୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦିଅନ୍ତି। [ବର୍ଷକୁ ଏମ୍ପିଏସ୍ସି ୧୪ଟି ପରୀକ୍ଷା କରିଥାଏ] ୨୦୧୭-୧୮ରେ ବିଭିନ୍ନ କ୍ଷେତ୍ରରେ ହାରାହାରି ୩୦୦-୩୫୦ଟି ପଦବୀ ଖାଲି ଥିଲା। ପ୍ରାଶାସନିକ ସେବା କ୍ଷେତ୍ରରେ ଖାଲି ଥିବା ପଦବୀ ସଂଖା ମାତ୍ର ୧୪୦ ଥିଲା।”
ଅଙ୍ଗଦଙ୍କୁ ଏବେ ୩୪ ବର୍ଷ। କ୍ଷେତରେ ଶଗଡ଼ ଉପରେ ବସିଥିଲେ। କହିଲେ, “ଅନେକ ପରିଶ୍ରମ କରି ଦିନ ରାତି ପଢୁଥିଲି। ୨୦୦୭ରେ ବେଦ୍ ସରକାରୀ ଡାକ୍ତରଖାନାରେ କିରାଣୀ ପଦବୀରେ ନିଯୁକ୍ତି ପାଇଁ ସର୍ଟଲିଷ୍ଟ ହୋଇଥିଲା। କିନ୍ତୁ ମୋ ପାଇଁ ସୁପାରିସ କରିବାକୁ କେହି ନଥିଲେ। ” ନିଯୁକ୍ତି ପାଇଁ ସୁପାରିଶ ଏକ ଔପଚାରିକ ପ୍ରକ୍ରିୟା ନୁହେଁ। କିନ୍ତୁ ଏହା ବ୍ୟବସ୍ଥାର ଏକ ଅଂଶ ବିଶେଷ ପାଲଟି ଯାଇଛି। ସଂପର୍କ ଏବଂ ପ୍ରଭାବ ନଥିଲେ ନିଯୁକ୍ତି ନାହିଁ।





