କୁକୁରଟିଏ ଭୁକି ଉଠେ। ଗୋଟିଏ ବାଘ ଗର୍ଜନ କରେ। ଚାରିପଟୁ ଭାସି ଆସେ ଅନେକ ଲୋକଙ୍କ ଚିତ୍କାରର ସମ୍ମିଳିତ ଧ୍ୱନି।
ଏଥିରେ କିଛି ଅସ୍ୱାଭାବିକତା ନାହିଁ। କାରଣ, ଆମେ ଅଛୁ ଚନ୍ଦ୍ରପୁରର ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଖରୁ ପ୍ରାୟ ୧୦୦ କିଲୋମିଟର ଦୂରରେ।
ଅସ୍ୱାଭିବକତା ଏତିକି ଯେ, ଏହି ଜୀବଜନ୍ତୁ ଏବଂ ମଣିଷର ସମ୍ମିଳିତ କଣ୍ଠସ୍ୱରର ଧ୍ୱନି ପ୍ରାକୃତିକ ନୁହେଁ, ପୂର୍ବରୁ ରେକର୍ଡିଂ କରାଯାଇଥିବା ଏହି ଧ୍ୱନି ଭାସି ଆସୁଥିଲା ମାଙ୍ଗି ଗାଁର ଏକ ଡାକବାଜି ଯନ୍ତ୍ରରୁ। ଗ୍ରାମୀଣ ବିଦର୍ଭର କୌଣସି ଏକ କପା ଓ ହରଡ଼ ଜମି ମଝିରେ ପୋତାଯାଇଥିବା ବେତର ଗୋଟିଏ ଖୁଣ୍ଟ ଉପରେ ରଖାଯାଇଥିବା ଏହି ଡାକବାଜି ଯନ୍ତ୍ରଟିରୁ ବାହାରିଥିବା ତାରକୁ କୀଟନାଶକ ଔଷଧ ଛିଞ୍ଚିବା ପାଇଁ ଥିବା ଏକ ବ୍ୟାଟେରୀ ଚାଳିତ ପମ୍ପରେ ସଂଯୋଗ କରାଯାଇଥିଲା।
ବଣୁଆ ଜୀବଜନ୍ତୁମାନଙ୍କୁ ଘଉଡ଼ାଇବା ଦିଗରେ ତାଙ୍କର ଏହି ଆତୁର ପ୍ରୟାସ ସଂପର୍କରେ ଧାରଣା ଦେବାକୁ ଯାଇ ୪୮ ବର୍ଷୀୟ ସୁରେଶ ରେଂଘେ କହନ୍ତି, “ଯଦି ମୁଁ ରାତିରେ ଏହି ସତର୍କ ଧ୍ୱନିକୁ ନ ବଜାଇବି, ତେବେ ବାରହା ଓ ନୀଳଗାଈ (ଉଭୟ ରାତ୍ରିଚର ଜୀବ) ପଶି ମୋ ଫସଲ ଖାଇଦେବେ। ବିଶେଷତଃ ହରଡ଼ ଓ ଚଣା ଖାଇବାକୁ ସେମାନେ ଭଲ ପାଆନ୍ତି।” ଏବଂ ଏହାର ପରିଣତି ସ୍ୱରୂପ ତାଙ୍କର ଫସଲ ଉଜୁଡ଼ି ଯାଏ ।
କ୍ଷେତ ଚାରିପଟେ ସୌରଶକ୍ତି ସଂପନ୍ନ ତାରବାଡ଼ ଲଗାଇବା ସତ୍ତ୍ୱେ ବନ୍ୟ ଜୀବଜନ୍ତୁଙ୍କୁ ଦୂରେଇ ରଖିବାରେ ସେ ବିଫଳ ହୋଇଥିଲେ ଏବଂ ତେଣୁ, ଏହି ଯନ୍ତ୍ରଟିର ଉପଯୋଗ ଆରମ୍ଭ କରି ଏଥିରୁ ତାରରେ ଲାଗି ବାହାରିଥିବା ଦୁଇଟି ପିନ୍ ବିଶିଷ୍ଟ ପ୍ଲଗକୁ ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପର ସକେଟରେ ଲଗାଇ ଦେଇଥିଲେ। କାଳବିଳମ୍ବ ନ କରି ଏଥିରୁ ଜୀବଜନ୍ତୁ ଏବଂ ମଣିଷମାନଙ୍କ କଣ୍ଠସ୍ୱର ବାହାରି ବାତାବରଣରେ ଖେଳି ଯାଇଥିଲା।















