ହରଜିତ ସିଂ ହରିଆଣାର ସୋନିପତ୍ ଜିଲ୍ଲାରେ ଦିଲ୍ଲୀ-ହରିୟାଣା ସୀମାରେ ଅବସ୍ଥିତ ସିଙ୍ଘୁରେ ବସି ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଖୁଥିବା ବେଳେ ତାଙ୍କ ମୁହଁ ଉପରେ ଶୀତ ଋତୁର ଅସ୍ପଷ୍ଟ ଆଲୋକ ଏପଟ ସେପଟ ହେଉଛି ।
ପାଖରେ, ବୟସ୍କ ଓ ଯୁବ ଗୋଷ୍ଠୀ –ପୁରୁଷ, ମହିଳା ତଥା ପିଲାମାନେ – ସମସ୍ତେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ କରିଦେଇଛନ୍ତି। ଦୁଇ ଜଣ ପୁରୁଷ ଗଦି ସଫା କରୁଛନ୍ତି, ସେଗୁଡିକୁ ଲାଠି ସହାୟତାରେ ପ୍ରହାର କରି ରାତି ପାଇଁ ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ପଥିକମାନଙ୍କୁ ଚା ଓ ବିସ୍କୁଟ୍ ବାଣ୍ଟୁଛନ୍ତି । ଅନେକ ସେମାନଙ୍କ ନେତାମାନଙ୍କ ଭାଷଣ ଶୁଣିବା ପାଇଁ ସେହି ବିଶାଳ ସମାବେଶ ମଧ୍ୟ ଦେଇ ସମ୍ମୁଖକୁ ଯିବାକୁ ଚେଷ୍ଟା କରୁଛନ୍ତି । ଆଉ କେତେଜଣ ରାତ୍ରି ଭୋଜନ ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଖାଲିଟାରେ ଏଣେତେଣେ ବୁଲୁଥିବା ଦେଖାଯାଉଛନ୍ତି ।
ହରଜିତ ହେଉଛନ୍ତି ଦିଲ୍ଲୀ ଗେଟ୍ରେ ଚଳିତ ବର୍ଷ ସେପ୍ଟେମ୍ବରରେ ସଂସଦରେ ବିରୋଧ ସତ୍ତ୍ୱେ ପାରିତ କରାଯାଇଥିବା ତିନିଟି କୃଷି ଆଇନ୍ ବିରୋଧରେ ପ୍ରଦର୍ଶନ କରୁଥିବା ହଜାର ଜହାର ଚାଷୀମାନଙ୍କ ମଧ୍ୟରୁ ଜଣେ ।
ଚାଉଳ ଓ ଗହମ, ସେ କୁହନ୍ତି, ସେ ପଞ୍ଜାବର ଫଦେଗଡ ସାହିବ ଜିଲ୍ଲାର ମାଜ୍ରି ସୋଧିଆନ୍ ଗ୍ରାମରେ ଥିବା ତାଙ୍କର ଚାରି ଏକର ଜମିରେ ଚାଷ କରୁଥିଲେ । ହରଜିତ, ଯାହାର ବୟସ ୫୦ବର୍ଷରୁ ଅଧିକ ହେବ, ଅବିବାହିତ ଅଛନ୍ତି ଓ ତାଙ୍କ ମା’ଙ୍କ ସହିତ ରୁହନ୍ତି ।
୨୦୧୭ରେ ସେ ଦୁର୍ଘଟଣାଗ୍ରସ୍ତ ହେବା ପରଠାରୁ ଚାଲି ପାରୁନାହାନ୍ତି, ହେଲେ ଏହା ତାଙ୍କୁ ଏହି ବିଶାଳକାୟ ବିରୋଧ ପ୍ରଦର୍ଶନରେ ତାଙ୍କ ସାଥି ଚାଷୀଙ୍କ ସହିତ ମିଶି ଯୋଗ ଦେବାଠାରୁ ନିବୃତ୍ତ କରିପାରିନି । “ମୁଁ ମୋର ଘରର ଛାତ ଉପରେ କାମ କରୁଥିବାବେଳେ ଖସି ପଡିଥିଲି,” ବୋଲି ସେ ସେହି ଦୁର୍ଘଟଣା କଥା ମନେପକାଇ କୁହନ୍ତି । “ମୋର ନିତମ୍ବର ହାଡ ଭାଙ୍ଗିଯାଇଥିଲା ।’’




